ରାଜନୀତିକ ଦାନ ନେବାରେ ବିଜେଡି ଦେଶରେ ୩ ନମ୍ବର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗଲା ଦୁଇ ଦଶନ୍ଧି ହେଲା ଓଡ଼ିଶାକୁ ଶାସନ କରୁଥିବା ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ବିଜେଡି) ପାଣ୍ଠି ସଂଗ୍ରହ କରିବାରେ ଦେଶରେ ରେକର୍ଡ ସୃଷ୍ଟି କରିଛି। ୨୦୧୮-୧୯ ଆର୍ଥିକବର୍ଷରେ ଏହି ଦଳ ଭାରତ ବର୍ଷର ତୃତୀୟ ବୃହତ୍ତମ ରାଜନୀତିକ ଦାନ ( ପାଣ୍ଠି) ସଂଗ୍ରହକାରୀ ଆଞ୍ଚଳିକ ଦଳ ଭାବେ ସ୍ଥାନୀତ ହୋଇଛି। ନିର୍ବାଚନ କମିଶନଙ୍କ ପାଖରେ ଦଳ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠ ଓ ଦଲିଲକୁ ବିଶ୍ଳେଷଣ କରି ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମସ୍‌ ( ଏଡିଆର୍‌) ଏହି ତଥ୍ୟ ପ୍ରକାଶ କରିଛି।

ଏହି ଅନୁଶୀଳନ ଅନୁସାରେ ବିଜେଡି ହେଉଛି ଦେଶର ୫୨ଟି ଆଞ୍ଚଳିକ ଦଳ ଭିତରେ ତୃତୀୟ ନମ୍ବର ଦାନ ସଂଗ୍ରହ କାରୀ ଦଳ। ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ଦଳ ୨୯ କୋଟି ୩୧ ଲକ୍ଷ ୭୦ ହଜାର ଟଙ୍କାର ଦାନ  ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଦାନ ରାଶି ଆକାରରେ ଗ୍ରହଣ କରିଛି। ପୂର୍ବ ବର୍ଷ ଅର୍ଥାତ୍‌ ୨୦୧୭-୧୮ ଆଥେିକ ବର୍ଷରେ ଏହି ଦାନ ରାଶି ୧୩ କୋଟି ୪ ଲକ୍ଷ ଟଙ୍କା ଥିଲା। ଅର୍ଥାତ୍‌ ନିର୍ବାଚନ ମୁହାଁ ହେଉଥିବା ବିଜେଡିକୁ ପାଖାପାଖି ଅଢ଼େଇଗୁଣା ଅଧିକ ଦାନ ମିଳିଛି।  ଖାଲି ସେତିକି ନୁହେଁ ବିଜେଡି ସମ୍ପୃକ୍ତ ଆର୍ଥିକ ବର୍ଷରେ ୨୧୧ କୋଟି ୫୦ ଲକ୍ଷ ଟଙ୍କାର ଅର୍ଥ ଇଲେକ୍ଟୋରାଲ୍‌ ବଣ୍ଡ ଆକାରରେ ଗ୍ରହଣ କରିଛି। ଏହାବାଦ୍‌ ୨୦ ହଜାର ଟଙ୍କା ତଳକୁ ଯେଉଁ ଅର୍ଥ ସଂଗ୍ରହ କରିଛି ତାହାର ବିବରଣୀ ଏଠାରେ ଉପସ୍ଥାପନ କରାଯାଇ ନାହିଁ। ପୁଣି ନଗଦ ଆକାରରେ ବିଜେଡି ଯେତିକି ଅର୍ଥ ସଂଗ୍ରହ କରିଛି ତାହା ବି ଉଲ୍ଲେଖ ନାହିଁ। ଏଥିରୁ ଅନୁମାନ କରିବା ସହଜ ଯେ, ବିଜେଡି ୨୦୧୮-୧୯ ନିର୍ବାଚନ ପାଇଁ କେତେ ଟଙ୍କା ଖର୍ଚ କରିଛି ଏବଂ କେତେ ସଂଗ୍ରହ କରିଛି।

କୋଡ଼ିଏ ହଜାର ଟଙ୍କାରୁ ଅଧିକ ଟଙ୍କାର ଦାନ ବ୍ୟାଙ୍କ୍‌ ମାଧ୍ୟମରେ  ସଂଗ୍ରହ କରିଥିବା ଦଳ ମାନଙ୍କ ଭିତରେ ସବୁଠାରୁ ଆଗରେ ଅଛି ଆନ୍ଧ୍ର ପ୍ରଦେଶରେ ଶାସନ କରୁଥିବା ୱାଇଏସ୍‌ଆର୍‌ କଂଗ୍ରେସ।  ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ଦଳ ୮୦ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କା ଦାନ ସଂଗ୍ରହ କରିଥିବା ବେଳେ ତେଲେଙ୍ଗାନାରେ ଶାସନ କରୁଥିବା ଟିଆର୍‌ଏସ୍‌ ୪୧ କୋଟି ୨୭ ଲକ୍ଷ ୫୦ ହଜାର ଟଙ୍କା ଆୟ କରିଛନ୍ତି। ଏହା ତଳକୁ ବିଜେଡି ତୃତୀୟ ସ୍ଥାନରେ ୨୯ କୋଟି ୩୧ ଲକ୍ଷ ସଂଗ୍ରହ କରିଥିବା ବେଳେ ତେଲୁଗୁ ଦେଶମ ପାର୍ଟି ୨୬ କୋଟି ୧୭ ଲକ୍ଷ, ଆପ୍‌ ୧୪ କୋଟି ୬୧ ଲକ୍ଷ, ଜନତା ଦଳ ୟୁ ୧୩ କୋଟି ୧୮ ଲକ୍ଷ, ପିଏମ୍‌କେ ୪ କୋଟି ୧୯ ଲକ୍ଷ, ଜେଡିଲସ୍‌ ୩ କୋଟି ୭୫ ଲକ୍ଷ, ଡିଏମ୍‌କେ ୩ କୋଟି ୫୦ ଲକ୍ଷ ଏବଂ ଏସ୍‌ଡିଏଫ୍‌ ୨ କୋଟି ୮୫ ଲକ୍ଷ।

ଲୋକପ୍ରତିନିଧି ଆଇନ-୧୯୫୧ ଅନୁସାରେ ୨୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଦାନ ସଂଗ୍ରହ କରିଲେ ସମ୍ପୃକ୍ତ ପାର୍ଟିକୁ ଶତ ପ୍ରତିଶତ ଆୟକର ରିହାତି ମିଳିବ। ଏହି ଅନୁସାରେ ଦେଶର ୫୨ ଆଞ୍ଚଳିକ ଦଳ ଭିତରୁ ୨୬ଟି ପାର୍ଟି ନିଜର ୨୦ ହଜାର ଟଙ୍କା ଉର୍ଦ୍ଧ୍ବ ଦାନ ସଂଗ୍ରହ ବିବରଣୀକୁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିଲେ। ସେଥିରୁ ଶିବ ସେନାର ବିବରଣୀ ଅସମ୍ପୂଣ୍ଣ ଥିବାରୁ ତାହାକୁ ବିଚାରକୁ ନିଆଯାଇ ନାହିଁ ବୋଲି ଏଡିଆର୍‌ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *