ଦଳଡିଆଁ ସମର୍ଥକ ଉପରେ ବିଜେପିର ନଜର

ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ରାଜନୀତିରେ ଏବେ ଦଳଡିଆଁ ପର୍ବ ଚରମସୀମାରେ ପହଞ୍ଚିଛି । ଏ କ୍ଷେତ୍ରରେ କଂଗ୍ରେସ ଓ ବିଜେଡି ସବୁଠାରୁ ଆଗରେ ଅଛନ୍ତି। ମହାମାରୀ ବ୍ୟାପିବା ଭଳି କଂଗ୍ରେସରୁ ଜଣଙ୍କ ପରେ ଜଣେ ଭବିଷ୍ୟତ ସୁରକ୍ଷା ସହିତ ଆଗାମୀ ଦିନରେ ମନ୍ତ୍ରୀ ହେବା ନିଶାରେ ଶାସକ ବିଜେଡ଼ିକୁ ଡିଆଁ ମାରିବାରେ ଲାଗିଛନ୍ତି । ଆଗାମୀ ଦିନରେ କଂଗ୍ରେସ ନେତାମାନଙ୍କର ଏହି ଦଳ ଡ଼ିଆଁ ପ୍ରକ୍ରିୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ ଏଭଳି ସ୍ଥିତିରେ କଂଗ୍ରେସ ଓ ବିଜେଡ଼ିର ଅସନ୍ତୁଷ୍ଟଙ୍କ ଉପରେ ଏବେ ବିଜେପି ନଜର ପକାଇଛି। ଏମାନଙ୍କ ସମର୍ଥନ ମିଳିଲେ ସେହିସବୁ ଅଞ୍ଚଳରେ ଅଧିକ ପଦ୍ମ ଫୁଟିବ ବୋଲି ଏହି ଜାତୀୟ ଦଳ ଆଶାବାନ୍ଧିଛି।

ନଗଦ ଉପରେ କଂଗ୍ରେସରୁ ଏହାର କାର୍ଯ୍ୟକାରୀ ସଭାପତି ତଥା ଝାରସୁଗୁଡା ବିଧାୟକ ନବ ଦାସ ଦଳ ଛାଡି ବିଜେଡିକୁ ଯିବେ ବୋଲି ସ୍ପଷ୍ଟ କରିଛନ୍ତି। ନବ ବିଜେଡିକୁ ଯିବା ଘୋଷଣା କରିବାପରେ ଝାରସୁଗୁଡା ସମେତ ସମଗ୍ର ପଶ୍ଚିମଓଡିଶାରେ ବିଜେଡି ଶିବିରରେ ଦେଖା ଦେଇଛି ଅଶାନ୍ତି। ଟାଣୁଆ ବିଜେଡି ନେତା ତଥା ପଶ୍ଚିମଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତିଙ୍କୁ ଇତିମଧ୍ୟରେ ବିଜେଡି କିଛିଟା ମନାଇଥିଲେ ବି ଝାରସୁଗୁଡା ନିର୍ବାଚନମଣ୍ଡଳୀରେ ଉଭୟ କଂଗ୍ରେସ ଓ ବିଜେଡିର ଅନେକ ନେତା ଅସନ୍ତୁଷ୍ଟ ଅଛନ୍ତି। ଦୀର୍ଘଦିନ ଧରି ପରସ୍ପର ବିରୁଦ୍ଧରେ ଲଢୁଥିବା ଏହିନେତାମାନେ ହଠାତ୍ ପରସ୍ପର କାନ୍ଧରେ ହାତ ପକାଇ ଚାଲିପାରିବେନାହିଁ ବୋଲି ଖୋଲାଖୋଲି କହୁଛନ୍ତି।

ଅନୁରୂପ ଅବସ୍ଥା ସୁନ୍ଦରଗଡରେ। ବିଧାୟକ ଯୋଗେଶ ସିଂହ କଂଗ୍ରେସରୁ ଇସ୍ତଫା ଦେଇଥିବାବେଳେ ସିଏ ଯଦି ବିଜେଡିକୁ ଯିବେ ତେବେ ସେଠାରୁ କଂଗ୍ରେସ ଓ ବିଜେଡିର ଗୋଟିଏ କରି ଗୋଷ୍ଠି ଅସନ୍ତୁଷ୍ଟ ତାଲିକାରେ ନାମ ଲେଖାଇବେ। ସେମାନେ ଯୋଗେଶଙ୍କ ସହିତ ଏତେ ସହଜରେ ଯାଇପାରିବେ ନାହିଁ। ସେହିଭଳି ଅବସ୍ଥା ରହିଛି ଦିଲ୍ଲୀପରାୟ ବିଧାୟକ ପଦ ଛାଡିବାପରେ ରାଉରକେଲାରେ। ସିଏ ଯଦି ବିଜେଡିକୁ ଯିବେ ତେବେ ରାଉରକେଲା ବିଜେଡିର ଗୋଟିଏ ଗୋଷ୍ଠି ଦଳ ଛାଡିପାରେ। ବିଜୟ ମହାପାତ୍ର ବିଜେପିକୁ ବାଏ ବାଏ କରିବାପରେ କେନ୍ଦ୍ରାପଡାରେ ବି ଅନୁରୂପ ସ୍ଥିତି।

ଇତି ମଧ୍ୟରେ ବିଜେଡିରେ ଆଉ ତିନି ଚାରିଜଣ କଂଗ୍ରେସ ଓ ବିଜେପି ବିଧାୟକ ମିଶିବା ନେଇ ବି ଆଲୋଚନା ହେଉଛି। ଯଦି ଏମାନେ ହଠାତ୍ ବିଜେଡିରେ ମିଶି ଟିକଟ ହାତେଇ ନେବେ ତେବେ ସେଠାରେ ଟିକଟ ଆଶାରେ ଖଟୁଥିବା ନେତାମାନେ ଅସନ୍ତୁଷ୍ଟ ହେବା ଏକପ୍ରକାର ନିଶ୍ଚିତ। ତେଣୁ ଏହି ନେତାମାନଙ୍କୁ ଏବେ ଠାରୁ ଟାର୍ଗେଟ କଲାଣି ବିଜେପି। ଯଦି ସଫଳତାର ସହ ବିଜେପି ଏହି ଗୋଟି ଚଳାଇବ ତେବେ ବହୁ ଅସନ୍ତୁଷ୍ଟଙ୍କୁ ନିଜ ପଟକୁ ଆଣିପାରିବ ବୋଲି କୁହାଯାଉଛି। ତେବେ ବିଜେପି ଏହି ଦଳଡିଆଁ ଓ ତାଙ୍କ ସମର୍ଥକମାନଙ୍କୁ କେତେ ମାତ୍ରାରେ ନିଜ ପଟକୁ ଆଣିପାରିବ ତାହା ଆଗାମୀ ଦିନରେ ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *