ସଫଳତା ପାଇଁ ବିଜେଡିର ରାଜ୍ୟସଭା ଗୋଟି
ବାରିପଦା ବିଧାନସଭା ଆସନ ପାଇଁ ପରିଶେଷରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଜଣେ ରାଜ୍ୟସଭା ସଦସ୍ୟ ସରୋଜିନୀ ହେମ୍ୱ୍ରମଙ୍କୁ ପ୍ରାର୍ଥୀ କଲେ। ଏହାଫଳରେ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ଆଶା ଧୂଳିସାତ ହୋଇଗଲା। ତେବେ ସରୋଜିନୀଙ୍କୁ ମିଶାଇ ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ରାଜ୍ୟସଭାର ୬ଜଣ ସଦସ୍ୟଙ୍କୁ ପ୍ରାର୍ଥୀ କଲା। ଏହା ଫଳରେ ଏହିସବୁ ପ୍ରାର୍ଥୀଙ୍କ ରାଜନୈତିକ ଭବିଷ୍ୟତ ଆଗରେ ପ୍ରଶ୍ନଚିହ୍ନ ଲାଗିଯିବା ସହ ଯେଉଁମାନଙ୍କୁ ରାଜ୍ୟସଭା ପଠାଇବେ ବୋଲି ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଭବିଷ୍ୟତ ଏତେ ସୁନ୍ଦର ଓ ଉଜ୍ଜ୍ୱଳ ଦେଖାଯାଉନାହିଁ।

ସରୋଜିନୀ ହେଉଛନ୍ତି ୬ଷ୍ଠ ରାଜ୍ୟସଭା ସଦସ୍ୟ। ଏହା ପୂର୍ବରୁ ଅନ୍ୟ ଯେଉଁ ୫ଜଣ ବିଧାନସଭା ଏବଂ ଲୋକସଭା ଲାଗି ପ୍ରାର୍ଥୀ ହୋଇଛନ୍ତି ସେମାନେ ହେଲେ ଅଚ୍ୟୁତ ସାମନ୍ତ (କନ୍ଧମାଳ ଲୋକସଭା), ଅନୁଭବ ମହାନ୍ତି (କେନ୍ଦ୍ରାପଡା ଲୋକସଭା), ପ୍ରସନ୍ନ ଆଚାର୍ଯ୍ୟ (ବରଗଡ଼ ଲୋକସଭା), ସୌମ୍ୟ ରଞ୍ଜନ ପଟନାୟକ (ନୟାଗଡ ବିଧାନସଭା), ପ୍ରତାପ ଦେବ (ଆଳି ବିଧାନସଭା)।
ଲୋକସଭା ସଦସ୍ୟଙ୍କ ଭିତରୁ ଏଥର ରିପିଟି ହୋଇଛନ୍ତି ପିନାକୀ ମିଶ୍ର (ପୁରୀ), ଭର୍ତ୍ତୃହରି ମହତାବ (କଟକ), ରବିନ୍ଦ୍ର ଜେନା (ବାଲେଶ୍ୱର) ଏବଂ କଳିକେଶ ସିଂହଦେଓ (ବଲାଙ୍ଗିର)।
ବାକି ଆସନଗୁଡିକରେ ପୁରୁଣା ପ୍ରାର୍ଥୀଙ୍କୁ ହଟାଇ ଦିଆଯାଇଛି। ରାଜ୍ୟସଭା ସଦସ୍ୟଙ୍କୁ ଲୋକସଭା ଓ ବିଧାନସଭା ଆସନରୁ ଲଢାଇବାର ଔଚିତ୍ୟକୁ ନେଇ ପ୍ରଶ୍ନ ଉଠିଛି। ଯେଉଁମାନେ ଉପର ସଦନର ସଦସ୍ୟ ଅଛନ୍ତି ଏବଂ ଯେଉଁମାନଙ୍କର କାର୍ଯ୍ୟକାଳ ପୁରିବାକୁ ଯାଉନାହିଁ, ସେମାନଙ୍କୁ ଲୋକସଭା ଓ ବିଧାନସଭା ଆସନରୁ ଲଢାଇବା ପଛର କାରଣ ବୁଝାପଡୁନାହିଁ।
ତେବେ ରାଜ୍ୟସଭା ସଦସ୍ୟଙ୍କୁ ଲୋକସଭା ଓ ବିଧାନସଭା ପାଇଁ ଲଢିବାର ସୁଯୋଗ ଦେଇ ଏକ ବଡ଼ ରିସ୍କ ନେଇଛନ୍ତି ନବୀନ। ଏବେ ପ୍ରଶ୍ନ ହେଉଛି ଏହି ୬ଜଣ ରାଜ୍ୟସଭା ସଦସ୍ୟଙ୍କ ଭିତରୁ ଯଦି ସଂଖ୍ୟାଧିକ ବା କେହି ପରାଜିତ ହୁଅନ୍ତି, ତେବେ ନୈତିକତା ଦୃଷ୍ଟିରୁ ସେମାନେ ରାଜ୍ୟସଭା ସଦସ୍ୟ ପଦ ଛାଡିବେ କି?

ଯଦି ୬ଜଣ ନିର୍ବାଚିତ ହୁଅନ୍ତି, ତେବେ ପୃଥକ ସମସ୍ୟା ମଧ୍ୟ ଆଗକୁ ଆସିବ। ସେମାନଙ୍କ ସ୍ଥାନରେ ଆଉ ୬ଜଣଙ୍କୁ ନିର୍ବାଚିତ କରିବା ପାଇଁ ବିଜୁ ଜନତା ଦଳର ଆବଶ୍ୟକ ସଂଖ୍ୟା ଥିବ କି?
ଧରିନିଆଯାଉ ଯଦି ବିଧାନସଭା ଓ ଲୋକସଭା ପାଇଁ ବିଜୁ ଜନତା ଦଳ ଯେଉଁ ୬ ଜଣଙ୍କୁ ପ୍ରାର୍ଥୀ କରିଛି, ସେମାନେସମସ୍ତେ ଜିତି ଯାଆନ୍ତି, ତେବେ ୬ଟି ରାଜ୍ୟସଭା ଆସନ ଖାଲି ପଡିବ। ସେମାନଙ୍କ ସ୍ଥାନରେ ଅନ୍ୟ ୬ଜଣଙ୍କୁ ଜିତାଇବା ଲାଗି ଅତିକମରେ ବିଜୁ ଜନତା ଦଳ ହାତରେ ୧୩୨ଜଣ ବିଧାୟକ ରହିବା ଆବଶ୍ୟକ। ପସନ୍ଦ ଭୋଟ ଅନୁସାରେ ପ୍ରତି ବିଜେତା ପ୍ରାର୍ଥୀଙ୍କୁ ୨୨ ପ୍ରଥମ ପସନ୍ଦ ଭୋଟ ମିଳିବା ଜରୁରୀ। କିନ୍ତୁ ବର୍ତ୍ତମାନର ରାଜନୈତିକ ଚିତ୍ର ବିଜେଡି ପାଇଁ ପୂର୍ବଭଳି ଅନୁକୂଳ ହେବା ଦେଖାଯାଉନାହିଁ।
ଗତଥର ୧୧୭ ଆସନ ଜିଣିଥିଲା ବିଜେଡି। ପରେ ବିଜେପୁର ଉପନିର୍ବାଚନ ଜିଣିବା ଫଳରେ ଏହାର ଆସନ ସଂଖ୍ୟା ୧୧୮କୁ ବଢିଥିଲା। ମାତ୍ର ୨୦୧୯ ନିର୍ବାଚନରେ ଏହି ଫଳାଫଳ ବିଜେଡି ଦୋହରାଇ ପାରିବ ନାହିଁ ବୋଲି ମନେକରାଯାଉଛି।
ଏହାର ବଡ଼ କାରଣ ହେଲା ୧୯ବର୍ଷ ଶାସନ ବିରୋଧରେ ଏକ ସରକାରୀ ବିରୋଧୀ ହାୱା ସୃଷ୍ଟି ହୋଇଛି। ଦଳୀୟ ଅସନ୍ତୋଷ ଚରମରେ। ଏମିତି ଅବସ୍ଥା ଯେ, ବାହାର ଦଳରୁ ପ୍ରାର୍ଥୀ ଆଣି ଛିଡା କରାଇଛି ଶାସକ ଦଳ। ପ୍ରାର୍ଥୀ ଚୟନକୁ ନେଇ ଭୟଙ୍କର ଆଭ୍ୟନ୍ତରୀଣ କନ୍ଦଳ ଭିତରେ ପଡିଛି ଶାସକ ଦଳ। ତେଣୁ ବିଜେଡି ଭିତରେ ମଧ୍ୟ ବିଜୟ ସମ୍ଭାବନାକୁ ନେଇ ଭିନ୍ନମତ ପ୍ରକାଶ ପାଇଲାଣି।
ଏପରି ଅବସ୍ଥାରେ ଯେଉଁମାନଙ୍କୁ ନବୀନ ପଟ୍ଟନାୟକ ରାଜ୍ୟସଭା ସଦସ୍ୟର ଲୋଭ ଦେଖାଇଛନ୍ତି, ସେମାନଙ୍କର ଭାଗ୍ୟ କ’ଣ ହେବ? ଯେଉଁ ରାଜ୍ୟସଭା ସଦସ୍ୟମାନେ ପ୍ରାର୍ଥୀ ହୋଇଛନ୍ତି, ସେମାନଙ୍କ ଭିତରୁ ପରାଜିତ ପ୍ରାର୍ଥୀମାନେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇନପାରନ୍ତି। ଏପରି ଅବସ୍ଥାରେ ଖାଲି ପଡୁଥିବା ଆସନ ସଂଖ୍ୟା ଆପକୁ ଆପେ କମିଯିବ। ଫଳରେ ପ୍ରଥମ ପସନ୍ଦର ଭୋଟ ପରିମାଣ ବଢିବ।
ନବୀନ ପଟ୍ଟନାୟକ ଅନ୍ୟୁନ ୧୦ଜଣଙ୍କୁ ରାଜ୍ୟସଭା ପଠାଇବାରଲୋଭ ଦେଖାଇସାରିଛନ୍ତି। ରାଜ୍ୟସଭାକୁ ଯିବା ଲାଗି ଆଶାୟୀ ଏବଂ ନିଜେ ନବୀନ ଯେଉଁମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି, ସେମାନଙ୍କ ସଂଖ୍ୟା ମିଶାଇଲେ ଦୀର୍ଘ ହେବ। ତେଣୁ ନିର୍ବାଚନ ପରେ ଏକ ଭିନ୍ନଧରଣର କନ୍ଦଳ ଭିତରକୁ ଶାସକ ଦଳ ଠେଲି ହୋଇଯିବା ବିଚିତ୍ର ନୁହେଁ।