ରାଜସ୍ଥାନରେ ଏକ୍ସପୋଜ୍ ହେବ କି ବିଜେପି ?

ନିର୍ବାଚିତ ସରକାରକୁ ଘେରି, ଜନମତକୁ ହଡ଼ପ କରିବାରେ ମାହିର୍ ବିଜେପି, ରାଜସ୍ଥାନରେ ହାରିଯିବ କି ? ଗତ କିଛିଦିନ ଧରି ରାଜ୍ୟ ରାଜନୀତିରେ ଜାରି ରହିଥିବା ହଲଚଲକୁ ଅନୁଶୀଳନ କଲେ ସେମିତି କିଛି ଲାଗୁଛି । ବିଜେପି ପାଇଁ ପାଇଲଟ୍, ସିନ୍ଧିଆ ହେବା କିମ୍ବା ଅଶୋକ ଗେହଲଟ୍, କମଲନାଥ ହେବା ସହଜ ଲାଗୁନି । ଗେହଲଟ୍-ପାଇଲଟ୍ ଲଢେଇରେ କଂଗ୍ରେସ ଜିତିବ ନା ବିଜେପି ଏକ୍ସପୋଜ୍ ହେବ, ତାହା ଦେଖିବାକୁ ସମସ୍ତଙ୍କ ଅପେକ୍ଷା ।
କଂଗ୍ରେସ ମୁକ୍ତ ଅଭିଯାନରେ ମୋଦି-ଶାହାଙ୍କ ରଣନୀତି । ଅତୀତରେ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇ ବି ଗୋଆ ଏବଂ ମଣିପୁରରେ କଂଗ୍ରେସକୁ ସରକାର ଗଢାଇ ଦେଇନି ବିଜେପି । ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ଶୈଳୀରେ ନିର୍ବାଚିତ ସରକାରକୁ ଖସାଇ ଜନମତକୁ ହଡ଼ପ କରି ନେଇଛି ବିଜେପି । ଉଦ୍ଧବ ଥାକରେ ଓ ଶରଦ ପାୱାରଙ୍କ କାଲକୁଲେଟେଡ୍ ପଲିଟିକ୍ସ ଆଗରେ ହାରିଯାଇ ମହାରାଷ୍ଟ୍ରରେ ଗୋଟିଏ ଦିନ ସରକାରରେ ରହିବା ପରେ ଅପଦସ୍ତ ହେଲା ବିଜେପି । ତେବେ କ’ଣ ହେବ ରାଜସ୍ଥାନରେ ? ଗେହଲଟଙ୍କ ଗୋଟି ଚାଳନାରେ ଫେଲ୍ ମାରିବ କି ବିଜେପିର ହାଇଜାକ୍ ହାଇପୋଥେସିସ୍ ? ରାଜସ୍ଥାନ, କଂଗ୍ରେସ ପାଇଁ ମଧ୍ୟପ୍ରଦେଶ ହେବ ନା ବିଜେପି ପାଇଁ ମହାରାଷ୍ଟ୍ର ହେବ ?
ସଚିନ୍ ପାଇଲଟ୍ ହିଁ ଥିଲେ 2018 ରାଜସ୍ଥାନ ନିର୍ବାଚନରେ କଂଗ୍ରେସର ପାଇଲଟ୍ । ବିଜେପି, ବିଶେଷକରି ବସୁନ୍ଧରା ରାଜେଙ୍କ ବିରୋଧରେ ସେ ଥିଲେ କଂଗ୍ରେସର ମାସ୍କଟ୍ । କିନ୍ତୁ ଅଶୋକ ଗେହଲଟ୍ ହେଲେ ମୁଖ୍ୟମନ୍ତ୍ରୀ । 15 ଦିନରୁ ଅଧିକ ହେବ, ରାଜ୍ୟ ରାଜନୀତିରେ ଜଳୁଛି ବିଦ୍ରୋହର ବହ୍ନି । ସରକାର ଭାଙ୍ଗି କ୍ଷମତା ହଡ଼ପ କରିବାକୁ ସବୁ ପ୍ରକାର କଳ, ବଳ କୌଶଳ ଲଗାଇ ଦେଇଛି ବିଜେପି । କିନ୍ତୁ ଏବେ ବି ଅନିଶ୍ଚିତତାର ଦୋଛକିରେ ସଚିନ୍ ପାଇଲଟ । ବିଜେପି ରାସ୍ତା, ତାଙ୍କ ପାଇଁ ସହଜସାଧ୍ୟ ହୋଇପାରୁ ନଥିବା ବେଳେ ୱାନ୍ ମ୍ୟାନ୍ ଅର୍ମି ଭଳି ମୋଦି-ଶାହଙ୍କ ସରକାର ଭଙ୍ଗା ରଣନୀତିକୁ ବର୍ତ୍ତମାନ ସୁଦ୍ଧା ଚ୍ୟାଲେଞ୍ଜ କରି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ବିଧାୟକ ମୂଲଚାଲର ଅଡିଓ ଟେପ୍ ଖୁଲ୍ଲାସା କରିବା ସହ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ପ୍ରସଙ୍ଗ ଭିତରକୁ ପ୍ରତ୍ୟକ୍ଷ ଭାବେ ଟାଣିଛନ୍ତି ।
ରାଜସ୍ଥାନ ରାଜନୀତିରେ ବର୍ତ୍ତମାନ ସୁଦ୍ଧା ଖୋଲାଖୋଲି ଫ୍ରଣ୍ଟ୍ ଲାଇନକୁ ଆସି ନାହାନ୍ତି ବିଜେପି ଫିଗର୍ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ । ଯାହାକୁ ନେଇ ଅନେକ ଚର୍ଚ୍ଚା । ଏପରିକି ବିଜେପି ସହଯୋଗୀ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ନେତା ହନୁମାନ ବେନିୱାଲ୍, ବସୁନ୍ଧରାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସହ ଭିତିରି ସମ୍ପର୍କରେ ରହି, ରାଜେ ତାଙ୍କୁ ସହଯୋଗ କରୁଥିବା ବେନିୱାଲ୍ ଅଭିଯୋଗ କରିଛନ୍ତି । ଯାହାକୁ ବିଜେପି, ଉପରେ ବିଶ୍ୱାସ କରୁ ନଥିଲେ ମଧ୍ୟ ଭିତରେ ଅବିଶ୍ୱାସ କରିପାରୁନି । କାରଣ, ବସୁନ୍ଧରାଙ୍କ ଅମଳରେ ରାଜସ୍ଥାନରେ ହୋଇଥିବା ଖଣି ଦୁର୍ନୀତିକୁ 2018 ନିର୍ବାଚନ ବେଳେ ପ୍ରମୁଖ ମୁଦ୍ଦା କରିଥିଲେ ସଚିନ୍ ପାଇଲଟ୍ । କଂଗ୍ରେସ କ୍ଷମତାକୁ ଆସିବା ପରେ ଖଣି ଲିଜ୍ ବାତିଲ୍ ହୋଇଛି ସତ, କିନ୍ତୁ ରାଜ୍ୟ ସରକାର ଏଯାଏଁ ସେନେଇ ମାମଲା ରୁଜୁ କରିନାହାନ୍ତି । ସେହଭଳି ରାଜଧାନୀ ଜୟପୁର ବଙ୍ଗଳାକୁ ବସୁନ୍ଧରା ଖାଲି କରିବାକୁ ହାଇକୋର୍ଟ କହିଥିବା ବେଳେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ରାଜ୍ୟ ସରକାର । ଯାହା ଅନେକ କିଛି ସୂଚାଉଛି ।
ଉପ ମୁଖ୍ୟମନ୍ତ୍ରୀ ପଦରେ ନରହିବାକୁ ନେଇ ସଚିନ୍ ପାଇଲଟଙ୍କ ବିଦ୍ରୋହ । ଯାହା ରାଜସ୍ଥାନ ରାଜନୀତିରେ ଏଭଳି ପରିସ୍ଥିତି ସୃଷ୍ଟି କରିଛି । ତେବେ ସେ ଶୀଘ୍ର ବିଜେପିକୁ ଚାଲିଯାଇ, ମୁଖ୍ୟମନ୍ତ୍ରୀ ହେଉନାହାନ୍ତି କାହିଁକି ? କାରଣ ହିସାବ ଦେଖିଲେ, ମୁଖ୍ୟମନ୍ତ୍ରୀ ଆସନ ଯାଏଁ, ବିଜେପିର ହାତ-କାତ ପାଉନି । ବିଜେପିର 72 ବିଧାୟକଙ୍କ ମଧ୍ୟରୁ ବସୁନ୍ଧରା ରାଜେଙ୍କ ପଛରେ 45 ଜଣଙ୍କ ସମର୍ଥନ ଥିବା କୁହାଯାଉଛି । ସେପଟେ ପାଇଲଟଙ୍କ ପଛରେ ମାତ୍ର 18 ବିଧାୟକ ଅଛନ୍ତି । ଏଭଳି ସ୍ଥିତିରେ ଉଭୟ ବିଜେପି ଓ ପାଇଲଟଙ୍କର ପର୍ମୁଟେସନ୍ କମ୍ବିନେସନ୍ ଭୁଲ୍ ହୋଇଯାଉଛି । ପୁଣି କଂଗ୍ରେସ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ପାଇଲଟ୍ ଯଦି ବିଜେପିକୁ ଆସି ପୁଣି ସେହି ଉପ ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ଲାଭ କଣ ? ତାଙ୍କ ଭାବମୂର୍ତ୍ତି ରହିବଟି ? ସେପଟେ ପାଇଲଟଙ୍କୁ ମିଶାଇ 19 ବିଧାୟକ ଯିବା ପରେ ମଧ୍ୟ, ଗେହଲଟଙ୍କ ପଛରେ ରହିଛି 101 ବିଧାୟକଙ୍କ ସମର୍ଥନ । ପୁଣି ବିଏସପିର 6 ବିଧାୟକ, କଂଗ୍ରେସରେ ମିଶିଲେଣି । ଏଭଳି ସ୍ଥିତିରେ ଗେହଲଟଙ୍କ ଗୋଟି ଚାଳନାକୁ ମାନିବାକୁ ପଡ଼ିବ ।
ସ୍ଥିର ସରକାରରେ ବିଦ୍ରୋହର ସ୍ୱର । ଯେଉଁଥି ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏସଓଜି ନୋଟିସ୍ ଜାରି କଲେ ନିଜେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ । ହୋଟେଲରୁ ହାଇକୋର୍ଟ, ସୁପ୍ରିମକୋର୍ଟ ଦେଖି ସାରିଲାଣି ରାଜସ୍ଥାନ ରାଜନୀତି । ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନକୁ ହାଇକୋର୍ଟ ହୋଲ୍ଡରେ ରଖିଥିବା ବେଳେ ଗେହଲଟଙ୍କ ନିକଟ ସମ୍ପର୍କୀୟ ଓ ଭାଇଙ୍କ ଘରେ ଇଡି ମଧ୍ୟ ରେଡ୍ କରି ସାରିଲାଣି । ତଥାପି, ବିଜେପିକୁ ଚ୍ୟାଲେଞ୍ଜ କରି ଚାଲିଛନ୍ତି ଗେହଲଟ୍ । ଆସନ୍ତା 31 ତାରିଖରୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି । କିନ୍ତୁ 21 ଦିନର ନୋଟିସ୍ କଥା କହି ରାଜ୍ୟପାଳ କଲରାଜ ମିଶ୍ରା, 31 ତାରିଖରୁ ଅଧିବେଶନ ପାଇଁ ଅନୁମତି ଦେଉ ନାହାନ୍ତି । ଯାହା ସୂଚାଇ ଦେଉଛି ଯେ, ବିଜେପିର ଡିଲ୍ ପାଇଁ ପରୋକ୍ଷରେ କିଣା ଯାଉଛି ସମୟ ।
ରାଜସ୍ଥାନ କଂଗ୍ରେସରେ ସଚିନ୍ ପାଇଲଟଙ୍କ ଛାଇ ଦେଖିବାକୁ ଚାହୁଁ ନଥିବା ଅଶୋକ ଗେହଲଟ୍, ବର୍ତ୍ତମାନ ସୁଦ୍ଧା ବିଜେପିକୁ ତା ଶୈଳୀରେ ମୁକାବିଲା କରି ଚାଲିଛନ୍ତି । କିଛି ଦିନ ତଳେ ସେ କହିଥିଲେ ଯେ, ସୁନ୍ଦର ଚେହେରା ଏବଂ ଭଲ ଇଂରାଜୀ କହିବା, ରାଜନୀତିରେ ସବୁକିଛି ନୁହେଁ । ପାଇଲଟଙ୍କୁ ଇଙ୍ଗିତ କରି ସେ ଏମିତି କହିଥିଲେ । ଏଭଳି ସ୍ଥିତିରେ ରାଜସ୍ଥାନ ଯଦି ମହାରାଷ୍ଟ୍ର ପ୍ରମାଣିତ ହୋଇଯାଏ, ତେବେ ମୋଦି-ଶାହାଙ୍କୁ ଟକ୍କର ଦେଇ, ପାଇଲଟ୍ ନୁହେଁ ବରଂ ଗେହଲଟ୍ ହିଁ କଂଗ୍ରେସରେ ଅଧିକ ଶକ୍ତିଶାଳୀ ପ୍ରମାଣିତ ହେବେ ।
ଲେଖକ ଜଣେ ମୁକ୍ତବୃତ୍ତ ସ୍ତମ୍ଭକାର। ତାଙ୍କୁ ଯୋଗାଯୋଗ କରିବା ପାଇଁ ମୋବାଇଲ୍ ନମ୍ବର: ୭୩୭୭୨୨୬୦୨୯