ଖର୍ଚ କରିପାରୁନି ବିଜେଡି: ବ୍ୟୟଠୁ ଆୟ ୩ଗୁଣା
ଭୁବନେଶ୍ଵର, (ଓଟି): ଦିନକୁଦିନ ବଳିଷ୍ଠ ହୋଇଚାଲିଛି ବିଜେଡି। ଉଭୟ ଲୋକପ୍ରିୟତା ଓ ଅର୍ଥନୀତିକ ଦୃଷ୍ଟିକୋଣରେ ଏହା ଏବେ ଜାତୀୟ ସ୍ତରର ଏକ ପ୍ରମୁଖ ଆଞ୍ଚଳିକ ଦଳ। ନିଜର ଅର୍ଥନୀତିକ ସ୍ଥିତି ଏତେ ଶକ୍ତ ଯେ, ଦେଶର ୪୮ଟି ଜଣାଶୁଣା ଆଞ୍ଚଳିକ ଦଳ ଭିତରେ ବିଜେଡିର ସ୍ଥାନ ହେଉଛି ଚତୁର୍ଥ। ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍ ପକ୍ଷରୁ ପ୍ରକାଶିତ ବିଶ୍ଳେଷଣ ରିପୋର୍ଟରେ ଏହା ସ୍ପଷ୍ଟ କରାଯାଇଛି।
ନିର୍ବାଚନ କମିଶନଙ୍କ ପାଖରେ ଏହି ଆଞ୍ଚଳିକ ଦଳଗୁଡ଼ିକ ୨୦୧୭-୧୮ ବର୍ଷ ପାଇଁ ନିଜର ଆୟ ବ୍ୟୟ ହିସାବ ଦାଖଲ କରିଥିବା ରିପୋର୍ଟଗୁଡ଼ିକୁ ବିଶ୍ଳେଷଣ କରି ନ୍ୟାସ୍ନାଲ୍ ଇଲେକ୍ସନ୍ ୱାଚ୍ ଏକ ବିସ୍ତୃତ ରିପୋର୍ଟ ଗୁରୁବାର ଉନ୍ମୋଚନ କରିଛନ୍ତି। ଏଥିରେ କୁହାଯାଇଛି, ବିଜେଡି ହେଉଛି ସମାଜବାଦୀ ପାର୍ଟି, ଡିଏମ୍କେ ଏବଂ ଟିଆର୍ଏସ୍ ପରେ ଚତୁର୍ଥ ଆଞ୍ଚଳିକ ପାର୍ଟି ଯାହାର ଆୟ ତୁଳନାରେ ବ୍ୟୟ ଯଥେଷ୍ଟ କମ୍।
୨୦୧୭-୧୮ ଆର୍ଥକ ବର୍ଷରେ ବିଜେଡି ବିଭିନ୍ନ ସୂତ୍ରରୁ ୧୪ କୋଟି ୧୧ଲକ୍ଷ ଟଙ୍କା ଆୟ କରିଥିଲେ। ଏହି ଟଙ୍କାରୁ ମାତ୍ର ୫.୨୬ କୋଟି ଟଙ୍କା ଖର୍ଚ କରିବାରେ ଦଳ ସକ୍ଷମ ହୋଇଥିଲା। ଅର୍ଥାତ୍ ୨୦୧୮-୧୯ ଆର୍ଥକ ବର୍ଷ ପାଇଁ ଦଳ ପାଖରେ ପୂର୍ବ ବର୍ଷର ୮କୋଟି ୮୬ ଲକ୍ଷ ଟଙ୍କା ପଡ଼ି ରହିଛି ଖର୍ଚ ପାଇଁ। ଏହା ଖର୍ଚ ହୋଇଥିବା ଟଙ୍କାର ପାଖାପାଖି ୩ଗୁଣା। ହିସାବ ଅନୁସାରେ କହିଲେ ୬୨.୭୪ ପ୍ରତିଶତ ଟଙ୍କା ଅଣ ଖର୍ଚ ପରିମାଣ।
୭ଗୁଣା ଆୟ
୨୦୧୬-୧୭ ଏବଂ ୨୦୧୭-୧୮ ଆର୍ଥିକ ବର୍ଷର ଆୟ ବ୍ୟୟ ଅଟକଳକୁ ତୁଳନା କଲେ ଜଣାଯାଏ ଯେ ଗଲାବର୍ଷ ବିଜୁ ଜନତା ଦଳ ପାଖାପାଖି ୭ଗୁଣା ଅର୍ଥ ଅଧିକ ଆୟ କରିଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଦଳର ସମୁଦାୟ ଆୟ ଥିଲା ୧କୋଟି ୮୮ ଲକ୍ଷ ଏବଂ ତାହା ୨୦୧୭-୧୮ ଆର୍ଥିକ ବର୍ଷରେ ୧୪ କୋଟି ୧୧ ଲକ୍ଷରେ ପହଞ୍ଚିପାରିଛି।
୯୨ ପ୍ରତିଶତ ସଦସ୍ୟ ପାଉଣା
ଦଳର ପାଣ୍ଠି ଏତେ ବଢ଼ିବାର କାରଣ ପଛରେ ରହିଛି ସଦସ୍ୟ ପାଉଣା। ଏହା ଦଳୀୟ ଆକାଉଣ୍ଟ ରିପୋର୍ଟରେ ଦର୍ଶାଯାଇଛି। ୧୩କୋଟି ୪ ଲକ୍ଷ ଟଙ୍କା ସଦସ୍ୟମାନଙ୍କଠାରୁ ଦେୟ ବା ଦଳୀୟ ସବ୍ସ୍କ୍ରିପ୍ସନ ଆକାରରେ ଆଦାୟ କରାଯାଇଛି। ଏହି ପରିମାଣ ହେଉଛି ସମୁଦାୟ ଆୟର ୯୨.୩୮ ପ୍ରତିଶତ। ଅନ୍ୟ ଯେଉଁ ଆୟ ରହିା ତାହା ହେଲା ଦାନ ବା ଚାନ୍ଦା।
କେମିତି ହୋଇଛି ଖର୍ଚ
ଯେଉଁ ହିସାବ ତାଲିକା ଦଳ ଦାଖଲ କରିଛି ତାହାକୁ ବିଶ୍ଳେଷଣ କରି ଇଲେକ୍ସନ୍ ୱାଚ୍ କହିଛନ୍ତି, ଦଳର ପ୍ରଶାସନିକ ଖର୍ଚ ସବୁଠୁ ଅଧିକ। ଏ ବାବଦରେ ଦଳ ୩କୋଟି ୧୯ ଲକ୍ଷ ଟଙ୍କା ଖର୍ଚ କରିଛି। ସେହିପରି ଏବର୍ଷ ନିର୍ବାଚନ ପାଇଁ ଦଳ ୧.୫୧ କୋଟି ଖର୍ଚ କରିଥିଲା। ଏହିବର୍ଷ ପଞ୍ଚାୟତ ନିର୍ବାଚନ ଥିଲା। ଏହି ବାବଦ ଖର୍ଚ ଯଥାକ୍ରମେ ୬୦.୭୬ ଏବଂ ୨୮.୮୨ ପ୍ରତିଶତ।
ସେହିପରି ଦଳରେ କାମ କରୁଥିବା ପ୍ରଫେସନାଲ୍ଙ୍କୁ ୩୨ ଲକ୍ଷ ୫୦ ହଜାର ଟଙ୍କା ଦରମା ଭାବେ ପ୍ରଦାନ କରିଛି। ଏହା ସମୁଦାୟ ବ୍ୟୟର ୬.୧୮ ପ୍ରତିଶତ। ଅନ୍ୟାନ୍ୟ ବ୍ୟୟ ହେଉଛି ୨୨ ଲକ୍ଷ ୩୦ ହଜାର ଟଙ୍କା।