ପ୍ରଦୀପ ମହାରଥୀ ଗିରଫ
ନିଜ ଫାର୍ମ ହାଉସ୍ରେ ନିର୍ବାଚନ କମିଶନଙ୍କ ସ୍ଵତନ୍ତ୍ର ସ୍କ୍ଵାଡକୁ ମାଡ଼ ମାରିଥିବା ଘଟଣାରେ ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପୁରୀ ପୁଲିସ। ଥାନାରେ ଏ ନେଇ ପଚରାଉଚରା ଚାଲିଛି। ରବିବାର ସନ୍ଧ୍ୟାରେ ସ୍ମତନ୍ତ୍ର ଫ୍ଲାଇଂ ସ୍କ୍ଵାର୍ଡର ଏକ ଟିମ୍ ମହାରଥୀଙ୍କ ଫାର୍ମ ହାଉସ୍ରେ ଅଚାନକ ଯାଞ୍ଚ ପାଇଁ ପହଞ୍ଚିଥିଲେ। ସେଠାରେ ସ୍କାବଡର ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ର ଓ ତାଙ୍କ ଦୁଇ ସହଯୋଗୀ କିଛି ଦୁର୍ବୁର୍ତ୍ତ ମାଡ଼ ମାରିଥିଲେ। ଆହତ ଅବସ୍ଥାରେ ତାଙ୍କୁ ଭୁବନେଶ୍ଵର ୬ ନମ୍ବର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଗିରଫ ନେଇ ପୁରୀ ଏସ୍ପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
ଏହି ଘଟଣା ବେଳେ ଖୋଦ୍ ମହାରଥୀ ଉପସ୍ଥିତ ଥିଲେ ଏବଂ ତାଙ୍କୁ ଗୋଡ଼େଇ ଗୋଡ଼ଇ ମାରିଥିବା ଅଭିଯୋଗ ହୋଇଥିଲା। ଦଫା ୧୭୧ ବି, ୩୦୭, ୩୫୩, ୩୪୧, ୩୩୨, ୧୪୭ରୁ ୧୪୯ ପ୍ରଭୃତି ମାମଲା ତାଙ୍କ ବିରୋଧରେ ରୁଜୁ କରାଯାଇଛି।
ଗତକାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁରସ୍ଥିତ ଫାର୍ମ ହାଉସ୍ରେ ମଦ ଓ ଟଙ୍କା ବଣ୍ଟାଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାକୁ ଚଢାଉ କରିବାକୁ ଯାଇଥିଲା । ସେହି ସମୟରେ ନିଜେ ପ୍ରଦୀପ ମହାରଥୀ, ଫାର୍ମ ହାଉସ୍ ଭିତରେ ପଶି ଟିମ୍ ସଦସ୍ୟମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ରବି ନାରାୟଣ ଅଭିଯୋଗ କରିଛନ୍ତି ।
ଏଥିରେ ସେ ନିଜେ ଆହତ ହେବା ସହ ASI ବିନୟ କୁମାର ଦାସ ଓ ତାଙ୍କ ଡ୍ରାଇଭର ଦୀପକ ଆହତ ହୋଇଥିବା କହିଛନ୍ତି । ସେହିପରି ଫ୍ଲାଇଂ ସ୍କ୍ୱାର୍ଡ଼ କ୍ୟାମେରାମ୍ୟାନଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ କ୍ୟାମେରା ଭାଙ୍ଗିଦେଇଥିବା ସୂଚନା ମିଳିଛି।ଆହତ ମାଜିଷ୍ଟ୍ରେଟ୍ଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ମାଜିଷ୍ଟ୍ରେଟଙ୍କ ଆକ୍ରମଣ ଘଟଣାରେ ପୁରୀ ଏସ୍ପି ଉମାଶଙ୍କର ଦାସ କହିଛନ୍ତି, ନିର୍ବାଚନ ପରିଚାଳନାରେ ବାଧା ସୃଷ୍ଟି କରିବାକୁ ଉଦ୍ୟମ ହୋଇଛି। କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି, ଘଟଣାର ତଦନ୍ତ କରାଯାଉଛି।
ଆହତ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ର କହିଛନ୍ତି, ଆଇଆଇସିଙ୍କ ନିର୍ଦ୍ଦେଶରେ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସ୍ ପାଖକୁ ଯାଇଥିଲୁ। ସେଠାରେ ମଦ ଓ ଟଙ୍କା ବଣ୍ଟା ହେଉଥିବା ସୂଚନା ଥିଲା। ପହଞ୍ଚୁ ପହଞ୍ଚୁ ମୁଁ ଓ ମୋର SST(ସ୍ପେଶାଲ ସିକ୍ୟୁରିଟି ଟିମ୍) ଟିମକୁ ଫାର୍ମ ହାଉସ ଭିତରେ ପ୍ରଦୀପ ମହାରଥୀ ଗୋଡ଼ାଇ ପିଟିଥିଲେ। ଏଥିରେ ASI ବିନୟ କୁମାର ଦାସ ଆହତ ହୋଇଛନ୍ତି। ମୋର ଡ୍ରାଇଭର ଦୀପକ ମଧ୍ୟ ଆହତ ହୋଇଛନ୍ତି। ମଦ ଓ ଟଙ୍କା ବଣ୍ଟା ରୋକିବାକୁ ଯାଇ ଏହି ଅବସ୍ଥା ହୋଇଛି।
ସେ ଆହୁରି କହିଛନ୍ତି, ମୋର ଅଣ୍ଟାରେ ଆଘାତ ଲାଗିଛି, ଗୋଡ଼ ଲଗାଇ ପାରୁନି। ଭୟରେ ଗୋଟିଏ ଗାଡ଼ିରେ ୧୫ ଜଣ ପଳାଇ ଆସିଲୁ। ଆଉ ଗୋଟିଏ ଗାଡ଼ି ଫାର୍ମ ହାଉସ୍ ଭିତରେ ରହିଛି।











