ବିଧାୟକ ନୁହେଁ, ବହୁ ସାଂସଦଙ୍କ ଟିକଟ କଟିବ

ବିଧାନସଭା ପାଇଁ ସେଫ ଗେମ ଖେଳିବ ବିଜୁ ଜନତା ଦଳ। ଏକ ସମୟରେ ଚର୍ଚ୍ଚା ହେଉଥିଲା ଯେ, ଗତ ଥରର ୬ ୦-୭୦ଜଣ ବିଧାୟକଙ୍କୁ ଏଥର ବିଜୁ ଜନତା ଦଳ ରିପିଟ କରିବ ନାହିଁ। ଏମାନଙ୍କ ମଧ୍ୟରୁ ୫୦ବର୍ଷ ବୟସରୁ ଊର୍ଦ୍ଧ୍ୱ ବିଧାୟକ। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ କେବଳ ଲୋକସଭା ପାଇଁ ବିଜେଡ଼ି ଅନେକ ପୂର୍ବ ସାଂସଦଙ୍କୁ ଟିକଟ ଦେବ ନାହିଁ। ମାତ୍ର ବିଧାନସଭା ପାଇଁ ବିଧାୟକଙ୍କ ଉପରେ ହାତ ମାରିବା ପାଇଁ ବିଜେଡ଼ି ନେତୃତ୍ୱ ଭୟ କରୁଛନ୍ତି।

ଏତେବଡ଼ ସଂଖ୍ୟାରେ ବିଧାୟକଙ୍କୁ ଟିକଟ ନଦେଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଏବେ ବିଜେଡ଼ି ନେତୃତ୍ୱ ଭୟ କରୁଛନ୍ତି। ପୂର୍ବତନ ବିଧାୟକ ଜିତୁ ମିତ୍ର ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି। ତାଙ୍କୁ ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁଙ୍କ ସ୍ଥାନରେ ବିଜେଡ଼ି ଟିକଟ ମିଳିବ ମିଳିବ। ରାଜୁ ସାହୁଙ୍କୁ ବୋଲଗଡ଼-ବେଗୁନିଆକୁ ଠେଲି ଦିଆଯିବ। କେବଳ ବଳି ପଡ଼ିବେ ପ୍ରଶାନ୍ତ ଜଗଦେବ। ପୂର୍ବରୁ ରାଜୁ ସାହୁଙ୍କୁ ଟିକଟ ନମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ରାଜୁ ସାହୁଙ୍କୁ ଟିକଟ ନମିଳିଲେ ଖୋର୍ଦ୍ଧାରେ ଜିତୁଙ୍କ ପରିସ୍ଥିତି ଶୋଚନୀୟ ହେବ ଆଶଙ୍କା କରି ତାଙ୍କୁ ବୋଲଗଡ଼ରେ ଥଇଥାନ କରିବା ନିମନ୍ତେ ଆପାତତଃ ନିଷ୍ପତ୍ତି ହୋଇଛି।

ଏହାକୁ ବୋଲଗଡ଼-ବେଗୁନିଆର ବିଜେଡ଼ି ବିଧାୟକ ଗଣେଶ ଜଗଦେବ କିଭଳି ଗ୍ରହଣ କରିବେ, ତାହା ଭିନ୍ନ କଥା। ଶାସକ ଦଳ ହୋଇଥିବାରୁ ବିଜେଡ଼ିରୁ ଟିକଟ ପାଇବା ପାଇଁ ଆଶା କରି ଅନ୍ୟ ଦଳରୁ ବହୁ ନେତା ଏହି ଦଳକୁ ଆସିସାରିଲେଣି। ଏହା ଏକ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ମ୍ୟାନେଜ କରିହେବ ବୋଲି ଦୃଢ଼ୋକ୍ତି କରିଛନ୍ତି।

ତାଙ୍କୁ ପଚରା ଯାଇଥିଲା ଯେ, ଅନେକ ପ୍ରଶାସକ ଏବଂ ଅନ୍ୟ ଦଳର ନେତା ବିଜେଡ଼ିରେ ସାମିଲ ହୋଇଛନ୍ତି। ସେମାନଙ୍କୁ କିଭଳି ଥଇଥାନ କରାଯିବ?

ଉତ୍ତରରେ ନବୀନ କହିଥିଲେ ଯେ, ଭଲ ଭାବେ ମ୍ୟାନେଜ କରାଯିବ। ନିର୍ବାଚନରେ ବିଜେଡ଼ି ଭଲ କରିବ। ଖୁବଶୀଘ୍ର ବିଜେଡ଼ି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ସେ କହିଥିଲେ। ଦଳର ସଭାପତି ଭାବେ ଏଭଳି ଦୃଢ଼ୋକ୍ତି କରିବାରେ ଅସ୍ୱାଭାବିକତା ନାହିଁ। କିନ୍ତୁ ବାହାର ଦଳରୁ ଯେଉଁମାନଙ୍କୁ ଆଣି ଟିକଟ ଦିଆଯିବାର ଯୋଜନା ହୋଇଛି, ସେମାନଙ୍କୁ ଦଳୀୟ କର୍ମୀମାନେ ସହଜରେ ଗ୍ରହଣ କରିବେ ନାହିଁ।

ଏହାର ଗୋଟିଏ ଉଦାହରଣ ଏଠାରେ ଦିଆଯାଇପାରେ। ଗତଥର ସିମୁଳିଆ ଆସନରେ ବିଜେପି ପ୍ରାର୍ଥୀ ଥିଲେ ଶଶିଭୂଷଣ ସାହୁ। ପ୍ରାୟ ୨୮ହଜାର ଭୋଟ ପାଇ ସେ ଥିଲେ ତୃତୀୟ ସ୍ଥାନରେ। କିନ୍ତୁ ଆସନଟିକୁ ବିଜୁ ଜନତା ଦଳର ଜ୍ୟୋତି ପାଣିଗ୍ରାହୀ ଭଲ ଭୋଟ ବ୍ୟବଧାନରେ ଜିତିଥିଲେ। ଏଥର କିନ୍ତୁ ବିଜେଡ଼ି ଶଶିଙ୍କୁ ଜ୍ୟୋତିଙ୍କ ସ୍ଥାନରେ ପ୍ରାର୍ଥୀ କରିବାକୁ ଯାଉଛି। ଏହାକୁ ଚାରିଆଡ଼ୁ ବିରୋଧ କରାଗଲାଣି।

ତେଣୁ ମୋଟାମୋଟି ଭାବେ ବହୁ ବିଧାୟକଙ୍କୁ ଟିକଟରୁ ବଞ୍ଚିତ କରି ସେମାନଙ୍କ ସ୍ଥାନରେ ପ୍ରଶାସକ ଓ ଅନ୍ୟ ଦଳର ନେତାମାନଙ୍କୁ ଥଇଥାନ କରିବା ସକାଶେ ଯେଉଁ ମୂଳ ଯୋଜନାଟି ଥିଲା, ସେଥିରେ ପରିବର୍ତ୍ତନର ସୂଚନା ମିଳୁଛି। ଯେଉଁମାନଙ୍କର ଟିକଟ କାଟିଦିଆଗଲେ ଆଉ ବିପଦ ସୃଷ୍ଟି କରିବାର ଆଶଙ୍କା କମ, ସେମାନଙ୍କୁ ବଳି ଦିଆଯିବ। କିନ୍ତୁ ୬୦-୭୦ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରାଗଲେ, ବିଜେପି ଏହାର ଫାଇଦା ନେଇଯିବ ବୋଲି ଦଳୀୟ ନେତୃତ୍ୱ ଆଶଙ୍କା କରୁଛନ୍ତି।

କିନ୍ତୁ ଏହି ପରିବର୍ତ୍ତିତ ଯୋଜନା ମଧ୍ୟ ବିଜେଡ଼ି ପାଇଁ ସମସ୍ୟା ସୃଷ୍ଟି କରିବ। ଏତେ ଆଶାୟୀ ଜନ୍ମ ନେଇସାରିଛନ୍ତି ଯେ, ଟିକଟ ନମିଳିଲେ ସେମାନେ ଭଙ୍ଗୁଆରୀ ଭୂମିକାରେ ଉଭା ହୋଇପାରନ୍ତି। ବିଜୁ ଜନତା ଦଳ ଭିତରେ ଏକ ଧାରଣା ଦିନକୁ ଦିନ ଅଧିକ ଘନୀଭୂତ ହେବାରେ ଲାଗିଛି ଯେ, ଏହା ହେଉଛି ନବୀନଙ୍କ ଶେଷ ନିର୍ବାଚନ। ବିଜୁ ଜନତା ଦଳ ରହିବ କି ନାହିଁ, ଏହାକୁ ନେଇ ନେତମାନେ ଘୋର ସନ୍ଦେହରେ। ତେଣୁ ଯେମିତି ବି ହେଉ, ଦେହରେ ବିଜେଡ଼ି ପ୍ରାର୍ଥୀ ଷ୍ଟାମ୍ପ ଲାଗିଲେ, ପରବର୍ତ୍ତୀ କାଳରେ ଅନ୍ୟ ଦଳରେ ବି ମୂଲଚାଲ କରିହେବ। ତେଣୁ ଏହି ଆଶାୟୀଙ୍କୁ ସନ୍ତୁଷ୍ଟ କରିବା ଏତେ ସହଜ ନୁହେଁ।

ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published. Required fields are marked *