ବିଜେପିର ଲକ୍ଷ୍ୟ କେବଳ ଲୋକସଭା
ଓଡ଼ିଶାରେ ମିଶନ ୧୨୦ଙ୍ଘର ସ୍ଲୋଗାନ ଦେଉଥିିବା ନେତାମାନଙ୍କର ସ୍ୱର ଏବେ ବଦଳିବାରେ ଲାଗିଲାଣି। ଏହି ୧୨୦ଙ୍ଘ ସ୍ଳୋଗାନ ସଫଳ ହୋଇପାରିବ ନାହିଁ ବୋଲି ଜାଣିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ସମେତ ଅନ୍ୟମାନେ ଏବେ କିପରି ଅଧିକରୁ ଅଧିକ ଲୋକସଭା ଆସନ ଅକ୍ତିଆର କରିହେବ ସେ ଦିଗରେ ଧ୍ୟାନ ଦେଉଥିବା ଜଣାପଡ଼ିଲାଣି। ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ଏଭଳି ସଙ୍କେତ ଦେଇଛନ୍ତି।
ଶ୍ରୀ ଶାହଙ୍କ ଯେଉଁ ସଙ୍କେତ ଦେଇଛନ୍ତି ତାହା ଯଦି ସତ୍ୟ ହୁଏ ତେବେ ଆଗାମୀ ଦିନରେ ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ନିର୍ବାଚନୀ ବୁଝାମଣା ହୋଇପାରେ। ତେଣୁ ବିଜେପି ନେତାମାନେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି। ଯାହାକି ଏବେ ବିଜେପିର ନିର୍ବାଚନୀ ରଣନୀତିରୁ ସ୍ପଷ୍ଟ ପ୍ରମାଣିତ ହେବାରେ ଲାଗିଛି।
ଉତ୍ତର ଭାରତରେ ବିଜେପିର ହେବାକୁଥିବା ସମ୍ଭାବ୍ୟ କ୍ଷତିକୁ ପଶ୍ଚିମବଙ୍ଗ ଓ ଓଡ଼ିଶାରୁ ଭରଣ କାରିବା ପାଇଁ ଯୋଜନା ପଶ୍ଚିମବଙ୍ଗରେ ଦଳ ଯେଭଳି ଆକ୍ରଣାତ୍ମକ ଆଭିମୁଖ୍ୟ ପୋଷଣ କରିଛି ଓଡ଼ିଶାରେ ଠିକ୍ ତା’ର ଓଲଟା ରଣନୀତି ଆପଣାଇଛି। ନବୀନଙ୍କ ପ୍ରତି କୋହଳ ମନୋଭାବ ଭବିଷ୍ୟତରେ ମେଣ୍ଟ ପାଇଁ ମାର୍ଗ ପ୍ରଶସ୍ତ କରାଯାଉଛି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଶ୍ରୀ ଶାହା ଅତ୍ୟନ୍ତ ଚତୁରତାର ସହ ଏଡ଼ାଇ ଯାଇଛନ୍ତି।
ନୂଆଦିଲ୍ଲୀରେ ଏକ ଜାତୀୟ ଟିଭି ଚ୍ୟାନେଲର ଗୋଟିଏ କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରୀ ଶାହ କହିଛନ୍ତି ଯେ, ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ ଶାସନ ପରିବର୍ତ୍ତନର ଦ୍ୱାରଦେଶରେ ବିଜେପି ଛିଡ଼ା ହୋଇଛି। ଓଡ଼ିଶାରେ ବି ଦଳର ବ୍ୟାପକ ସଂଗଠନ ରହିଛି। ନିର୍ବାଚନରେ ଜିତିବା ପାଇଁ ବିଜେପି ନିଜର ସମସ୍ତ ଶକ୍ତି ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଲଗାଇବ। ପୁରା ଦମରେ ଦଳ ଓଡ଼ିଶାରେ ଲଢ଼ିବ ଓ ଲୋକସଭା ନିର୍ବାଚନରେ ରାଜ୍ୟରୁ ଅଧିକ ସିଟରେ ବିଜୟୀ ହେବ। ମମତାଙ୍କ ପ୍ରତି ବିଜେପି ଯେଭଳି ରୁକ୍ଷ ହେଉଛି ସେପରି ଆଚରଣ ନବୀନଙ୍କ ପ୍ରତି କାହିଁକି ବିଜେପି ଦେଖାଉନି ଓ ଭବିଷ୍ୟତରେ ଦୁଇଦଳ ମଧ୍ୟରେ ମେଣ୍ଟ ହେବ କି ବୋଲି ପ୍ରଶ୍ନକୁ ଶ୍ରୀ ଶାହ ଚତୁରତା ସହ ଏଡ଼ାଇ ଯାଇଛନ୍ତି।
ତେବେ ଶ୍ରୀ ଶାହଙ୍କ ବୟାନ ଆଗାମୀ ଦିନରେ ଓଡ଼ିଶା ପ୍ରସଙ୍ଗରେ ବିଜେପି ଓ ବିଜେଡି ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଗୋପନ ବୁଝାମଣାକୁ ଇଙ୍ଗିତ କରାଉଛି। କାରଣ ନିର୍ବାଚନୀ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଗସ୍ତରେ ଆସି ମଧ୍ୟ ନବୀନଙ୍କ ପ୍ରସଙ୍ଗରେ ମୁହଁ ଖୋଲୁନଥିବାରୁ ଦୁଇ ଦଳ ମଧ୍ୟରେ ସମ୍ଭାବ୍ୟ ବୁଝାମଣାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏବେ ଶ୍ରୀ ଶାହଙ୍କ ଏଭଳି ଇସାରା ଏହି ଚର୍ଚ୍ଚାକୁ ଅଧିକ ଜୀବନ୍ତ କରାଇଛି।
ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେଡି ନିଜର ରାଜନୀତିକୁ ଓଡ଼ିଶା କେନ୍ଦ୍ରିତ କରିବାକୁ ଚାହୁଁଥିବାବେଳେ ବିଜେପି କେନ୍ଦ୍ରରେ କିଭଳି କ୍ଷମତାକୁ ଆସିବ ସେଥିପାଇଁ ରଣନୀତି ପ୍ରସ୍ତୁତ କରୁଛି। ତେଣୁ ଉଭୟ ଦଳ ଆଗାମୀ ନିର୍ବାଚନରେ ପରସ୍ପର ବିରୁଦ୍ଧରେ ଲଢ଼େଇ କଲେ ମଧ୍ୟ ତାହା ସେମାନଙ୍କର ନିର୍ଦ୍ଧାରିତ ଲକ୍ଷ୍ୟ ଆଧାରିତ ହେବ।