କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ ରାଜ୍ୟ ବଜେଟ୍ :ବିଜେପି
ଭୁବନେଶ୍ୱର,(ଓଟି): ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିବା ବଜେଟ୍କୁ ନୈରାଶ୍ୟ ଜନକ ବୋଲି ଅଭିହିତ କରିଛି ରାଜ୍ୟ ବିଜେପି । ବଜେଟରେ କିଛି ନୂଆ ଘୋଷଣା ନାହିଁ । ବଜେଟ ଯେତେବେଳେ ଆସେ ସେତେବେଳେ ସାଧାରଣ ଲୋକମାନଙ୍କର ଗୋଟିଏ ଉଦବେଗ ଥାଏ ଏହି ବଜେଟରେ ନୁଆ କଣ ଅଛି ? ହେଲେ ଚଳିତ ବଜେଟରେ କିଛି ନୂତନତ୍ୱ ନାହିଁ । ବିଶେଷ ଭାବରେ ମହିଳା ଆର୍ଥୀକ ସଶକ୍ତି କରଣ, ନିଯୁକ୍ତି ଓ ଆତ୍ମ ନିଯୁକ୍ତି ସୃଷ୍ଟି କରିବା, ନୂଆ ଶିଳ୍ପ ଉଦ୍ୟୋଗୀ ତିଆରି କରିବା, ଜନଜାତି ବର୍ଗର ବିକାଶ, କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ, କୃଷି ଆଧାରିତ ଶିଳ୍ପ ପ୍ରତିଷ୍ଠା ଆଦି କ୍ଷେତ୍ରରେ ବଜେଟରେ କିଛି ନାହିଁ । ଲୋକମାନଙ୍କୁ ଭ୍ରମିତ କରିବା ପାଇଁ ଏହି ବଜେଟରେ ଭରପୁର ପ୍ରୟାସ କରାଯାଇଛି ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଚଳିତ ବଜେଟ ହେଉଛି ଏକ କେନ୍ଦ୍ରୀୟ ଯୋଜନା ଆଧାରିତ ଓ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ ବଜେଟ । ରାଜ୍ୟର ବଜେଟ ପରିମାଣ ସମୁଦାୟ ୧,୩୯,୦୦୦ କୋଟି ହୋଇଥିଲା ବେଳେ ସେଥିରୁ କେନ୍ଦ୍ରୀୟ ଅନୁଦାନ ଓ ଟିକସର ପରିମାଣ ହେଉଛି ହେଉଛି ୬୯,୭୬୬ କୋଟି ଯାହା ହେଉଛି ବଜେଟର ୫୦ ପ୍ରତିଶତ । ରାଜ୍ୟର ନିଜସ୍ୱ ଆୟ ହେଉଛି ୪୫,୫୦୦ କୋଟି ଯାହା କେନ୍ଦ୍ରୀୟ ଅନୁଦାନ ଠାରୁ ୨୪,୨୬୬ କୋଟି କମ୍ । ଖାଲି ସେତିକି ନୁହେଁ ରାଜ୍ୟର ନିଜସ୍ୱ ଆୟ ଯାହା ଅଛି ତାହା ସରକାରଙ୍କର ଦରମା ପେନସନକୁ ବି ନିଅଂଟ । ଦରମା ପେନସନ ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ୫୭,୩୧୦ କୋଟି ଟଙ୍କା । ଯେଉଁ ସରକାର କର୍ମଚାରିଙ୍କ ଦରମା ଓ ପେନସନ ବାବଦ ଖର୍ଚ୍ଚବି ନିଜସ୍ୱ ଆୟରୁ ଭରଣା କରିବାରେ ଅସମର୍ଥ ସେ ସରକାର ରାଜ୍ୟରେ କିପରି ବିକାଶ କରିବ ?
ରାଜ୍ୟରେ ଯାହା ବିକାଶ ମୂଳକ କାମ ହେବ, ଯୋଜନା ଓ ଅଣଯୋଜନା ବାବଦରେ ଯାହା ବି ଖର୍ଚ୍ଚ କରିବେ ରାଜ୍ୟ ସରକାର ସେଥିପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ରୀୟ ଟିକସ ଅର୍ଥରେ ହିଁ କରିବେ ।
ଚଳିତ ୨୦୧୯-୨୦ ବଜେଟରେ ରାଜ୍ୟ ସରକାର ଋଣ କରିବେ ୨୩,୭୩୪ କୋଟି ଟଙ୍କା । ଚଳିତ ବଜେଟରେ ମୋଟ ବଜେଟର ୧୭ ପ୍ରତିଶତ ହେଉଛି ଋଣ କରିଥିବା ଅର୍ଥ । ଏବେ ରାଜ୍ୟର ମୋଟ ଋଣ ଭାର ୧ ଲକ୍ଷ କୋଟି ଟଙ୍କା ଛୁଇଁଗଲା । ଓଡିଶା ଏବେ ବଡ ଆର୍ଥୀକ ଅସମ୍ଭାଳ ପରିସ୍ଥିତି ଆଡେ ମୁହାଁଉଛି । କାରଣ ଆମର ବାର୍ଷୀକ ବଜେଟ ଦେଖିଲା ବେଳକୁ ଋଣର ପରିମାଣ ଦିନକୁ ଦିନ ବଢିବାରେ ଲାଗିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଯୋଜନା ବ୍ୟୟର ବୃଦ୍ଧି ହାର କମିଛି । ୨୦୧୮-୧୯ ରେ ଯୋଜନା ବ୍ୟୟ ଥିଲା ୬୭ ହଜାର କୋଟି । ୨୦୧୯-୨୦ରେ ଏହା ମାତ୍ର ୨,୭୬୬ କୋଟି ଟଙ୍କା ବଢି ୭୦,୬୦୦ କୋଟିରେ ପହଂଚିଛି । ୨୦୧୮-୧୯ର ମୋଟ ବଜେଟ ଅପେକ୍ଷା ୨୦୧୯-୨୦ ମୋଟ ବଜେଟରେ ୧୫% ବୃଦ୍ଧି ପାଇଛି । ସେହି ଅନୁସାରେ ଯୋଜନା ବ୍ୟୟ ମଧ୍ୟ ୧୫% ବୃଦ୍ଧି ପାଇବା କଥା । ହେଲେ ଆଶ୍ଚର୍ଯ୍ୟର ବିଷୟ ଏହା ବଢିଛି ମାତ୍ର ୪% । ରାଜ୍ୟର ଭିତିଭୁମି ବିକାଶଠାରୁ ଆରମ୍ଭ କରି ସମସ୍ତ ଜନକଲ୍ୟାଣ ଯୋଜନା ସବୁ ଯୋଜନା ବ୍ୟୟରୁ ହିଁ ହୋଇଥାଏ । ହେଲେ ଏହି ଯୋଜନା ବ୍ୟୟକୁ ବୃଦ୍ଧି କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି