୫ ଆସନରେ ବଦଳି ପାରନ୍ତି ବିଜେଡି ପ୍ରାର୍ଥୀ
ଟିକଟ ଅଡୁଆ ଛିଣ୍ଡୁନଥିବାବେଳେ ବିଜେଡି ଘୋଷିତ ଆସନରେ ପ୍ରାର୍ଥୀ ବଦଳାଇବାକୁ ପଦକ୍ଷେପ ନେଇଛି। ଶୁକ୍ରବାର ଦିନ ଏହି କ୍ରମରେ କାକଟପୁର ବିଧାନସଭା ଆସନରେ ଘୋଷିତ ପ୍ରାର୍ଥୀ ସୁରେନ୍ଦ୍ର ସେଠୀଙ୍କୁ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। ଆନୁଷ୍ଠାନିକ ଭାବେ ଦଳ ପକ୍ଷରୁ ଘୋଷଣା ହୋଇନଥିଲେ ମଧ୍ୟ ଆଜି କାକଟପୁର ଆସନରେ ବିଜେଡି ପ୍ରାର୍ଥୀ ଭାବେ ତୁଷାରକାନ୍ତି ବେହେରା ମନୋନୟନ ପତ୍ର ଦାଖଲ କରିବେ।
ଦଳ ପକ୍ଷରୁ ତାଙ୍କୁ ନିଦ୍ଦେର୍ଶ ମିଳିଥିବା ତୁଷାରଙ୍କ ନିକଟତମ ମହଲରୁ ସୂଚନା ମିଳିଛି। ପୂର୍ବରୁ ବିଜେପିର ପ୍ରାର୍ଥୀ ଘୋଷିତ ହୋଇଥିବା ତୁଷାରକାନ୍ତିକୁ ବିଜେଡି ନିଜ ସପକ୍ଷରେ ନେବା ପରେ ତାଙ୍କୁ ପ୍ରାର୍ଥିଭାବେ ଛିଡା କରାଯାଇଛି। ଉପକୂଳ ଜିଲ୍ଲାରେ ବିଜେଡିକୁ ବିଜେପିକୁ କଡ଼ା ଟକ୍କର ଦେଉଥିବାରୁ ଦଳର ରଣନୀତି ଘନଘନ ପରିବର୍ତ୍ତନ ହେଉଛି। କେତେକ ଆସନରେ ଘୋଷିତ ପ୍ରାର୍ଥର୍ୀ ବଦଳାଇବାକୁ ନବୀନ ନିବାସରେ ପ୍ରବଳ ଚାପ ହେଉଥିବାରୁ ୫ଟି ଆସନରେ ପ୍ରାର୍ଥୀ ବଦଳାଇବାକୁ ଜୋରସୋର ଆଲୋଚନା ଚାଲିଛି।
ପାଟକୁରା, ରାଜନଗର, ପାରାଦୀପ, ଜଗତସିଂହପୁର, ବାଲିକୁଦା ଓ ଏରସମାରେ ପ୍ରାର୍ଥୀ ବଦଳାଇବାକୁ ସଭାପତି ବିଚାର ବିମର୍ଶ ଚଳାଇଛନ୍ତି। ବର୍ତ୍ତମାନ ସୁଦ୍ଧା ବିଜେଡି କେନ୍ଦ୍ରାପଡ଼ା ଓ ବାରିପଦା ଆସନରେ ପ୍ରାର୍ଥୀ ଘେ।ଷଣା କରିନଥିିବାବେଳେ ଏବେ ଚାପ ଯୋଗୁଁ ଅନେକ ଆସନରେ ପ୍ରାର୍ଥୀ ବଦଳାଇବାକୁ ଦଳ କର ବା ମର ସ୍ଥିତିରେ ପହଞ୍ଚିଛି।
ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ସବୁ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଚୟନକୁ ବିରୋଧ ହେଉଥିବା ଦେଖିବାକୁ ମିଳିଛି। ତୁଷାରକାନ୍ତିଙ୍କ ନାମ ଦଳ ପକ୍ଷରୁ ବିଧିବଦ୍ଧ ଘୋଷଣା ହୋଇନାହିଁ।
ଶୁକ୍ରବାର ଦିନ ଏଠାରୁ ଘୋଷିତ ପ୍ରାର୍ଥୀ ସୁରେନ୍ଦ୍ର ସେଠୀ ଦଳବଳ ଧରି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରାର୍ଥୀପତ୍ର ଦାଖଲ ପାଇଁ ଯାଉଥିବାବେଳେ ବିଜେଡି କାର୍ଯ୍ୟାଳୟରୁ ଟେଲିଫୋନ ମିଳିଥିଲା। ଆଗକୁ ନ ବଢ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଶୋଭାଯାତ୍ରାକୁ ଅଧାରୁ ବନ୍ଧ କରି ସୁରେନ୍ଦ୍ର ସମର୍ଥକମାନ ବୈଠକ କରିଥିଲେ। ରାତିରେ ନବୀନ ନିବାସରେ ସୁରେନ୍ଦ୍ରଙ୍କ ସମର୍ଥକମାନେ ପହଞ୍ଚି ପ୍ରତିବାଦ ପ୍ରଦର୍ଶନ କରିଥିଲେ। ସୁରେନ୍ଦ୍ରଙ୍କ ଟିକଟ ଫେରାଇ ଦେବାକୁ ଦାବି କରି ଏହି ସମର୍ଥକମାନେ ନାରାବାଜି କରିଥିଲେ ମଧ୍ୟ ସେମାନଙ୍କୁ କୌଣସି ଆଶ୍ୱସନା ମିଳିନାହିଁ।