ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବିଜେଡିର ପସନ୍ଦ
କିଛିଦିନ ତଳେ ବିଜୁ ଜନତା ଦଳର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ପରେ କିଛି ସାଂସଦ ଓ ବିଧାୟକ ଦଳ ଛାଡ଼ି ବିଜେପିକୁ ଚାଲିଯାଇଥିଲେ। ସେମାନଙ୍କୁ ଟିକଟ ମିଳି ନଥିଲା। ସେତେବେଳେ ବିଜେପିକୁ ଆକ୍ଷେପ କରି ବିଜେଡି ମୁଖପାତ୍ରମାନେ କହିଥିଲେ ଯେ, ବିଜେପିକୁ ପ୍ରାର୍ଥୀ ମିଳୁ ନାହାନ୍ତି। ତେଣୁ ଏହି ଦଳ ବିଜେଡି ପ୍ରାର୍ଥୀ ତାଲିକାକୁ ଅପେକ୍ଷା କରୁଛି।

କିନ୍ତୁ ବାସ୍ତବତା ଭିନ୍ନ। ନିଜ ଦଳରେ ପ୍ରାର୍ଥୀ ମିଳୁ ନାହାନ୍ତି ବୋଲି ବିଜେପି ସ କଂଗ୍ରେସରୁ ପ୍ରାର୍ଥୀମାନଙ୍କୁ ବିଜେଡି ନେଇଆସୁଛି। ଏପରି କି ତିନିଟି ସ୍ଥାନରେ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ମଧ୍ୟ ଜିତିବାକୁ ନେଇ ନିଶ୍ଚିତ ନଥିବାରୁ ବିଜେପି ସ କଂଗ୍ରେସ ପ୍ରାର୍ଥୀଙ୍କୁ ହଡ଼ପ କରିନେଇଛି ଶାସକ ଦଳ। ଗତ ୨୯ ତାରିଖ ଦିନ ପ୍ରଧାନମନ୍ତ୍ରୀ କୋରାପୁଟ ଆସିବା ବେଳେ ଆନନ୍ଦପୁରର ବିଜେପି ପ୍ରାର୍ଥୀ ଭାଗିରଥୀ ସେଠୀଙ୍କୁ ନେଇଯାଇଥିଲା ବିଜେଡି। ପରଘରର ସ୍ପେଶାଲ ତିଅଣ ନିଜ ଘରର ତିଅଣଠାରୁ ଭଲ ବୋଲି ଭାବିଥିଲେ ନବୀନ ପଟ୍ଟନାୟକ।

ଏବେ ମୋଦୀଙ୍କ ଦ୍ୱିତୀୟ ଗସ୍ତ ସମୟରେ କାକଟପୁରର ବିଜେପି ପ୍ରାର୍ଥୀ ତୁଷାର ବେହେରାଙ୍କୁ ନେଇଗଲା ବିଜେଡି। କାକଟପୁର ପାଇଁ ମାତ୍ର ଦିନକ ତଳେ ସଭାପତି ନବୀନ ପଟ୍ଟନାୟକ ସୁରେନ୍ଦ୍ର ସେଠୀଙ୍କୁ ପୁନର୍ବାର ପ୍ରାର୍ଥୀ ଘୋଷଣା କରିଥିଲେ। କିନ୍ତୁ ସୁରେନ୍ଦ୍ର କିମ୍ୱା ନିଜର ଭାବମୂର୍ତ୍ତି କାକଟପୁର ଆସନ ଜିଣିପାରିବ ନାହିଁ ବୋଲି ଭାବିବା ପରେ ମୁଖ୍ୟମନ୍ତ୍ରୀ ବିଜେପି ପ୍ରାର୍ଥୀଙ୍କୁ ନେଇଆସିଲେ।

ସେହିପରି କବିସୂର୍ଯ୍ୟନଗରରୁ କଂଗ୍ରେସରୁ ବିଧାନସଭା ଟିକେଟ ପାଇଥିବା ସୀତାରାମ ପାଣିଗ୍ରାହୀଙ୍କୁ ବିଜେଡି ଦଳରେ ଗ୍ରହଣ କରିନେଇଛି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସୀତାରାମ ନିଜର ଶତାଧିକ ସମର୍ଥକଙ୍କ ସହିତ ବିଜେଡିରେ ମିଶିଛନ୍ତି । ଏହି ପର ତିଅଣ ପାଇଁ କୋଟି କୋଟି ଟଙ୍କାର ଡିଲ ହୋଇଥିବା ସନ୍ଦେହ କରାଯାଉଛି। ଏହା ମଧ୍ୟ ଲୋକେ ଜାଣିଲେଣି ଯେ, ନବୀନ ନିଜ ଭାବମୂର୍ତ୍ତି କିମ୍ୱା ସରକାରଙ୍କ ବିକାଶ ଆଧାରରେ ନିଜ ପ୍ରାର୍ଥୀଙ୍କୁ ଜିତାଇ ପାରିବେ ବୋଲି ଭାବୁ ନାହାନ୍ତି।