ଉପକୂଳକୁ ନେଇ ଚିନ୍ତାରେ ବିଜେଡି
ଶନିବାର ଦିନ ବିଜୁ ଜନତା ଦଳର ଭଦ୍ରକ ସାଂସଦ ଅଜୁର୍ନ ସେଠୀ ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତ। ଦଳର ପ୍ରତିଷ୍ଠାତା ସଭ୍ୟ ତଥା ବରିଷ୍ଠ ନେତା ରଘୁନାଥ ମହାନ୍ତି ରବିବାର ଦିନ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏହା ବଡ଼ ସଂକେତ ଦେଉଛି ଯେ, ବିଜୁ ଜନତା ଦଳର ଉପକୂଳ ଗଡ଼ରେ ଫାଟ ପଡିସାରିଛି।

ରଘୁନାଥ ବସ୍ତା ନିର୍ବାଚନ ମଣ୍ଡଳୀରୁ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଠିକ ଯେମିତି ଅଜୁର୍ନ ସେଠୀ ଭଦ୍ରକ ଲୋକସଭା ଆସନରୁ ଜିଣିଥିଲେ ଲଗାତର ୬ଥର। ଦଳ ଛାଡିବା ପରେ ଅଜୁର୍ନ କହିଥିଲେ ଯେ, ବିଜେଡି ଆଉ ଆଗଭଳି ନାହିଁ। ମୁଖ୍ୟମନ୍ତ୍ରୀ ଅନ୍ୟ କେତେଜଣଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି। ରଘୁନାଥ ବିଜେଡି ପଥଭ୍ରଷ୍ଟ ବୋଲି ମନ୍ତବ୍ୟ ଦେଇଛନ୍ତି।

ଶନିବାର ଦିନ ସେ ଓଏଲଆଇସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ମଧ୍ୟ। ବିଜେଡି ଛାଡିବେ ବୋଲି ସଂକେତ ଦେଉନଥିଲେ। କିନ୍ତୁ ଗତକାଲି ସେ ଦଳର ଉପସଭାପତି ପଦରୁ ଏବଂ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସେ ଭାରତୀୟ ଜନତାପାର୍ଟିରେ ଯୋଗ ଦେବାକୁ ଯାଉଛନ୍ତି। ବିଜେପି ବସ୍ତାରୁ ତାଙ୍କୁ ଟିକଟ ଦେବ ବୋଳି ଆଲୋଚନା ହେଉଛି।
ଦଳ ଛାଡିବା କାରଣ ସମ୍ପର୍କରେ ଏହାକୁ ବ୍ୟକ୍ତିଗତ ବୋଲି ରଘୁନାଥ କହୁଥିଲେ ହେଁ ଯେଉଁ କ୍ଷୋଭ ତାଙ୍କ ପାଟିରୁ ବାହାରିଛି, ତାହା ସୂଚାଇ ଦେଉଛି ଯେ, ଦଳର ଅବସ୍ଥା ଭଲ ନାହିଁ। ସେ କହିଥିଲେ ବିଜେଡିରେ ବିଜୁବାବୁଙ୍କ ନୀତି ଓ ଆଦର୍ଶ ନାହିଁ। ବିଜୁ ବାବୁଙ୍କ ଜନତା ଦଳରୁ ରଘୁ ୧୯୯୦ ଓ ୯୫ରେ ବସ୍ତାରୁ ଜିଣିଥିଲେ। ସେ ମଧ୍ୟ ବିଜେଡିର ଜଣେ ପ୍ରତିଷ୍ଠାତା ସଦସ୍ୟ। ଅତ୍ୟନ୍ତ ଶୃଙ୍ଖଳିତ ନେତାଙ୍କ ଭିତରୁ ସେ ଜଣେ।
ରଘୁ କହିଥିଲେ ଯେ, କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଦ୍ୱାରା ଦଳ ପରିଚାଳିତ ହେଉଛି। ବାଲେଶ୍ୱରବାସୀଙ୍କ ସ୍ୱାଭିମାନ ଲାଗି ସେ ଦଳ ଛାଡୁଛନ୍ତି। ଗତ ପାଞ୍ଚ ବର୍ଷ ହେଲା ଜିଲାର କୌଣସି କାର୍ଯ୍ୟକ୍ରମରେ ଦଳ ତାଙ୍କୁ ସାମିଲ କରିନାହିଁ। ଦାମ ରାଉତ ଦଳରୁ ନିଷ୍କାସିତ ହେବା ପରେ କାଳେ ରଘୁ ବିଜେପିକୁ ଚାଲିଯିବେ, ସେହି ଡରରେ ତାଙ୍କୁ ଦଳର ଉପସଭାପତି କରାଯାଇଥିଲା। ଉଠାସେଚ ନିଗମର ଅଧ୍ୟକ୍ଷ ପଦରେ ନିଯୁକ୍ତି ମିଳିଥିଲା। କିନ୍ତୁ ବାଲେଶ୍ୱର ରାଜନୀତିରେ ତାଙ୍କୁ ପୂରା ଦିଆଗଲା ନାହିଁ। ବସ୍ତୁତଃ ତାଙ୍କୁ ଅଚଳ କରିଦିଆଯାଇଥିଲା।
ଅଜୁର୍ନ ଏବଂ ରଘୁ ବିଜେଡି ଛାଡିବା ଏକ ବଡ଼ ସଂକେତ ଦେଉଛି। ବାଲେଶ୍ୱର ଜିଲାରେ ଏହା ଆଗରୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଦଳ ଛାଡିଥିଲେ। ସେ ଏବେ ବିଜେପିରେ। ସୋରର ପୂର୍ବତନ ବିଜେଡି ବିଧାୟକ ସୁରେନ୍ଦ୍ର ପରମାଣିକ ମଧ୍ୟ ଦଳ ଛାଡିଛନ୍ତି। ବାଲେଶ୍ୱର ସଦରରେ ପୁଣି ଜୀବନ ପ୍ରଦୀପଙ୍କୁ ଟିକେଟ ଦିଆଯିବାକୁ ନେଇ ଦଳ ଭିତରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହେଉଛି। ସମାନ ଅବସ୍ଥା ଜଳେଶ୍ୱରରେ ଅଶ୍ୱିନୀ ପାତ୍ରଙ୍କୁ ନେଇ। ବାଲେଶ୍ୱର ଅବସ୍ଥା ହଠାତ ବିଜେଡିର ହାତ ମୁଠାରୁ ଖସିଯାଉଥିବା ବେଳେ ଭଦ୍ରକ ଆଉ ଏକ ମୁଣ୍ଡ ବ୍ୟଥାର କାରଣ ହୋଇଛି।

ଅଜୁର୍ନଙ୍କ ଦଳତ୍ୟାଗ ପରେ ଭଦ୍ରକ ବିଧାୟକ ଯୁଗଳ ପଟ୍ଟନାୟକ ଟିକେଟ ନପାଇବା କାରଣରୁ ବିଦ୍ରୋହର ବିଗୁଲ ଫୁଙ୍କିଛନ୍ତି। ସମଗ୍ର ଭଦ୍ରକ ଜିଲାରେ ବିଜେଡି ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଲାଣି। ଏତେଶୀଘ୍ର ବିଜେଡିର ଗଡ଼ କୁହାଯାଉଥିବା ଭଦ୍ର ଜିଲାରେ ଶାସକ ଦଳର ଅବସ୍ଥା ଏମିତି ତଳମୁହାଁ ହେବ, କେହି ଭାବିନଥିଲେ। ୫ଟି ଯାକ ବିଧାନସଭା ଆସନରେ ବିଜେଡି କଡ଼ା ଚ୍ୟାଲେଞ୍ଜର ସମ୍ମୁଖିନ ହେଉଛି।
କେନ୍ଦ୍ରାପଡା କଥା ନକହିବା ଭଲ। ନବୀନ ନିବାସ ଆଗରେ ଟିକେଟ ଆଶାୟୀଙ୍କର ବିକ୍ଷୋଭ ଏବଂ ଟିକେଟ ପାଇଥିବା ନେତାଙ୍କ ବିରୋଧରେ ବିଷୋଦଗାର ନବୀନଙ୍କ ଚିନ୍ତା ବଢାଇବ। କାରଣ କେନ୍ଦ୍ରାପଡା ଜିଲା ନବୀନଙ୍କ ପାଇଁ ଏକ ସମ୍ମାନର ପ୍ରଶ୍ନ ହୋଇଛି।
ବେଦପ୍ରକାଶ, ଧ୍ରୁବ ସାହୁ, ଅତନୁ, କିଶୋର ଏବଂ ସାଂସଦ ପ୍ରାର୍ଥୀ ଅନୁଭବଙ୍କ ବିରୋଧରେ ଅସନ୍ତୁଷ୍ଟମାନଙ୍କ ମେଳି ଏହି ଚିନ୍ତାର ବଡ଼ କାରଣ। କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବୈଜୟନ୍ତ ପଣ୍ଡା ବିଜେପି ଟିକେଟରେ ଲଢୁଥିବା ବେଳେ ବିଜୟ ମହାପାତ୍ର ମଧ୍ୟ ପୁଣି ବିଜେପିକୁ ଫେରିଆସିଛନ୍ତି।
ଜଗତସିଂହପୁରରେ ପ୍ରାର୍ଥୀଙ୍କ ଆସନ ଅଦଳବଦଳ କରିଛନ୍ତି ନବୀନ। କିନ୍ତୁ ରାଜଶ୍ରୀ ଓ ବିଷ୍ଣୁଙ୍କ କଳି ଦଳ ପାଇଁ କ୍ଷତିକାରକ ହେବାକୁ ଯାଉଛି। ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲି କାହାକୁ ଛିଡା କରାଯିବା ପରେ ଅସନ୍ତୋଷ ତୀବ୍ର ଆକାର ଧାରଣ କରି ବିଜେଡି ଅଫିସରେ ପୋଡ଼ାଜଳା ହୋଇଛି।
ସେହିପରି ପୁରୀ ଜିଲା ଅବସ୍ଥା ହଠାତ ବିଜୁ ଜନତା ଦଳ ହାତରୁ ଖସି ଯାଉଥିବା ମନେ କରାଯାଉଛି। ବେବିନା – ଚର୍ଚ୍ଚିତ ପ୍ରଦୀପ ମହାରଥୀଙ୍କୁ ଦଳ ପୁଣି ଟିକେଟ ଦେଇଥିବାରୁ ବିରୋଧି ଅଧିକ ଫାଇଦା ପାଇବେ। ଉପକୂଳ ଓଡ଼ିଶାରେ ଦୀର୍ଘଦିନ ଧରି ବିଜେଡିର ଏକାଧିପତ୍ୟ ରହିଆସିଛି। ୭୦ଟି ଆସନ ମଧ୍ୟରୁ କଂଗ୍ରେସ ୪ଟିରେ ଏବଂ ବିଜେପିର ୨ଟିରେ ବିଜୟ ହୋଇଥିଲା। କିନ୍ତୁ ଏଥର ଚିତ୍ର ଦ୍ରୁତ ବଦଳୁଛି। ଚାରିଆଡେ ଅସନ୍ତୋଷ ବ୍ୟାପୀ ଥିବାରୁ ୨୦୧୯ ଉପକୂଳ ଫଳାଫଳ ବିଜେଡିକୁ ବଡ଼ ଝଟକା ଦେଇପାରେ ବୋଲି ଆଶଙ୍କା କରାଯାଉଛି।
ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ଜଗୁଜଗୁ ଉପକୂଳ ଗଡ ଦୋହଲିବାକୁ ଆରମ୍ଭ କଲାଣି। ପରିବର୍ତ୍ତନର ଲହର ଯଦି ଆହୁରି ଟିକିଏ ବଢିଯାଏ, ତେବେ ଏହା ମହଙ୍ଗା ପଡିବ ବିଜୁ ଜନତା ଦଳକୁ।