ମାତ୍ର ୨ଟି ଆସନରୁ ଦୁନିଆଁର ସବୁଠାରୁ ବଡ଼ ପାର୍ଟି ହୋଇଥିବା ବିଜେପିର ଇତିହାସ
ସଫଳତା ଗୋଟିଏ ଦିନର ପରିଶ୍ରମର ଫଳ ନୁହେଁ। ଏଥିପାଇଁ ବର୍ଷ ବର୍ଷ ଧରି ରକ୍ତକୁ ପାଣି ପରି ବୁହାଇବାକୁ ପଡ଼ିଥାଏ। ନିର୍ବାଚନ ଇତିହାସରେ ବିଜେପି ନଜ ସଫଳତାର କାହାଣୀ ଏଭଳି ଲେଖିଛି। ବିଜେପି ଯେତିକି ବଢ଼ିଛି କଂଗ୍ରେସ ସେତିକି ଛିଡ଼ିଛି। ୧୯୮୪ରେ ୪୧୫ଟି ଆସନରେ ବିଜୟୀ ହୋଇଥିବା କଂଗ୍ରେସ ୨୦୧୪ ବେଳକୁ ଶତ ପ୍ରତିଶତ ହ୍ରାସ ପାଇ ୪୪ ଆସନକୁ ଖସି ଆସିଛି। ୬ଏପ୍ରିଲ ୧୯୮୦ରେ ଗଠିତ ହୋଇଥିବା ବିଜେପି ୧୯୮୪ ଲୋକସଭା ନିର୍ବାଚନରେ ମାତ୍ର ୨ଟି ଆସନରେ ବିଜୟୀ ହୋଇଥିଲା। ଏହାର ୩୦ ବର୍ଷ ପରେ ବିଜେପି ୨୮୨ଟି ଆସନ ପାଇ କ୍ଷମତା ହାସଲ କରିଛି।

ବିଜେପିର ଅଦ୍ଭୁଦୟ ଭାରତୀୟ ଗଣତନ୍ତ୍ରର ଆବଶ୍ୟକ ସର୍ତ୍ତ ଦୁଇ ଦଳୀୟ ବ୍ୟବସ୍ଥାକୁ ମଜଭୁତ କରିବାରେ ସହାୟକ ହୋଇଛି। ତ୍ରିପୁରା, ଉତ୍ତରାଖଣ୍ଡ, ବିହାର, ଗୋଆ, ମଣିପୁର, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ହରିଆନା, ଗୁଜରାଟ, ଝାରଖଣ୍ଡ, ମହାରାଷ୍ଟ୍ର, ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମେଘାଳୟ, ସିକ୍କିମ, ମିଜୋରାମରେ ବିଜେପି ନେତୃତ୍ୱାଧିନ ସରକାର ଗଠନ ହୋଇଛି। ସଂସଦର ଦୁଇଟି ସଦନ ଲୋକସଭା ଓ ରାଜ୍ୟ ସଭାରେ ବିଜେପିର ବର୍ତ୍ତମାନ ୩୪୨ଜଣ ସାଂସଦ ଅଛନ୍ତି।
ଅପରପକ୍ଷରେ ସ୍ୱାଧିନତା ପରଠାରୁ ଦେଶରେ ସର୍ବାଧିକ ଥର ସରକାର ଗଠନ କରିଥିବା କଂଗ୍ରେସର ସଂସଦର ଉଭୟ ସଦନରେ ମାତ୍ର ୯୪ ଜଣ ସାଂସଦ ଅଛନ୍ତି। ଏହାଛଡ଼ା ରାଜସ୍ଥାନ, ପଞ୍ଜାବ, ଛତିଶଗଡ଼, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ସରକାର ଗଠନ କରିଛି।

ଏହା ଗୋଟିଏ ଦିନରେ ସମ୍ଭବ ହୋଇନାହିଁ। ୧୯୮୪ ପରଠାରୁ ବିଜେପି ବିଜୟବାନା ଉଡ଼ାଇବାରେ ସକ୍ଷମ ହୋଇଛି ବୋଲି ନିର୍ବାଚନ ପରିସଂଖାନକୁ ତର୍ଜମା କଲେ ଜଣାପଡୁଛି। ରାଷ୍ଟ୍ରୀୟ ସ୍ତରରେ ବିଜେପିର ସଫଳତାର ମୂଳଦୂଆ ୧୯୯୧-୧୯୯୨ରୁ ପଡ଼ିଛି।
୧୯୯୯ରେ ବିଜେପିର ୫୭ ପ୍ରତିଶତ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏହି ସମୟରେ କଂଗ୍ରେସର ୨୫ ପ୍ରତିଶତ ପ୍ରାର୍ଥୀ ବିଜୟୀ ହୋଇଥିଲେ।
୧୯୯୬ରେ ବିଜେପିର ୩୪.୧୮ ପ୍ରତିଶତ ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ କଂଗ୍ରେସର ୨୬.୪୬ ପ୍ରତିଶତ ବିଜୟୀ ହୋଇଥିଲେ।
୨୦୦୪ରେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ-୧ ସରକାର ଗଠନ କରିଥିବାବେଳେ ବିଜେପିର ୩୮ ପ୍ରତିଶତ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏହି ସମୟରେ କଂଗ୍ରେସର ୩୫ ପ୍ରତିଶତ ପ୍ରାର୍ଥୀ ବିଜୟୀ ହୋଇଥିଲେ।
ଏଇଠୁ ଆରମ୍ଭ

୧୯୮୪ରେ ବିଜେପି ମାତ୍ର ୨ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା। ୧୯୮୪ରେ ସମଗ୍ର ଦେଶରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ନେଇ ଅନୁକମ୍ପା ଲହର ସତ୍ତ୍ୱେ ବି ଆନ୍ଧ୍ରପ୍ରଦେଶର ହନାମକୋଡ଼ାରେ ବିଜେପିର ଚନ୍ଦୁ ପାଟଲା ଜଗା ରେଡ୍ଡୀ କଂଗ୍ରେସର ପି.ଭି ନରସିଂହରାଓ (୧୯୯୧ର ପୂର୍ବତନ ପ୍ରଧାନମନ୍ତ୍ରୀ)ଙ୍କୁ ହରାଇଥିଲେ। ନରସିଂହ ରାଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ।

ଦ୍ୱିତୀୟ ଆସନ ଟି ହେଉଛି ଗୁଜରାଟର ମେହସାଣା ଆସନରେ ବିଜେପି ପ୍ରାର୍ଥୀ ଏକେ ପଟେଲ କଂଗ୍ରେସ ପ୍ରାର୍ଥୀ ରାୟନକା ସାଗରଭାଇ କଲ୍ୟାଣଭାଇଙ୍କୁ ହରାଇଥିଲେ। ବିଜେପିକୁ ସମଗ୍ର ଦେଶରେ ମାତ୍ର ୭.୧ପ୍ରତିଶତ ଭୋଟ ମିଳିଥିଲା।

ବିଜେପିର ସଂଘର୍ଷ
୧୯୮୯ରେ କଂଗ୍ରେସ ୫୧୦ଜଣ ପ୍ରାର୍ଥୀ ଦେଇଥିବାବେଳେ ସେଥିରେ ୧୯୭ଜଣ ବିଜୟୀ ହୋଇଥିଲେ। ସେହି ନିର୍ବାଚନରେ ବିଜେପି ୨୨୫ଜଣ ପ୍ରାର୍ଥୀ ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୮୯ଜଣ ବିଜୟୀ ହୋଇଥିଲେ।
ଏହାପରେ ୧୯୯୧ରେ ହୋଇଥିବା ନିର୍ବାଚନ ବେଳକୁ ରାମ ମନ୍ଦିର ପ୍ରସଙ୍ଗ ସମଗ୍ର ଦେଶକୁ ଆନ୍ଦୋଳିତ କରୁଥିଲା। ଉତ୍ସାହର ଶିଖରରେ ଥିବା ବିଜେପି ୪୭୭ଜଣ ପ୍ରାର୍ଥୀଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରାଇଥିଲା। ସେମାନଙ୍କ ମଧ୍ୟରୁ ୧୨୦ଜଣ ବିଜୟୀ ହୋଇଥିଲେ।
କଂଗ୍ରେସ ୧୯୯୧ ନିର୍ବାଚନରେ ୫୦୦ ପ୍ରାର୍ଥୀ ଛିଡ଼ା କରାଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୯ ପ୍ରତିଶତ ଆର୍ଥାତ୍ ୨୪୪ଜଣ ବିଜୟୀ ହୋଇଥିଲେ।
୧୯୯୬ର ନିର୍ବାଚନ ବିଜେପି ପାଇଁ ଐତିହାସିକ ଥିଲା। ସେହି ବର୍ଷ ବିଜେପି ନେତୃତ୍ୱାଧିନ ଏନଡ଼ିଏ କେନ୍ଦ୍ରରେ ସରକାର ଗଠନ କରିଥିଲା। ନିର୍ବାଚନରେ ସବୁଠାରୁ ଅଧିକ ଆସନ ପାଇଥିବାରୁ ରାଷ୍ଟ୍ରପତି ବିଜେପି ନେତା ଅଟଳ ବିହାରୀ ବାଜପାୟୀଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରିତ କରିଥିଲେ। ବାଜପାୟୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ମାତ୍ର ୧୩ ଦିନ ପରେ ତାଙ୍କ ସରକାର ବହୁମତ ଅଭାବରୁ ଭାଙ୍ଗିଯାଇଥିଲା।
୧୯୯୮ରେ ବିଜେପିକୁ ପୁଣି ସପଳତା ମିଳିଲା। ସେହି ନିର୍ବାଚନରେ ବିଜେପି ୧୮୨ଟି ଆସନରେ ବିଜୟୀ ହୋଇଥିଲାବେଳେ କଂଗ୍ରେସ ୧୪୧ଟି ଆସନରେ ବିଜୟୀ ହୋଇଥିଲା। ପୁଣି ଏନଡ଼ିଏ ନେତା ଅଟଳ ବିହାରୀ ବାଜପାୟୀଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ମିଳିଲା। ବାଜପାୟୀଙ୍କ ଏହି ସରକାର ୧୩ମାସରେ ଭାଙ୍ଗିଯାଇଥିଲା। ଏନଡ଼ିଏର ସହଯୋଗୀ ଏଆଇଏଡ଼ିଏମକେ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରି ନେବାରୁ ବାଜପାୟୀ ସରକାର ୧୭ଏପ୍ରିଲ ୧୯୯୯ରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଥିବା ଗିରିଧାରୀ ଗମାଙ୍ଗଙ୍କ ଏକମାତ୍ର ଭୋଟ ଯୋଗୁ ଭାଙ୍ଗିଯାଇଥିଲା। କାରଣ ଗିରିଧାରୀ ଗମାଙ୍ଗ ସେ ପର୍ଯ୍ୟନ୍ତ ଲୋକସଭାରୁ ଇସ୍ତଫା ଦେଇନଥିବାରୁ ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ୱେ ଅନାସ୍ଥା ପ୍ରସ୍ତାବରେ ଅଂଶ ଗ୍ରହଣ କରି ଭୋଟ ଦେଇଥିଲେ।
୧୯୯୯ରେ ବିଜେପି ପୁଣି ବାଜପାୟୀଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିଲା। ଏହି ନିର୍ବାଚନରେ ବିଜେପି ୩୩୯ପ୍ରାର୍ଥୀ ଛିଡ଼ା କରାଇ ୧୮୨ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସର ୧୧୪ ଜଣ ପ୍ରାର୍ଥୀ ବିଜୟୀ ହୋଇଥିଲେ। ବିଜେପି ପୁଣି ଥରେ ସହଯୋଗୀମାନଙ୍କ ସମର୍ଥନରେ ସରକାର ଗଠନ କରିବାରେ ସଫଳ ହୋଇଥିଲା। ବାଜପାୟୀ ଏହି ଅଣ କଂଗ୍ରେସ ସରକାର ପ୍ରଥମ ଥର ପାଇଁ ତାର କାର୍ଯ୍ୟକାଳ ପୁରା କରିଥିଲା।
୨୦୦୪ରେ ଓ ୨୦୦୯ରେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ମେଣ୍ଟ ବିଜୟୀ ହୋଇଥିଲା। ୨୦୧୪ରେ ଏନଡ଼ିଏ ମେଣ୍ଟ ପୁଣି କ୍ଷମତାକୁ ଫେରିଥିଲା। ୧୯୮୯ ପରେ ଏହା ପ୍ରଥମ ଥର ପାଇଁ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିଥିଲା। ୨୦୧୪ ନିର୍ବାଚନରେ ବିଜେପିକୁ ୨୮୨ଟି ଆସନ ମିଳିଥିବାବେଳେ ଏନଡ଼ିଏକୁ ୩୩୬ଟି ଆସନ ମିଳିଥିଲା। ଅପରପକ୍ଷରେ କଂଗ୍ରେସକୁ ୪୪ଟି ଓ ୟୁପିଏକୁ ୫୯ଟି ଆସନ ମିଳିଥିଲା।
ଦକ୍ଷିଣ ଭାରତରେ ପଦ୍ମ
୨୦୦୮ ବିଜେପି ପାଇଁ ଐତିହାସିକ ବର୍ଷଥିଲା। ସେହି ବର୍ଷ କର୍ଣ୍ଣାଟକ ନିର୍ବାଚନରେ ବିଜେପି ୧୧୦ଟି ବିଧାନସଭା ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା। କର୍ଣ୍ଣାଟକ ପ୍ରଥମ ଦକ୍ଷିଣ ଭାରତୀୟ ରାଜ୍ୟ ଯେଉଁଠି ବିଜେପି ସରକାର ଗଠନ କରିଥିଲା।