ସ୍ମିତାରାଣୀ ଗଣଦୁଷ୍କର୍ମ: ‘ଅଭିଯୁକ୍ତ ରୂପେଶ ନାଁରେ ଚାର୍ଜଶିଟ୍ କୋହଳ କରିଛି ପୁଲିସ’
ଭୁବନେଶ୍ୱର, (ଓଟି): ପୁଣିଥରେ ସ୍ମିତାରାଣୀ ଗଣଦୁଷ୍କର୍ମ ଘଟଣାକୁ କେନ୍ଦ୍ରକରି ଯାଜପୁର ଜିଲ୍ଲା ପୁଲିସକୁ ସିଧାସିଧା ଆକ୍ଷେପ କରିଛି ବିଜେପି । ଯାଜପୁର ଏସ୍ପିଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ପୁଲିସ ଜାଣିଶୁଣି ଚାର୍ଜଶିଟ୍ ଦୁର୍ବଳ କରିଛି । ଏଥିରେ ଗୋଟିଏ ମାତ୍ର ଏଜେଣ୍ଡା ରହିଛି ମୁଖ୍ୟ ଅଭିଯୁକ୍ତ ରୁପେଶ ଭଦ୍ରାକୁ ଖସାଇବା । ସେ ବିଜେଡିର କର୍ମୀ ହୋଇଥିବାରୁ ପୁଲିସ ଉପରେ ଚାପ ପଡ଼ୁଛି ଆଉ ଏସ୍ପି ଦଳୀୟ ଏଜେଣ୍ଟ ପରି କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।
ଯାଜପୁର ଜିଲ୍ଲା ଧର୍ମଶାଳା- ହରିଦାସପୁର ପଂଚାୟତର ପିଇଓ ଭାବେ କାର୍ଯ୍ୟକରୁଥିଲେ ସ୍ମିତାରାଣୀ । ଅଢେଇ ମାସ ତଳେ ତାଙ୍କ ମୃତଦେହକୁ ରୂପେଶଙ୍କ ଫାର୍ମ ହାଉସ୍ରୁ ଠାବ କରାଯାଇଥିଲା । ତାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ସେତେବେଳେ ଏହି ଅଭିଯୋଗକୁ ଚାପି ଦେବାକୁ ପୁଲିସ ଉଦ୍ୟମ କରୁଛି ବୋଲି ଅଭିଯୋଗ ହୋଇଥିଲା । ଲେଖାଶ୍ରୀ କହିଛନ୍ତି, ଏହି ହତ୍ୟାକାଣ୍ଡର ରହସ୍ୟ ଖୋଲିବାରେ ଏଯାଏ ବିଫଳ ରହିଛି ଯାଜପୁର ପୁଲିସ । ପୂର୍ବରୁ ଏହି ହତ୍ୟା ଘଟଣାରେ ଯାଜପୁର ଏସ୍ପି ମୃତା ସ୍ମିତାରାଣୀର ଚରିତ୍ର ପ୍ରସଙ୍ଗ ଉଠାଇ କରି ଘଟଣାକୁ ଏକ ନୂଆ ମୋଡ ଦେଇଥିଲେ । ଆଉ ଏବେ ଯାଜପୁର ପୋଲିସ ତୃତୀୟ ମହଲା ଇଙ୍ଗିତରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ହେଫାଜତକୁ ନନେଇ ଜାଣିଶୁଣି ଦୁର୍ବଳ ଚାର୍ଜସିଟ କରି ରୂପେଶ ଭଦ୍ରକୁ ଜାମିନ ଦେବାର ଷଡଯନ୍ତ୍ର କରିଛି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ପୋଲିସ ରୂପେଶ ଭଦ୍ରଙ୍କୁ ଗିରଫ କରିଛି କିନ୍ତୁ ତାକୁ ହେଫାଜତକୁ ନେଇ ନାହିଁ । କେଉଁ ଆଧାରରେ ପୋଲିସ ୨୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କଲା? ମୁଖ୍ୟ ଅପରାଧୀକୁ ପୋଲିସ ହେଫାଜତକୁ ନନେଇ କିପରି ଚାର୍ଜସିଟ ତିଆରି କଲା? ମୃତା ସ୍ମିତାରାଣୀଙ୍କ ପୋଷ୍ଟମଟମ ରିପୋର୍ଟ ଅନୁଯାୟୀ ସ୍ମିତାରାଣୀଙ୍କୁ କେହି ତଣ୍ଟିଚିପି ହତ୍ୟା କରିଛନ୍ତ କିମ୍ବା ବେକରେ ରଶି ଲଗାଇ ସ୍ମିତାରାଣୀଙ୍କୁ ହତ୍ୟା କରିଥାଇ ପାରେ । ଏହା ଆତ୍ମହତ୍ୟା ନୁହେଁ । କିନ୍ତୁ ପୋଲିସ ଘଟଣାର ୩ ଦିନ ପରେ ଏହାକୁ ଆତ୍ମହତ୍ୟାର ରୂପ ଦେଇ ଘଟଣାକୁ ଦିଗହରା କରିବାକୁ ବସିଥିଲା ବୋଲି ଲେଖାଶ୍ରୀ କହିଛନ୍ତି ।
ସ୍ମିତାରାଣୀ ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଯାଜପୁର ଏସପିଙ୍କୁ କିଏ ନିର୍ଦ୍ଦେଶ ଦେଇଥିଲେ? କାହା ନିର୍ଦ୍ଦେଶରେ ପୋଲିସ କେବଳ ରୂପେଶ ଭଦ୍ରଙ୍କୁ ଗିରଫ କରି ବାକି ଘଟଣାସ୍ଥଳରେ ଉପସ୍ଥିତ ଥିବା ୪ ଜଣ ବିଜେଡିର ପ୍ରତିନିଧୀ ଏବଂ ରାମକୋର ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କୁ ପୋଲିସ ତଦନ୍ତ ପରିସରଭୃକ୍ତ କଲା ନାହିଁ? କେଉଁ ଆଧାରରେ ଯାଜପୁର ଏସପି ୩ ଦିନ ଭିତରେ ଏହାକୁ ଆତ୍ମହତ୍ୟାର ରୂପ ଦେଲେ ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ହରିଦାସପୁର ପଂଚାୟତର ଅନେକ ଜମି ରାମକୋ ବେଆଇନ ଭାବେ ଜବରଦଖଲ କରିଛି । ଶ୍ମଶାନ ଜମି, ଗୋଚର ଜମି, ଅନାବଦି ଜମି, ଦେବୋତର ଜମି ଏବଂ ଜଙ୍ଗଲ କିସମ ଜମିକୁ ରାମକୋ ନିଜ ଜମିରେ ସାମିଲ କରାଇଛି । ଏହି ସମସ୍ତ ବେଆଇନ ଜବରଦଖଲ ଜମିକୁ ଆଇନସମ୍ମତ କରିବା ପାଇଁ ପିଇଓ ସ୍ମିତାରାଣୀଙ୍କୁ ଉପରେ ଚାପ ପ୍ରୟୋଗ କରାଯାଉଥିଲା । ମୃତା ସ୍ମିତାରାଣୀ ଏଥିରେ ଅମଙ୍ଗ ହେବାରୁ ରଙ୍ଗଶାଳାରେ ତାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି । ହତ୍ୟାକାଣ୍ଡକୁ ବାଟବଣା କରିବା ପାଇଁ ତୃତୀୟ ମହଲାର ଚାପ ରହିଛି । ସେଥିଲାଗି ଓଡିଶାର ପୂର୍ବତନ ଡିଜି ବି.କେ ଶର୍ମାଙ୍କ ବଦଳି କରାଗଲା । ସ୍ମିତାରାଣୀ ଏବଂ ରାମକୋ ଜମି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ବିଜେଡି ମୁଖପାତ୍ର ବ୍ୟକ୍ତିଗତ ଆରୋପ ଲଗାଇ ଘଟଣାକୁ ଅନ୍ୟ ମୋଡ ଦେବାକୁ ଅପଚେଷ୍ଟା କରୁଛନ୍ତି ବୋଲି ଡ. ସାମନ୍ତସିଂହାର କହିଛନ୍ତି ।
ରାମକୋର ବେଆଇନ ଜମି ଜବର ଦଖଲ ଏବଂ ସ୍ମିତାରାଣୀ ହତ୍ୟାକାଣ୍ଡରେ ରାମକୋ ଅଧିକାରୀ ଓ ୪ ଜଣ ବିଜେଡି ପ୍ରିତିନିଧୀଙ୍କ ଭୂମିକାକୁୁ ତଦନ୍ତ ପରିସରଭୃକ୍ତ କରାଯାଉ । ରାଜ୍ୟସରକାର ଏବଂ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ନିବିଡ ଭାବେ ସଂପୃକ୍ତ ଅଛନ୍ତି ଏବଂ ଦୋଷୀ ମାନଙ୍କୁୁ ଘଂଟ ଘୋଡାଇବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରିଆସିଛନ୍ତି । ଏଣୁ କେବଳ ସିବିଆଇ ତଦନ୍ତ ହେଲେ ହିଁ ସମସ୍ତ ଘଟଣାର ପର୍ଦ୍ଦାଫାଶ ହେବା ସହ ସ୍ମିତାରାଣୀ ଏବଂ ଓଡିଶାର ସମସ୍ତ ମହିଳାମାନଙ୍କୁ ନ୍ୟାୟ ମିଳିପାରିବ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।