କେନ୍ଦ୍ରରେ ଏଥର ଝୁଲା ସଂସଦ : ନବୀନ

ବିଜେଡିର ପ୍ରଚାର ଆରମ୍ଭ

ଓଡ଼ିଶା ହକ୍ ପାଇଁ ବିଜେପି କେବେ ଲଢ଼ିନାହିଁ

ବିଜେଡିର ରିମୋଟ୍ କଣ୍ଟ୍ରୋଲ ସାଢେ ୪କୋଟି ଓଡ଼ିଆଙ୍କ ପାଖରେ ରହିଛି

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି। ବିଭିନ୍ନ ପର୍ଯ୍ୟାୟର ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ଜାରି ରହିଥିବା ବେଳେ ଆଜିଠାରୁ ଦଳର ପ୍ରଚାର ପାଇଁ ର୍ନିବାଚନୀ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ପୁରୀ ଲୋକସଭା ର୍ନିବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ ର୍ନିବାଚନମଣ୍ଡଳୀରୁ ପ୍ରଚାର ଆରମ୍ଭ କରିଛନ୍ତି ନବୀନ। ପ୍ରଚାର ଆରମ୍ଭରୁ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ। ନବୀନ କହିଛନ୍ତି ଚଳିତ ନିର୍ବାଚନରେ କୌଣସି ଦଳ ସଂଖ୍ୟାଗରିଷ୍ଠ ହାସଲ କରିପାରିବ ନାହିଁ। ତେଣୁ ଝୁଲା ସଂସଦ ହେବା ଅବସମ୍ଭାବୀ ବୋଳି ନବୀନ କହିଛନ୍ତି।

ବିଜେଡି ସୁପ୍ରିମୋ କହିଛନ୍ତି କି, ସ୍ୱତନ୍ତ୍ର ରାଜ୍ୟପାହ୍ୟା ପାଇଁ ଆମେ ଲଢେଇ ଜାରି ରଖିଛୁ। ବିଜେପି ଇସ୍ତାହାର କମିଟିରେ ସ୍ୱତନ୍ତ୍ର ପାହ୍ୟା ପାଇଁ ପ୍ରତିଶ୍ରୁତି ଦେଇଥିଲା। ହେଲେ କେନ୍ଦ୍ରରେ ସରକାର ଗଢିବା ପରେ ସ୍ୱତନ୍ତ୍ର ପାହ୍ୟା କଥା ଭୁଲିଗଲେ। ଏହା କେନ୍ଦ୍ରୀୟ ଅବହେଳା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ନବୀନ।

ନବୀନ କହିଛନ୍ତି, ଓଡିଶାର ହକ ପାଇଁ ରାଜ୍ୟ ବିଜେପି କେବେ ହେଲେ ଲଢିନାହିଁ କିମ୍ବା ଆଗକୁ ଲଢିପାରିବ ନାହିଁ। କାହିଁକି ନା ରାଜ୍ୟ ବିଜେପିର ରିମୋଟ୍ରହିଛି କେନ୍ଦ୍ର ପାଖରେ। କିନ୍ତୁ ବିଜେଡିର ହାଇକମାଣ୍ଡ ହେଉଛନ୍ତି ଓଡିଶାବାସୀ। ଏବଂ ବିଜେଡିର ରିମୋଟ୍ କଣ୍ଟ୍ରୋଲ ସାଢେ ୪କୋଟି ଓଡ଼ିଆଙ୍କ ପାଖରେ ରହିଛି। ଏହା ସହ ସାରା ଦେଶରେ ବିଜେଡି ହେଉଛି ପ୍ରଥମ ଦଳ, ଯିଏକି ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସଙ୍ଗକୁ ବାସ୍ତବତାରେ ପରିଣତ କରିଛି।

ନବୀନ ଆହୁରୀ ମଧ୍ୟ କହିଛନ୍ତି, ମହିଳାଙ୍କର ଉନ୍ନତି ହେଲେ, ରାଜ୍ୟ ତଥା ଦେଶର ଉନ୍ନତି ହୋଇପାରିବ। ଏହା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶାବାସୀ ଉପକୃତ ହେଉଛନ୍ତି ବୋଲି କହିଛନ୍ତି ନବୀନ। ସେହିପରି କାଳିଆ ଯୋଜନା କଥା ଉଠାଇ କେନ୍ଦ୍ରକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଥର ୨୦୧୯ ଲୋକସଭା ନିର୍ବାଚନରେ ବିଜେଡ଼ି ରାଜ୍ୟରେ ‘କ୍ଲିନ ସୁଇପ’ କରିବା ସହ ୨୧ରୁ ୨୧ ଯାକ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଲୋକସଭା ପ୍ରାର୍ଥୀମାନେ ମଧ୍ୟ ବିଜୟ ଲାଭ କରିବେ ବୋଲି ପ୍ରଚାର ମୈଦାନରେ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ।

Leave a Reply

Your email address will not be published.