ବିଜୁ ଜନତା ଦଳକୁ ଅଡୁଆ ମହିଳା କୋଟା
ଲୋକସଭାରେ ନିର୍ବାଚନରେ ବିଜେଡ଼ି ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ଟିକଟ ଦେବ ବୋଲି କେନ୍ଦ୍ରାପଡ଼ାରେ ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହି ଘୋଷଣାକୁ ଅନେକ ନବୀନଙ୍କର ରାଜନୈତିକ ମାଷ୍ଟର ଷ୍ଟ୍ରୋକ ବୋଲି କହିଥିଲେ। ଏହାକୁ ମଧ୍ୟ ବିଜୁ ଜନତା ଦଳ ବଢେଇ ଚଢେଇ ପ୍ରଚାର କରିଥିଲା। କିନ୍ତୁ ଯେତେବେଳେ ଜଣାପଡିଲା ଯେ ୨୦୧୪ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୫ ପ୍ରତିଶତ ମହିଳାଙ୍କୁ ଟିକଟ ଦେଇଥିଲେ ଏବଂ ଏଥର ୪୧ ପ୍ରତିଶତ ମହିଳାଙ୍କୁ ଟିକଟ ଦେଇଛନ୍ତି, ସେତେବେଳେ ବିଜୁ ଜନତା ଦଳର ପ୍ରଚାର ଚିନ୍ତା ବଢ଼ିଯାଇଛି।
ତଥାପି ମୁଖ୍ୟମନ୍ତ୍ରୀଙ୍କ ସମର୍ଥକମାନେ ଯୁକ୍ତି କରିବା ଆରମ୍ଭ କରିଛନ୍ତି ଯେ ନବୀନ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେ ଦିଗରେ ଏହା ଏକ ପ୍ରଥମ ମସ୍ତବଡ଼ ପଦକ୍ଷେପ।
ଏଭଳି ପଦକ୍ଷେପ ଦ୍ୱାରା ବିଜୁ ଜନତା ଦଳକୁ ଅଧିକ ମହିଳା ଭୋଟ ମିଳିବ ବୋଲି ସେମାନେ ଦୃଢୋକ୍ତି କରୁଛନ୍ତି। କିନ୍ତୁ ସତ କଥାଟି ହେଲା ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସମର୍ଥନ ଅପେକ୍ଷା ବିରୋଧ ମଧ୍ୟ ଅଧିକ କରାଯାଉଛି। ବାହା ବାହା କରୁଛନ୍ତି ତାଙ୍କରି ଦଳର ଟିକଟ ଆଶାୟୀ ମହିଳାମାନେ। ସେମାନେ ମନେକରୁଛନ୍ତି ଯେ, ଏହି ଘୋଷଣା ଦ୍ୱାରା ସେମାେ ସଶକ୍ତ ହୋଇଗଲେ। ମହିଳା ସଶକ୍ତିକରଣ ଦିଗରେ ଏହା ଏକ ବିରାଟ ପଦକ୍ଷେପ।
କିନ୍ତୁ ପ୍ରକୃତ କଥା ହେଲା ଟିକଟ ପାଇବା ପାଇଁ ସେମାନଙ୍କର ଆଶା ହିଁ ଏଭଳି ମନ୍ତବ୍ୟ ସୃଷ୍ଟି କରୁଛି। କିନ୍ତୁ ଯେତେବେଳେ ଆଶାୟୀମାନେ ଟିକଟ ପାଇବେ ନାହିଁ ସେତେବେଳେ ଏଭଳି ପ୍ରତିକ୍ରିୟା ଦେଖିବାକୁ ମିଳିବ କି?

ଖୋଲାଖୋଲି ଭାବେ କହିବାକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ୩୩ ପ୍ରତିଶତ ଘୋଷଣା ବିରାଟ ପଜିଟିଭ ପ୍ରତିକ୍ରିୟା ସୃଷ୍ଟି କରିପାରିନାହିଁ। ଗତଥର ଯେଉଁ ତିନି ଜଣ ମହିଳା ଲୋକସଭାକୁ ନିର୍ବାଚିତ ହୋଇଥିଲେ ସେମାନେ ଟିକଟ ପାଇ ନ ପାରନ୍ତି ବୋଲି ଆଲୋଚନା ହେଉଛି। ତେବେ ସେମାନେ କ’ଣ ନାରୀ ସଶକ୍ତିକରଣକୁ ଦୃଢୀଭୂତ କରିପାରିଲେ ନାହିଁ?
ଅନ୍ୟପକ୍ଷରେ ବିରୋଧୀ ଦଳଗୁଡିକ ସମାଲୋଚନା କରିବା ପରେ ଆଉ ଏକ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଲୋକଙ୍କ ପାଖକୁ ଯାଉଛି। ଏହାକୁ ରାଜନୈତିକ ଜୁମଲାବାଜି ବୋଲି କୁହାଯାଉଛି। ଯଦି ବିଧାନସଭାରେ ଏକାକଥା ଅନୁସରଣ କରୁନାହାଁନ୍ତି ନବୀନ, ତେବେ ନାରୀ ସଶକ୍ତିକରଣର ମାନେ କ’ଣ?
ତା’ଛଡା ନିଜ ମନ୍ତ୍ରିମଣ୍ଡଳରେ ମଧ୍ୟ ଏହି ଫର୍ମୁଲା ପ୍ରୟୋଗ କରିନାହାଁନ୍ତି ନବୀନ। କିନ୍ତୁ ଅସଲ ନେଗେଟିଭ ପ୍ରତିକ୍ରିୟା ଆସିଛି ଦଳର ପୁରୁଷ ଆଶାୟୀଙ୍କ ମହଲରୁ। ଯଦି ୭ଟି ଲୋକସଭା ଆସନ ମହିଳାଙ୍କୁ ଯାଏ,ତେବେ ବାକି ୧୪ଟି ଆସନରେ ପୁରୁଷ ପ୍ରାର୍ଥୀ ଛିଡା ହେବେ। ତେଣୁ ଏହାକୁ ନେଇ ଅସନ୍ତୁଷ ଦାନା ବାନ୍ଧୁଛି ଶାସକ ଦଳ ଭିତରେ। ଏହା ଏକ ବିପର୍ଯ୍ୟଜନକ ପକ୍ରିୟା। ଏଭଳି ଧାରା ଯଦି ବ୍ୟାପେ ଏବଂ ନେତାମାନେ ଅସନ୍ତୁଷ୍ଟ ହୋଇପଡନ୍ତି ତେବେ ନିର୍ବାଚନରେ ବିଜୁ ଜନତା ଦଳ ବଡ଼ ସମସ୍ୟାରେ ପଡିବ। ବୋଧହୁଏ ସେଥିପାଇଁ ନବୀନ ପଟ୍ଟନାୟକ ବିଧାନସଭା ସକାଶେ ଏକତୃତୀୟାଂଶ ଫର୍ମୁଲା ଲାଗୁ କରିବାକୁ ଚାହୁଁନାହାନ୍ତି।
ବହୁ ପୁରୁଖା ସାଂସଦଙ୍କୁ ଏଥର ଟିକଟ ମିଳୁନାହିଁ ବୋଲି ଚର୍ଚ୍ଚା। ସମ୍ୱଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଡ଼ଃ ପ୍ରସନ୍ନ ପାଟ୍ଟଶାଣୀ, ଭଦ୍ରକର ଅନନ୍ତ ସେଠୀ ଏହି ଲାଇନରେ ଅଛନ୍ତି। କିଛି ଅବସର ନେଇଥିବା ଅଫିସରଙ୍କୁ ଶାସକ ଦଳ ପ୍ରାର୍ଥୀ କରିବାର ସମ୍ଭାବନା ଥିବାରୁ ଏହା ମଧ୍ୟ ଦଳ ଭିତରେ ଭିନ୍ନ ଧରଣର ଅସନ୍ତୋଷ ସୃଷ୍ଟି କରିସାରିଲାଣି।
ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ବିଜେପିରେ ଯୋଗଦେବାର ସମ୍ଭାବନା ଅଛି। ଯଦି ଏମାନଙ୍କ ସହିତ ପ୍ରଭାବଶାଳୀ ବିଦ୍ରୋହୀ ବିଜଦ ନେତାମାନେ ବିଜେପିରେ ଯୋଗ ଦିଅନ୍ତି, ତେବେ ଶାସକ ଦଳର ସମସ୍ୟା ନିହାତି ବଢିବ। ଲୋକଙ୍କ ଭିତରେ ଧାରଣା ହେଲାଣି ଯେ, ସରକାରଙ୍କୁ ନବୀନ ନୁହଁନ୍ତି ଅମଲା ଲବି ଚଲାଉଛି। ଏହା ସରକାରୀ ବିରୋଧୀ ହାୱାକୁ ତେଜାଇବାରେ ଲାଗିଲାଣି। ବର୍ତ୍ତମାନ ସ୍ଥିତିରେ ଏହା ଶାସକ ଦଳ ପାଇଁ ନେଣକୁ ଦେଣ ପଡିପାରେ।
ଏବେ ସମସ୍ତଙ୍କ ନଜର ଶାସକ ଦଳ କାହାକୁ କେମିତି ସନ୍ତୁଷ୍ଟ କରି ଟିକଟ ବାଣ୍ଟୁଛି। ଟିକଟ ବଣ୍ଟା ପର୍ବ ପରେ ଏମିତି ବି ହୋଇପାରେ ସ୍ଥିତି ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :