ଟିକଟ ଚିନ୍ତାରେ ବହୁ ସାଂସଦ

ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। ଏହା ଯେ ମାର୍ଚ୍ଚ ମାସରେ ଯେକୌଣସି ତାରିଖରେ ହେବାର ସମ୍ଭାବନା ରହିଛି। ନିର୍ବାଚନ ଘୋଷଣା ହୋଇନଥିଲେ ହେଁ ରାଜ୍ୟରେ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ଅବଗଣନା ଆରମ୍ଭ ହୋଇଗଲାଣି। କଂଗ୍ରେସ ଓ ବିଜେପି ଆଗାମୀ ନିର୍ବାଚନରେ ସେମାନଙ୍କର ସାଂସଦ ପ୍ରାର୍ଥୀ କିଏ ହେବ ସେ ସମ୍ପର୍କରେ ସୂଚନା ଦେଉଥିବାବେଳେ ଶାସକ ବିଜେଡ଼ି ନେତୃତ୍ୱ ଏ ଦିଗରେ ନୀରବ ରହିଥିବା ପରିଲକ୍ଷିତ ହେଉଛି। ବିଜେଡ଼ି ଏପରି ଚିନ୍ତାଧାରା ପଛରେ ଯେଉଁ କାରଣ ରହିଛି ତାହା ହେଲା ଦଳର ଅନେକ ସାଂସଦ ବହୁଥର ନିର୍ବାଚିତ ହୋଇଛନ୍ତି। ସେମାନେ ନିର୍ବାଚିତ ହେବା ପରେ ମତଦାତା ଓ ଦଳୀୟ କର୍ମୀମାନଙ୍କ ସହିତ ସମ୍ପର୍କ ରଖୁନଥିବାବେଳେ ସାଂଗଠନିକ କାମ ବି କରୁନାହାନ୍ତି। ଫଳରେ ଅନେକ ସାଂସଦଙ୍କ ବିରୋଧରେ କ୍ଷମତା ବିରୋଧି ଲହର ସୃଷ୍ଟି ହୋଇଥିବା ଦଳୀୟ ନେତୃତ୍ୱ ଅନୁଭବ କରି ସେମାନଙ୍କୁ ପରିବର୍ତ୍ତନ କରିବା ଚିନ୍ତାରେ ଅଛନ୍ତି। ବିଜେଡ଼ି ନେତୃତ୍ୱଙ୍କ ଏଭଳି ଚିନ୍ତାଧାରା ଯୋଗୁଁ ଅନେକ ସାଂସଦ ଏବେ ଚିନ୍ତାରେ ଅଛନ୍ତି। ଏପରି କି ଆଗାମୀ ନିର୍ବାଚନରେ ଦଳ ପକ୍ଷରୁ ଯେପରି ଅଧିକରୁ ଅଧିକ ମହିଳା ସାଂସଦ ପ୍ରାର୍ଥୀ ଦିଆଯିବ ସେ ଦିଗରେ ଦଳୀୟ ନେତୃତ୍ୱ ଚିନ୍ତା କରୁଥିବା ଆଲୋଚନା ହେଉଛି।

ଆମଦାନୀଙ୍କୁ ଟିକେଟ

ଏଥର ନିର୍ବାଚନରେ ଶାସକ ବିଜେଡି ନିର୍ବାଚନରେ ମହିଳାଙ୍କୁ ତ ଗୁରୁତ୍ୱ ଦେବ। ତାଛଡ଼ା ଯେଉଁମାନେ ଅନ୍ୟ ଦଳରୁ ଆସି ବିଜେଡିରେ ମିଶିଛନ୍ତି ସେମାନଙ୍କ କଥା ବି ପ୍ରଥମେ ବିଚାରକୁ ନିଆଯିବ। ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଏଥର ପ୍ରାର୍ଥୀ ଚୟନ ତିନୋଟି କଥାକୁ ନେଇ ମୁଖ୍ୟତଃ କରାଯିବ। ପ୍ରଥମେ ମହିଳା, ଦ୍ଵିତୀୟରେ ନୂଆ ମୁହଁ ଓ ତୃତୀୟରେ ଜିତିବାର ସମ୍ଭାବନା। ଯେଉଁ ସବୁ ପାର୍ଲାମେଣ୍ଟ ଓ ବିଧାନସଭା ଆସନରେ ଏବର ସାଂସଦ ଓ ବିଧାୟକ ବିଗତ ୫ ବର୍ଷ ମଧ୍ୟରେ ଭଲ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ହିଁ ପୁଣି ଟିକେଟ ଦିଆଯିବ, ଅନ୍ୟଥା ନାହିଁ। ତାଛଡ଼ା ଆଉ ଏକ ଖବର ଆସୁଛି ଯେ ବେଶ୍ କିଛି ସାଂସଦ ଏଥର ବିଧାୟକ ହେବା ପାଇଁ ଚାହୁଁଛନ୍ତି।ଳଗତ ନିର୍ବାଚନରେ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ଏକାକି ୨୦ଟି ଆସନ ଦଖଲ କରିଥିଲା। ଏଥର ଯେପରି ସେହିସ୍ଥିତି ବଜାୟ ରହିବ ସେଥିନେଇ ଦଳ ଉଦ୍ୟମ ଚଳାଇଛି। ଲକ୍ଷ୍ୟ ହାସଲ ଲାଗି ଅଧିକ ସଂଖ୍ୟାରେ ନୂଆ ପ୍ରାର୍ଥୀ ଦେବା ପାଇଁ ଯୋଜନା କରାଯାଇଛି।

ବିଜେଡି ମହଲର ଆଲୋଚନା ଅନୁସାରେ କୋରାପୁଟ ଲୋକସଭା ଆସନରେ ନୂଆ ପ୍ରାର୍ଥୀ ଦିଆଯିବ। ଏଠାରେ ଥିବା ଦଳର ସାଂସଦ ଝିନ୍ନ ହିକକା ଆଉ ଲୋକସଭାକୁ ଯିବା ପାଇଁ ଚାହୁଁନାହାଁନ୍ତି। ସେ ବିଧାନସଭାରୁ ଲଢ଼ିବା ପାଇଁ ଆଗ୍ରହୀ ଅଛନ୍ତି। ଦଳ ମଧ୍ୟ ଏଠାରେ ପ୍ରାର୍ଥୀ ବଦଳାଇବ ଯୋଜନାରେ ରହିଛି। ସେହିପରି ନବରଙ୍ଗପୁର ଲୋକସଭା ଆସନରେ ଦଳର ସାଂସଦ ବଳଭଦ୍ର ମାଝି ମଧ୍ୟ ବିଧାନସଭା ପାଇଁ ଆଗ୍ରହୀ। ଦକ୍ଷିଣ ଓଡ଼ିଶାର ଏହି ଦୁଇ ସାଂସଦଙ୍କ ଇଛାକୁ ବିଜେଡ଼ି ନେତୃତ୍ୱ କେତେଦୂର ଗ୍ରହଣ କରିବେ ତାହା ଆଗାମୀ ଦିନରେ ଜଣାପଡ଼ିବ।

ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ବଦଳିବା ନିଶ୍ଚିତ। ଏଠାରେ ଥିବା ଦଳର ସାଂସଦ ଅର୍କକେଶରୀ ଦେଓଙ୍କୁ ବଦଳାଯିବ। ଶ୍ରୀ ଦେଓ ସାଂସଦ ହେବା ପରେ ଯେପରି ଲୋକମାନଙ୍କ ସୁଖଦୁଃଖରେ ରହିବା କଥା ନଥିବାରୁ ତାଙ୍କ ଲୋକପ୍ରିୟତା ହ୍ରାସ ପାଇଛି। ଫଳରେ ଦଳ ପାଇଁ ଅଡୁଆ ପରିସ୍ଥିତି ହୋଇଛି। ଏଠାରେ ଦଳର ବିଧାୟକ ଦିବ୍ୟଶଙ୍କର ମିଶ୍ର କିମ୍ବା କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ଭୂପିନ୍ଦର ସିଂହଙ୍କୁ ପ୍ରାର୍ଥୀ କରି ନିଜ ଦୁର୍ଗ ରକ୍ଷା କରିବାକୁ ଯୋଜନା ପ୍ରସ୍ତୁତି କରିଥିବା ଆଲୋଚନା ହେଉଛି।

ସମ୍ୱଲପୁର ଲୋକସଭା ଆସନରେ ସାଂସଦ ଥିବା ନଗେନ୍ଦ୍ର ପ୍ରଧାନ ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବା ସୁଯୋଗରୁ ବଞ୍ଚିତ ହେବେ। ତାଙ୍କ ଉପରେ ଦଳର ସଭାପତି ନବୀନ ପଟ‍୍‌ଯନାୟକ ସନ୍ତୁଷ୍ଟ ନଥିବା ଜଣାପଡ଼ିଛି। କାରଣ ବିଭିନ୍ନ ସମୟରେ ସାଂସଦ ଶ୍ରୀ ପ୍ରଦାନ ବିଭିନ୍ନ ସମୟରେ ଯେପରି ବିବାଦୀୟ ବୟାନ ଦେଉଛନ୍ତି ସେଥିରେ ଦଳ ଅଡ଼ୁଆ ପରିସ୍ଥିତର ସମ୍ମୁଖୀନ ହେଉଛି। ଫଳରେ ଆଗାମୀ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିବା ମୁଡ଼ରେ ବିଜେଡ଼ି ନାହିଁ। ସମ୍ୱଲପୁରରୁ ପୁର୍ତ୍ତ ବିଭାଗ ସଚିବ ନଳିନୀ ପ୍ରଧାନ କିମ୍ୱା ସମ୍ୱଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି।

ଗତ ନିର୍ବାଚନରେ ରାଜ୍ୟରେ ନବୀନ ହାୱା ପରେ ବି ଅଳ୍ପ ଭୋଟ ବ୍ୟବଧାନରେ ଜିତିଥିବା ବରଗଡ଼ ଲୋକସଭା ଆସନରେ ମଧ୍ୟ ପ୍ରାର୍ଥୀ ବଦଳିବେ। ଏଠାରେ ଥିବା ସାଂସଦ ପ୍ରଭାସ ସିଂହଙ୍କ ବିରୋଧରେ ସେପରି କିଛି ଅଭିଯୋଗ ନ ଥିଲେ ବି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତିଙ୍କୁ ଥଇଥାନ କରିବା ପାଇଁ ତାଙ୍କୁ ଏଠାରେ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଛି। କଂଗ୍ରେସ ଛାଡ଼ି ବିଜେଡିରେ ନବ ଦାସ ମିଶିବା ପରେ ଝାରସୁଗୁଡ଼ା ଆସନରେ ଥିବା ଦଳର ନେତା ତଥା ପ୍ରାର୍ଥୀ କିଶୋରଙ୍କୁ ଦଳ ଥଇଥାନ କରିବା ପାଇଁ ଚାହୁଁଛି। ଏପରି କି ଯେତେବେଳେ ନବ ବିଜେଡ଼ିରେ ମିଶିଥିଲେ ସେ ସମୟରେ କିଶୋରଙ୍କୁ ମନାଇବା ପାଇଁ ମଧ୍ୟ ଏପରି ପ୍ରସ୍ତାବ ରଖାଯାଇଥିବା କଥା କୁହାଯାଉଛି।

ସୁନ୍ଦରଗଡ଼ ଲୋକସଭା ଆସନରେ ଦିଲ୍ଲୀପ ତୀର୍କୀଙ୍କୁ ଏଥର ପ୍ରାର୍ଥୀ କରାଯାଇ ନ ପାରେ। ନିକଟରେ କଂଗ୍ରେସ ଛାଡ଼ି ବିଜେଡ଼ି ଯୋଗ ଦେଇଥିବା ଯେଗେଶ ସିଂହଙ୍କୁ ଏଠାରୁ ପ୍ରାର୍ଥୀ କରାଯିବାକୁ ଆଲୋଚନା ହେଉଛି। ଏପରିକି ଅସମର୍ଥୀତ ସୂତ୍ର ଅନୁସାରେ କଂଗ୍ରେସର ତଲସରା ବିଧାୟକ ପ୍ରଫୁଲ ମାଝୀଙ୍କୁ ବିଜେଡ଼ି ଅଣାଯାଇ ତାଙ୍କୁ ସାଂସଦ ପ୍ରାର୍ଥୀ କରାଯାଇପାରେ।


ଜଗତସିଂହପୁର ଲୋକସଭା ଆସନରେ ପ୍ରାର୍ଥୀ ବଦଳିବେ। ସାଂସଦ ଡାକ୍ତର କୁଳମଣୀ ସାମଲଙ୍କୁ ଏଥର ଆଉ ପ୍ରାର୍ଥୀ କରାଯିବନାହିଁ। ତାଙ୍କୁ କୁଆଡ଼େ ବିଧାନସଭାକୁ ପଠାଯିବ। ଏଠାରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଯଦିଓ ସ୍ପଷ୍ଟ ହୋଇନାହିଁ ।

କେନ୍ଦୁଝର ଲୋକସଭା ଆସନରେ ଗୋଟିଏ ପରିବାରରୁ ଦୁଇ ଜଣ ଲଗାତର ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି। ବର୍ତ୍ତମାନର ସାଂସଦ ଶକୁନ୍ତଳା ଲାଗୁରୀଙ୍କର ଲୋକସମ୍ପର୍କ ନଥିବାରୁ ତାଙ୍କୁ ପୁଣି ଥରେ ପ୍ରାର୍ଥୀ ନକରିବାକୁ ଦଳୀୟ ନେତୃତ୍ୱ ଚିନ୍ତା କରୁଛନ୍ତି। କିନ୍ତୁ କାହାକୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରାଯିବ ତାହା ସ୍ଥିର ହୋଇନଥିଲେ ଜଣେ ସର୍ବମାନ୍ୟ ନେତାଙ୍କ ତଲାସରେ ବିଜେଡ଼ି ରହିଛି।

କନ୍ଧମାଳ ଆସନର ପ୍ରାର୍ଥୀ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ପୁଣି ଥରେ ଲଢ଼ିବା ପାଇଁ ଆଗ୍ରହୀ ନାହାଁନ୍ତି । ସେ ବିଧାନସଭା ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି। ନୟାଗଡ଼ ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ସେ ତାଙ୍କ ମତାମତ ଦଳ ସୁପ୍ରିମୋଙ୍କୁ ଜଣାଇଥିବା କୁହାଯାଉଛି। କିନ୍ତୁ ସେଠାରେ ଦଳର ଟାଣୁଆ ବିଧାୟକ ଅରୁଣ ସାହୁ ଥିବାରୁ ସେ ଏଥରେ କେତେ ସଫଳ ହେବେ ତାହା ସନ୍ଦେହ । ଅନ୍ୟପକ୍ଷରେ ଦଳ ମହିଳାଙ୍କ ଉପରେ ଏଥର ଅଧିକ ଗୁରୁତ୍ୱ ଦେଉଥିବାରୁ ସେ ଆସନରୁ ପ୍ରତ୍ୟୁଷାଙ୍କୁ ବଦଳାଇବା ପାଇଁ ଚାହୁଁନାହିଁ।

ଢ଼େଙ୍କାନାଳ ଲୋକସଭା ଆସନରେ ପ୍ରାର୍ଥୀ ବଦଳିବା କଥା ମଧ୍ୟ ଆଲୋଚନା ହେଉଛି। ଏଠାରେ ଥିବା ଦଳର ସାଂସଦ ତଥାଗତ ସତପଥୀଙ୍କୁ ବିଧାୟକମାନେ ପ୍ରବଳ ବିରୋଧ କରୁଛନ୍ତି। ଶ୍ରୀ ଶତପଥୀ ପୁଣି ଆଗାମୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୁଅନ୍ତୁ ଲୋକସଭା ନିର୍ବାଚନମଣ୍ଡଳୀରେ ୭ଟି ବିଧାନସଭା ଆସନର ଦଳୀୟ ବିଧାୟକମାନେ କେହି ଜଣେ ହେଲେ ଚାହୁଁନାହାଁନ୍ତି। ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାଜ୍ୟସଭା ଲୋଭ ଦେଖାଯିବ ବୋଲି ଜଣାପଡ଼ିଛି। ଏଣୁ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ସୁଧୀର ସାମଲଙ୍କୁ ପ୍ରାର୍ଥୀ କରିବା ପାଇଁ ଯୋଜନା କରାଯାଇଛି ।

ଭୁବନେଶ୍ୱର ଲୋକସଭା ଆସନରେ ପରିବର୍ତ୍ତନ କଥା ଉଠିଛି । ଏଠାରେ ଲଗାତର ଭାବେ ଜିତି ଚାଲିଥିବା ଓ ଲୋକପ୍ରିୟ ନେତା ଭାବେ ପରିଚିତ ଥିବା ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ବଦଳାଯିବ ବୋଲି କୁହାଯାଉଛି। ତାଙ୍କୁ ବିଧାନସଭାକୁ ଅଣାଯିବା ଲାଗି ଯୋଜନା ରଖାଯାଇଛି। ପାଟ୍ଟଶାଣୀଙ୍କ ସ୍ଥାନରେ ବିଜୁ ଯୁବ ବାହିନୀର ଦାୟିତ୍ୱରେ ଥିବା ପୂର୍ବତନ ମୁମ୍ୱାଇ ପୁଲିସ କମିଶନର ଆଇପିଏସ ଅଫିସର ଅରୁପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବା ପାଇଁ ଯୋଜନା ହୋଇଛି। ତାଙ୍କୁ ପ୍ରତ୍ୟେକ୍ଷ ନିର୍ବାଚନ ମଇଦାନକୁ ଆଣିବାର ଥିବାରୁ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ବିଭିନ୍ନ ସମାବେଶରେ ସାମିଲ କରୁଥିବା ଦେଖିବାକୁ ମିଳୁଛି। ବିଜୁ ଯୁବ ବାହିନୀ ପକ୍ଷରୁ ବିଭିନ୍ନ ଅଂଚଳରେ କାର୍ଯ୍ୟକ୍ରମ ଗ୍ରହଣ କରି ତାଙ୍କୁ ଉପସ୍ଥାପନ କରାଯାଉଛି ।

ବ୍ରହ୍ମପୁର ଲୋକସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇବ। ଚଳଚ୍ଚିତ୍ର ତାରକା ତଥା ସାଂସଦ ସିଦ୍ଧାନ୍ତ ମହାପାତ୍ର ବଦଳିବେ। ତାଙ୍କ ସ୍ଥାନରେ କଂଗ୍ରେସରୁ ଆସି ଶଙ୍ଖ ଧରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ଦଳ ପ୍ରାର୍ଥୀ କରିବ।

ଆସିକା ଲୋକସଭା ଆସନରେ ମଧ୍ୟ ନୂଆ ପ୍ରାର୍ଥୀ ଦିଆଯିବ। ଏଠାରେ ଦଳର ସାଂସଦ ଥିବା ଲଡୁକେଶର ସ୍ୱାଇଁଙ୍କର ଇତିମଧ୍ୟରେ ଦେହାନ୍ତ ହୋଇଛି। ଏଠାରେ ତାଙ୍କ ସ୍ଥାନରେ ପୂର୍ବତନ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ଲତିକା ପ୍ରଧାନଙ୍କୁ ପ୍ରାର୍ଥୀ କରିବା ପାଇଁ ଯୋଜନା ରଖାଯାଇଛି ବୋଲି କୁହାଯାଉଛି।

ମୟୂରଭଞ୍ଜ ଲୋକସଭା ଆସନରେ ଦଳର ସାଂସଦ ଥିବା ରାମଚନ୍ଦ୍ର ହାଂସଦା ଚିଟଫଣ୍ଡ ଦୁର୍ନୀତିରେ ଫସି ଗିରଫ ହୋଇ ଜେଲ ଯାଇଥିବାରୁ ଦଳ ତାଙ୍କୁ ନିଲମ୍ବିତ କରିଛି। ସେ ନିଜେପୁଣି ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିଲେ ବି ସେଠାରେ ଦଳ ନୂଆ ପ୍ରାର୍ଥୀ ଦେବାକୁ ଚିନ୍ତା କରିଛ। ଜେଏମଏମରୁ ଆସି ବିଜେଡିରେ ଯୋଗ ଦେଇଥିବା ଦେବାଶିଷ ମାରାଣ୍ଡିଙ୍କୁ ପ୍ରାର୍ଥୀ କରାଯିବାର ଯଥେଷ୍ଟ ସମ୍ଭାବନା ଅଛି।

ବାଲେଶ୍ୱର ଲୋକସଭା ଆସନରେ ଦଳର ପ୍ରାର୍ଥୀ ରବୀନ୍ଦ୍ର ଜେନା ମଧ୍ୟ ଚିଟଫଣ୍ଡ ଦୁର୍ନୀତିରେ ଫସିଛନ୍ତି। ସେ ଗିରଫ ହୋଇ ନ ଥିଲେ ବି ଆଗୁଆ ଜାମିନରେ ରହିଛନ୍ତି। ସେ ବିଧାନସଭା ଆସନରୁ ଲଢ଼ିବା ପାଇଁ ଆଗ୍ରହୀ ଅଛନ୍ତି। ବାଲେଶ୍ୱରରୁ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଗ୍ରହ ଥିବା କଥା କୁହାଯାଉଛି ।

ଭଦ୍ରକ ଲୋକସଭା ଆସନର ଦଳୀୟ ସାଂସଦ ଅଜୁର୍ନ ଚରଣ ସେଠୀଙ୍କୁ ଦଳ ଏଥର ଆଉ ପ୍ରାର୍ଥୀ କରିବ ନାହିଁ। ସେ ଏକଥା ଜାଣି ତାଙ୍କ ପୁଅ ଅଭୁମନ୍ୟୁ ସେଠୀଙ୍କ ପାଇଁ ଲବି ଚଳାଇଛନ୍ତି। କିନ୍ତୁ ସ୍ଥାନୀୟ ବିଧାୟକମାନେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି।

ଯାଜପୁର ଲୋକସଭା ଆସନରେ ଦଳର ସାଂସଦ ରିତା ତରାଇଙ୍କୁ ଏଥର ପରିବର୍ତ୍ତନ କରାଯିବ। ତାଙ୍କ ସ୍ଥାନରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିବା ପାଇଁ ସ୍ଥାନୀୟ କିଛି ନେତା ଚାହୁଁଛନ୍ତି।

କେନ୍ଦ୍ରାପଡ଼ା ଲୋକସଭା ଆସନରେ ଦଳର ସାଂସଦ ଥିବା ବୈଜୟନ୍ତ ପଣ୍ଡା ଆଉ ଦଳରେ ନାହାଁନ୍ତି। ସେଠାରେ ଦଳ ନୂଆ ପ୍ରାର୍ଥୀ ଦେବ। ଏଣୁ ରାଜ୍ୟ ସଭା ସାଂସଦ ପ୍ରତାପ କେଶରୀ ଦେବଙ୍କ ନାଁ ଚର୍ଚ୍ଚାକୁ ଆସିଛି। ହେଲେ ସେ ଆଳି ବିଧାନସଭା ଆସନରୁ ଲଢ଼ିବା ପାଇଁ ଚାହୁଁଛନ୍ତି। ଜିତିକି ଆସିଲେ ମନ୍ତ୍ରୀ ହେବାର ତାଙ୍କର ସମ୍ଭାବନା ଅଧିକ। ସେଥିପାଇଁ ସେ ଆଉ ଲୋକସଭାକୁ ଯିବାକୁ ଚାହୁଁ ନ ଥିବା କୁହାଯାଉଛି। ତେଣୁ କେନ୍ଦ୍ରାପଡ଼ାରୁ ପୁର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କ ନାମ ଚର୍ଚ୍ଚକାୁ ଆସିଛି।

ଯେଉଁ ଆସନରେ ପ୍ରାର୍ଥୀ ଅପରିବର୍ତ୍ତିତ ରହିବେ

କଟକ ଲୋକସଭା ଆସନରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସୂଚନା ମିଳିଛି । ସାଂସଦ ଭର୍ତ୍ତୃହରି ମହତାବ ସମ୍ପୂର୍ଣ୍ଣ ନିରାପଦ ରହିଛନ୍ତି ।

ବଲାଙ୍ଗୀର ଲୋକସଭା ଆସନରେ ପରିବର୍ତ୍ତନ ହେବନାହିଁ। ଦଳର ସାଂସଦ କଳିକେଶ ନାରାୟଣ ସିଂହଦେଓ ପୁଣି ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି। କଳିକେଶଙ୍କୁ ନେଇ ବଲାଙ୍ଗୀର ଓ ସୋନପୁରରେ କର୍ମୀଙ୍କ ମନରେ ଅସନ୍ତୋଷ ରହିଛି। କିନ୍ତୁ ସେ ଦଳର ସୁପ୍ରିମୋଙ୍କ ବିଶ୍ୱାସର ପାତ୍ର ହୋଇଥିବାରୁ ତାଙ୍କ ଟିକଟ ସୁନିଶ୍ଚିତ ବୋଲି କୁହାଯାଉଛି।

ପୁରୀ ଲୋକସଭା ଆସନରେ ପରିବର୍ତ୍ତନ ସମ୍ଭାବନା କ୍ଷୀଣ। ସାଂସଦ ପିନାକୀ ମିଶ୍ରଙ୍କୁ ପୁଣି ପ୍ରାର୍ଥୀ କରାଯିବ। ହେଲେ କିଛି ବିଧାୟକ ତାଙ୍କୁ ବିରୋଧ କରୁଥିଲେ ମଧ୍ୟ ତାହା କାମ ଦେବେନାହିଁ ବୋଲି କୁହାଯାଉଛି।

Leave a Reply

Your email address will not be published.