ସମାଜ ସେବା ପାଇଁ ବିଜେଡି ଆରମ୍ଭ କରିବ ନୂଆ ଛାମୁଆ ସଂଗଠନ
ଭୁବନେଶ୍ଵର, (ଓଟି): ସେବା ଓ ସଂଗ୍ରାମର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ତ୍ୟାଗକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ଆରମ୍ଭ କରିବାକୁ ଯାଉଛି ଏହାର ନୂତନ ଛାମୁଆ ସଂଗଠନ। ଏହି ସଂଗଠନ ସାମାଜିକ ସେବା ଯୋଗାଇବାରେ ମନୋନିବେଶ କରିବ। ସମାଜ ସେବାକୁ ସବୁଠାରୁ ପ୍ରିୟ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏ ବାବଦରେ ସୂଚନା ଦେଇଛନ୍ତି।
ଭୁବନେଶ୍ଵରର କାର୍ଗିଲ୍ ରୋଡ୍ ଠାରେ ରାଜ୍ୟସ୍ତରୀୟ ଜନସମ୍ପର୍କ ପଦଯାତ୍ରାକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ଅଧିକରୁ ଅଧିକ ଯୁବାବର୍ଗ ଏଥିରେ ସାମିଲ୍ ହୋଇ ଲୋକଙ୍କ ସେବା କରିବା ତଥାସଂଗଠନକୁ ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ କରିବା ଲାଗି ସେ ଆହ୍ବାନ କରିଛନ୍ତି।
ଏକ ପରିପକ୍ଵ ରାଜନୀତିକ ଦଳ ଭାବେ ବିଜେଡି ସମାଜର ସବୁ ବର୍ଗର ଲୋକଙ୍କୁ ଏକାଠି କରି ଭିନ୍ନ ଭିନ୍ନ ଛାମୁଆ ସଂଗଠନ ସୃଷ୍ଟି କରିଛି। ସେଥିରେ କୃଷକ ସଂଗଠନଠୁ ଆରମ୍ଭ କରି ମହିଳା, ଯୁବ, ଆଇନଜୀବୀ ପ୍ରଭୃତି ପ୍ରଫେସନାଲ୍ ସଂଗଠନ ମଧ୍ୟ ରହିଛନ୍ତି। ଏବେ ଏହି ସାମାଜିକ ସେବା ସଂଗଠନ ଅଧିକରୁ ଅଧିକ ମାତ୍ରାରେ ସମାଜର ସ୍ଵେଚ୍ଛାସେବୀ ତଥା ସାମଜିକ ସଂଗଠନ ଗୁଡ଼ିକୁ ଏକ ସୂତ୍ରରେ ବାନ୍ଧିବାରେ ସହାୟକ ହେବେ ବୋଲି ଆଶା କରାଯାଉଛି।
ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଲୋକଙ୍କୁ ଭେଟିବା ପାଇଁ ଏକ ସୁଯୋଗ । ଏହି ପଦଯାତ୍ରା ବେଳେ ଲୋକଙ୍କ ସମସ୍ୟା ବୁଝ ଏବଂ ସରକାରଙ୍କ ଭଲ କାମ ଲୋକଙ୍କୁ ଜଣାଅ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ।











