୭୫ବର୍ଷ ବୟସ୍କ ନେତାଙ୍କୁ ପୁଣି ବିଜେପି ଟିକଟ ମିଳିବ
ଭୁବନେଶ୍ୱର,(ଓଟି): ଆଗାମୀ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏଥିପାଇଁ ସବୁ ଦଳର ସାଂସଦମାନେ ପୁଣି ଥରେ ନିର୍ବାଚନ ଲଢ଼ିବା ପାଇଁ ଟିକଟ ପାଇବା ଆଶାରେ ଚିନ୍ତିତ ହୋଇପଡ଼ିଲେଣି। ଆଗାମୀ ନିର୍ବାଚନରେ ଅନେକ ବରିଷ୍ଠ ନେତା ନିର୍ବାଚନ ନଲଢ଼ିବାର ଆଶଙ୍କା ମଧ୍ୟ ସୃଷ୍ଟି ହେଲାଣି। ବରିଷ୍ଠ ରାଜନେତାମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ନେତା ବିଜେପିରେ ଅଛନ୍ତି। ବିଜେପିରେ ୭୫ବର୍ଷରୁ ଅଧିକ ବୟସ୍କ ନେତାଙ୍କୁ ମନ୍ତ୍ରୀ କରାଯାଇନଥିଲେ ହେଁ ଆଗାମୀ ନିର୍ବାଚନରେ ସେମାନଙ୍କୁ ପ୍ରତିଦ୍ୱନ୍ଦ୍ୱୀତାରୁ ବାରଣ କରିବ ନାହିଁ ବୋଲି ଜଣାପଡ଼ିଛି।

ଆଗାମୀ ନିର୍ବାଚନରେ ବୟସ୍କ ନେତାମାନଙ୍କୁ ଆଗାମୀ ନିର୍ବାଚନରେ ଟିକଟ ମିଳିବ ନାହିଁ ବୋଲି ବିଜେପି ପକ୍ଷରୁ ସ୍ଥିର କରାଯାଇଥିଲା। ଏପରିକି ଏହି ନେତାମାନଙ୍କୁ ପାର୍ଟିର କୌଣସି ପଦପଦବୀରେ ରଖାଯାଇନାହିଁ। ଫଳରେ ବୟସ୍କ ନେତା ସୁଷମା ସ୍ୱରାଜ, ଉମା ଭାରତୀ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିସାରିଲେଣି। ପାର୍ଟି ଯାହା ନିଷ୍ପତ୍ତି ନେବ ସେମାନେ ତାହାକୁ ମାନିବେ ବୋଲି ମଧ୍ୟ କହିଛନ୍ତି। ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ, ମୂରଲୀମନୋହାର ଯୋଶୀ, ଲାଲଜୀ ଟଣ୍ଡନ, ବି.ସି. ଖଣ୍ଡୁରୀ, ଶାନ୍ତା କୁମାର, କଳରାଜ ମିଶ୍ର, ହୁକୁମ ଦେବ ଯାଦବ ଓ କାରିଆ ମୁଣ୍ଡାଙ୍କ ଭଳି ନେତାମାନେ ନିର୍ବାଚନ ଲଢ଼ି ନିଜର ଲୋକପ୍ରିୟତା ଦେଖାଇପାରିବେ।
ଆଗାମୀ ନିର୍ବାଚନ ମୋଦି-ଶାହା ଯୋଡ଼ିଙ୍କ ପାଇଁ ଅଗ୍ନି ପରୀକ୍ଷା ହୋଇଥିବାରୁ ସଫଳତା ଓ ଲୋକପ୍ରିୟତାର ମାପକାଠି ଅନୁସାରେ ସାଂସଦମାନଙ୍କୁ ଆଗାମୀ ନିର୍ବାଚନରେ ଟିକଟ ମିଳିବ। ଏପରିକି ଅନେକ ସାଂସଦଙ୍କୁ ଆଗାମୀ ନିର୍ବାଚନରେ ଟିକଟ ନ ମିଳିବାର ଆଶଙ୍କା ରହିଛି। କିନ୍ତୁ ଲୋକପ୍ରିୟ ବୟସ୍କ ନେତା ଯେଉଁମାନେ ୭୫ ବର୍ଷ ବୟସ ପାର କରିସାରିଛନ୍ତି ସେମାନଙ୍କୁ ପୁଣି ଥରେ ଆଗାମୀ ନିର୍ବାଚନରେ ଟିକଟ ଦେବାକୁ ବିଚାର କରାଯାଉଛି।
କାରଣ ନିକଟରେ ଶେଷ ହୋଇଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ୭୫ବର୍ଷରୁ ଅଧିକ ବୟସ୍କ ବିଜେପି ନେତାମାନେ ବହୁ ସଂଖ୍ୟାରେ ବିଜୟ ହାସଲ କରିଛନ୍ତି। ଫଳରେ ଏହି ଅଭିଜ୍ଞତା ଅନୁସାରେ ଆଗାମୀ ଲୋକସଭା ନିର୍ବାଚନରେ ଲୋକପ୍ରିୟ ବୟସ୍କ ନେତାମାନଙ୍କୁ ଲଢ଼ିବା ଟିକଟ ପ୍ରଦାନ କରିବ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବିଜେପିର ଏହି ନିଷ୍ପତ୍ତି ପକାଇଥିଲା ଛେପ ଚାଟିଲା ଭଳି ହୋଇଛି।