ବିଜେପିକୁୁ ବିଶ୍ୱାସ ସଂକଟ
୨୦୧୯ ନିର୍ବାଚନ ତାରିଖ ଘୋଷଣା ହେବା କେବଳ ବାକି ରହିଛି। କିନ୍ତୁ ରାଜ୍ୟର ତିନିଟି ଯାକ ପ୍ରମୁଖ ରାଜନୈତିକ ଦଳ ଆଗୁଆ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଦେଲେଣି। ନିର୍ବାଚନ ପାଇଁ ବିଜୁ ଜନତା ଦଳ, ଭାରତୀୟ ଜନତାପାର୍ଟି ଏବଂ କଂଗ୍ରେସ ପ୍ରସ୍ତୁତ। ଭୋଟ ପାଇବା ପାଇଁ ତିନିଟି ଯାକ ଦଳ ନିଜ ନିଜ ଢଙ୍ଗରେ ପ୍ରତିପକ୍ଷ ଦଳକୁ ଦୋଷାରୋପ କରି ମତଦାତାଙ୍କୁ ବୁଝାଇବା ଆରମ୍ଭ କରିେଲେଣି।
ଆଗାମୀ ନିର୍ବାଚନରେ କ୍ଷମତା ହାସଲ ପାଇଁ ହୁଂକାର ଦେଉଥିବା ବିଜେପି ମୁଖ୍ୟତଃ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଅସ୍ତ୍ର କରିଛି। ଏହା ସହିତ କେନ୍ଦ୍ର ସରକାରଙ୍କ ଯୋଜନା ଏବଂ ମୋଦୀଙ୍କ ଲୋକପ୍ରିୟତାକୁ ଦଳ ଆଧାର କରି ଭୋଟ ମାଗିବାର ଚେଷ୍ଟା ଚଳାଇଛି। ଅଧିକରୁ ଅଧିକ କେନ୍ଦ୍ରୀୟ ନେତା ଓଡ଼ିଶା ଆସି ବିଜେପି ସପକ୍ଷରେ ପ୍ରଚାର କରିବାରେ ଲାଗିଲେଣି। ଏପରିକି ଏହି ପ୍ରଚାର ମାଧ୍ୟମରେ ମତଦାତାମାନଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେବାରେ ମଧ୍ୟ ପଛରେ ନାହାଁନ୍ତି।

ବିଜେପି ବର୍ଷକ ତଳେ ଯେଉଁ ଫର୍ମ ଓ ମୁଡରେ ଥିଲା, ସେଥିରେ କିଛି ପରିବର୍ତ୍ତନର ସଂକେତ ମିଳୁଛି। ପଞ୍ଚାୟତ ନିର୍ବାଚନ ପରେ ବିଜେପି ସପକ୍ଷରେ ଏକ ହାୱା ବହିବା ଆରମ୍ଭ କରିଥିଲା। କିନ୍ତୁ ଦଳର କେନ୍ଦ୍ରୀୟ ନେତୃତ୍ୱ ଏଥିରୁ ଫାଇଦା ନେବାରେ ସକ୍ଷମ ହୋଇପାରିଲେ ନାହିଁ। ଓଡ଼ିଶାରେ ୧୨୦ ପ୍ଳସ କଥା କହି ଅମିତ ଶାହା ଯେଉଁ ନୂଆ ଜୋସ ଭରିଥିଲେ, ଏଥିରେ ପରିବର୍ତ୍ତନ ଘଟିବାର କାରଣ ହେଉଛନ୍ତି ନିଜେ ନରେନ୍ଦ୍ର ମୋଦୀ। ତେବେ ବିଜେପି ପାଇଁ ସବୁଠୁ ବଡ଼ ବିପଦ ହେଲା ଅତ୍ୟଧିକ ଆତ୍ମବିଶ୍ୱାସ।
ବୁଥ ସ୍ତରରେ ମୋ ବୁଥ ସବୁଠୁ ମଜବୁତ କାର୍ଯ୍ୟକ୍ରମ ଆରମ୍ଭ କରି ବିଜେପି ବୁଥ ପରିଚାଳନା ଉପରେ ପ୍ରଥମରୁ ଗୁରୁତ୍ୱ ଦେଇଥିଲା। ଏହାର ନେତାମାନେ ସବୁବେଳେ କହିଆସୁଥିଲେ ଯେ, ସବୁ ବୁଥରେ ଏବେ କାର୍ଯ୍ୟକର୍ତ୍ତା ସକ୍ରିୟ। ସେତେବେଳେ କଂଗ୍ରେସ ପୁଣି ଉଠିବାର ପ୍ରୟାସ କରିବ ବୋଲି ବିଜେପି ନେତାମାନେ କଦାପି ଭାବିନଥିଲେ। ଏହା ହିଁ ରାଜ୍ୟରେ ବିଜେପି ପାଇଁ ସମସ୍ୟା ବଢାଇବ। ଏକେତ ବାତାବରଣରୁ ଫାଇଦା ନେଇପାରିଲେ ନାହିଁ ମୋଦୀ। ଦ୍ୱିତୀୟରେ ରାଜ୍ୟ ନେତାଙ୍କ ଅତ୍ୟଧିକ ଆତ୍ମବିଶ୍ୱାସ ହିଁ ସମସ୍ୟାକୁ ଜଟିଳ କରିବ।

ରାଜ୍ୟ ସରକାରଙ୍କ ବିରୋଧରେ ଅସନ୍ତୋଷ ଅଛି ଏହା ସତ। କିନ୍ତୁ ବିଜେପି ନେତାମାନେ ନବୀନଙ୍କ ସରକାରଙ୍କ ଦୁର୍ନୀତି କଥା ଉଠାଇବା ବେଳେ ଚିଟଫଣ୍ଡ ଓ ଖଣି ଦୁର୍ନୀତି କଥା ଆସୁଛି। କାହିଁକି ସିବିଆଇ ତଦନ୍ତ ଶୀଥିଳ ବୋଲି ଯେଉଁ ପ୍ରଶ୍ନ ଉଠିଛି,ତାହାର ଜବାବ ବିଜେପି ନେତାଙ୍କ ପାଖରେ ନାହିଁ।
ଓଡ଼ିଶାରେ ପରିବର୍ତ୍ତନର ଲହର ଆଣିବା ପାଇଁ କେବଳ ମୋଦୀ ହାୱା ଯଥେଷ୍ଟ ନୁହେଁ। ମୋଦୀ ହାୱା ଉପରେ ଅଧିକ ବିଶ୍ୱାସ ରଖିବା କାରଣ ହିଁ ରାଜ୍ୟରେ ବିଜେପି ପାଇଁ ଘାତକସିଦ୍ଧ ହୋଇପାରେ। ତେବେ ପ୍ରାର୍ଥୀ ମନୋନୟନ ମଧ୍ୟ ଦଳ ପାଇଁ ଚ୍ୟାଲେଞ୍ଜ ଆଣିବ। ପାର୍ଟି ପୁରୁଣା ନେତାମାନେ ଅନ୍ୟ କାହାକୁ ବାଟ ଛାଡିବା ସକାଶେ ପ୍ରସ୍ତୁତ ନୁହଁନ୍ତି। ତେଣୁ ଯେଉଁ ଭଳି ଦଳ ବଢୁଥିଲା, ଅନ୍ୟ ଦଳରୁ ଲୋକେ ଆକୃଷ୍ଟ ହୋଇ ବିଜେପିକୁ ଆସୁଥିଲେ, ସେଥିରେ ପୂର୍ଣ୍ଣଚ୍ଛେଦ ପଡିଯାଇଛି। ଏହାସେତ୍ତ୍ୱ କେନ୍ଦ୍ରୀୟ ନେତା ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି ରାଜ୍ୟରେ ବିଜେପି ପାଇଁ କେତେ ଶୁଭଫଳ ଆଣିବ ତାହା ଫଳାଫଳ ପ୍ରକାଶ ପରେ ସ୍ପଷ୍ଟ ହୋଇଯିବ।
କିନ୍ତୁ ପ୍ରାରମ୍ଭିକ ଗତିଶୀଳତା ଏହି ଦଳ ହଠାତ ମଝିରେ ହରାଇଛି ବୋଲି ଯେଉଁ ଧାରଣା ହୋଇଛି ତାହା ପଛରେ ଅତ୍ୟଧିକ ଆତ୍ମବିଶ୍ୱାସ ହିଁ ଏକ ବଡ଼ କାରଣ। ଏହା ଦଳକୁ ବିପଦରେ ପକାଇପାରେ।