ବିଜେଡ଼ିକୁ ବିପଦ ଆଶାୟୀ

ନିର୍ବାଚନ ତାରିଖ ଘୋଷଣା ହେବାକୁ ଆଉ କେଇଟା ଦିନ ବାକି ରହିଛି। କିନ୍ତୁ ନିର୍ବାଚନ ପାଇଁ ରାଜ୍ୟର ତିନିଟି ଯାକ ଦଳ ଆଗୁଆ ସଜବାଜ ଆରମ୍ଭ କରିଦେଲେଣି। ନିର୍ବାଚନ ପାଇଁ ବିଜୁ ଜନତା ଦଳ, ଭାରତୀୟ ଜନତାପାର୍ଟି ଏବଂ କଂଗ୍ରେସ ପ୍ରସ୍ତୁତ। ଭୋଟ ପାଇବା ପାଇଁ ତିନିଟି ଯାକ ଦଳ ନିଜ ନିଜ ଢଙ୍ଗରେ ପ୍ରତିପକ୍ଷ ଦଳକୁ ଦୋଷାରୋପ କରି ମତଦାତାଙ୍କୁ ବୁଝାଇବା ଆରମ୍ଭ କରିେଲେଣି।

ବିଜେଡ଼ିର କିଏ ଅସ୍ତ୍ର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରିସ୍ମା ଓ ରାଜ୍ୟ ସରକାରଙ୍କ ଯୋଜନାର ସୁଫଳ ଉପରେ ଶାସକ ବିଜୁ ଜନତା ଦଳ ସମ୍ପୂର୍ଣ୍ଣ ନିର୍ଭର କରୁଛି। ବିଜେଡ଼ି ପାଇଁ ବିଜୁ ଯୁବ ବାହିନୀ, ମିଶନ ଶକ୍ତି, ମୋ ଗାଁ-ମୋ ବିକାଶ, ଳକାଳିଆ ଯୋଜନା ସବୁଠାରୁ ଭରଷା ଯୋଗ୍ୟ ଯୋଜନାରେ ପରିଣତ ହୋଇଛି।

ପରିବର୍ତ୍ତନ ହାୱା ଚାଲେଞ୍ଜ

ଏସବୁ ପ୍ରସ୍ତୁତି ଭିତରେ ଯାହା ଆଗକୁ ସମସ୍ୟା ସୃଷ୍ଟି କରିପାରେ ତାହା ହେଲା ଶାସକ ବିଜୁ ଜନତା ଦଳ ୧୯ ବର୍ଷ କ୍ଷମତାରେ ରହିଲାଣି। ତେଣୁ ଅଧିକ ଚାଲେଞ୍ଜ ଏହି ଦଳ ସାମ୍ନାରେ ରହିଛି। ପରିବର୍ତ୍ତନ ହାୱାରେ ବିଜେପି ତିନିଟି ରାଜ୍ୟ ହରାଇ ସାରଛି। ଏହାର ପ୍ରତିଫଳନ ଓଡ଼ିଶାରେ ମଧ୍ୟ ବିଜୁ ଜନତା ଦଳ କ୍ଷେତ୍ରରେ ଦେଖିବାକୁ ମିଳିପାରେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି। ପୂର୍ବରୁ ସମର୍ଥ ବିରୋଧୀ ଦଳ ନଥିବାରୁ ସରକାର ବିରୋଧୀ ହାୱା ବିଜେଡ଼ିକୁ ପ୍ରଭାବିତ କରୁନଥିଲା। କିନ୍ତୁ ଏବେ ଚିତ୍ର ଭିନ୍ନ। ତେଣୁ ସରକାର ବିରୋଧୀ ହାୱା ଅନ୍ୟ ଦୁଇ ବିରୋଧୀ ଦଳକୁ ଯଥେଷ୍ଟ ଫାଇଦା ଦେଇପାରେ।

ଆଉ ଏକ ସମସ୍ୟା ହେଲା ମୁଖ୍ୟମନ୍ତ୍ରୀ ବା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ। ଖରା ଦିନେ ଭୋଟ ପ୍ରଚାରବେଳେ ବିଜେପି ଓ କଂଗ୍ରେସର ତୁଙ୍ଗ ନେତାମାନେ ସରକାରଙ୍କ ବିରୋଧରେ ଗର୍ଜନ କରୁଥିବାବେଳେ ବିଜେଡ଼ିର ଏକମାତ୍ର ତାରକା ପ୍ରଚାରକ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟଗତ କାରଣରୁ ବେଶି ବୁଲାବୁଲି କରିପାରିବେ ନାହିଁ। ପୂର୍ବ ନିର୍ବାଚନ ବେଳେ ନବୀନଙ୍କ ଯେଉଁ ତୋଫାନୀ ପ୍ରଚାର କରୁଥିଲେ, ଏଥର ତାହା ସମ୍ଭବ ନ ହେବାର ଆଶଙ୍କା ଦେଖାଦେଇଛି। ଦଳର ଅନ୍ୟ ନେତାମାନଙ୍କର ସେଭଳି ଛବି ନାହିଁ। ଅଧିକାଂଶ ନେତାଙ୍କ ବିରୋଧରେ ଏତେ ଦୁର୍ନୀତି ଅଭିଯୋଗ ଅଛି ଯେ, ଦଳ ପାଇଁ ପ୍ରଚାର କଲେ ଓଲଟା ପ୍ରଭାବ ପଡିପାରେ।

ପ୍ରାର୍ଥୀ ମନୋନୟନ

କିନ୍ତୁ ଶାସକ ବିଜେଡ଼ି ପାଇଁ ଅସଲ ସମସ୍ୟା ହେଉଛି ପ୍ରାର୍ଥୀ ମନୋନୟନ। ଶାସକ ଦଳ ଏହି ସମସ୍ୟାରେ ଅଧିକ ଘାଣ୍ଟି ହେବ ବୋଲି ଜଣାପଡିଲାଣି। ଏହି ଦଳରେ ଟିକଟ ଆଶାୟୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ଅନେକ ଯୁବନେତା ଚାହାଁନ୍ତି ଭୋଟ ଲଢେଇରେ ପାଦ ଦେଇ ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରିବେ। ଚଳିତ ନିର୍ବାଚନରେ ଥରେ ପ୍ରାର୍ଥୀ ଛାପ ଲାଗିଗଲେ ଆଗାମୀ ଦିନରେ ବିଜେଡ଼ିରେ ନରହିଲେ ବି ଅନ୍ୟ ଦଳରେ ସୁଯୋଗ ମିଳିପାରେ। ଏହି କାରଣରୁ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ୪ ରୁ ଅଧିକ ଆଶାୟୀ ପ୍ରାର୍ଥୀ ଟିକଟ ପାଇବୋ ପାଇଁ ଲବି ଆରମ୍ଭ କରିଛନ୍ତି। ଏବେ ନୁହେଁ ତ କେବେ ନୁହେଁ ବୋଲି ଯେଉଁ ଧାରଣା ସେମାନଙ୍କ ମୁଣ୍ଡରେ ବସା ବାନ୍ଧିଲାଣି, ତାହା ଆଗକୁ ବିଜେଡ଼ି ପାଇଁ ଜଟିଳ ସମସ୍ୟା ସୃଷ୍ଟି କରିବ।

ବିଧାୟକଙ୍କ ବିରୋଧରେ ଜନଅସନ୍ତୋଷ

ଆଶାୟୀଙ୍କ ସଂଖ୍ୟା ବଢିଥିବା ବେଳେ ଅସନ୍ତୋଷ ମଧ୍ୟ ସମାନ ଅନୁପାତରେ ବଢିଛି। ବର୍ତ୍ତମାନର ଅନେକ ବିଧାୟକଙ୍କ ବିରୋଧରେ ଜନଅସନ୍ତୋଷ ପ୍ରବଳ ରହିଥିବା ପରିଲକ୍ଷିତ ହେଉଛି। ପ୍ରାଥମିକ ଆକଳନରେ ୪୩-୪୬ଜଣ ବିଧାୟକଙ୍କୁ ବାଦ ଦେବା ଲାଗି ବିଜେଡ଼ି ନେତୃତ୍ୱ ଯୋଜନା କରିଥିବା ଆଲୋଚନା ହେଉଛି।

ମହିଳା କାର୍ଡ

ବିଧାୟକଙ୍କ ବିରୋଧରେ ଜନଅସନ୍ତୋଷରୁ ରକ୍ଷା ପାଇବା ପାଇଁ ମହିଳା କାର୍ଡ ଖେଳିବା ସକାଶେ ଦଳ ନିଷ୍ପତ୍ତି ନେଇଛି। କିନ୍ତୁ ସମସ୍ୟା ହେଉଛି ୫୦ ଜଣ ମହିଳାଙ୍କୁ ଟିକଟ ଦବାର ସାହସ ଅଛି କି ବିଜେଡ଼ିର? ଏହା ଦଳ ପାଇଁ ବଡ଼ ବିପଦ ଆଣିପାରେ। ତେବେ ପ୍ରତି ଜିଲାରୁ ଅନ୍ତତଃ ଜଣେ ମହିଳାଙ୍କୁ ଟିକଟ ଦେବା ପାଇଁ ଯେଉଁ ଯୋଜନା ହୋଇଛି ତାହା କାର୍ଯ୍ୟକାରୀ ହେଲେ ଏହାର କି ପ୍ରକାର ପ୍ରଭାବ ନିର୍ବାଚନ ମଣ୍ଡଳୀରେ ପଡିବ ଏବଂ ଯାହାର ଟିକଟ କଟିବ ସେମାନେ ଏହାକୁ କିଭଳି ଗ୍ରହଣ କରିବେ ତାହା ହିଁ ବଡ଼ ପ୍ରଶ୍ନ।

ତେବେ ଆଶାୟୀଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ବିଜେଡ଼ିରେ ଭୋଟ ଭଙ୍ଗୁଆରୀଙ୍କ ସଂଖ୍ୟା ବଢିବ। ନିକଟରେ ଶାସକ ବିଜେଡ଼ି ଅନ୍ୟ ଦଳକୁ ନେତା ଶୂନ୍ୟ କରିବା ପାଇଁ ସେମାନଙ୍କ ନେତାଙ୍କୁ ନିଜ ପଟକୁ ଆଣିଛି। ଏହାକୁ ନେଇ ଝାରସୁଗୁଡା ଏବଂ ସୁନ୍ଦରଗଡ ବିଜେଡ଼ିରେ ସୃଷ୍ଟି ହୋଇଥିବା ପ୍ରତିକ୍ରିୟା ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ନାକେଦମ କଲାଣି। ଏମିତି ଅବସ୍ଥା ଅନ୍ୟ ଅଞ୍ଚଳରେ ମଧ୍ୟ ଟିକଟ ଘୋଷଣା ପରେ ହେବା ବୋଲି କୁହାଯାଉଛି। ଏଣୁ ଆଶାୟୀ ପ୍ରାର୍ଥୀ ସମସ୍ୟା ବିଜେଡ଼ି ପାଇଁ ବଡ଼ ବିପଦ। ସମସ୍ତଙ୍କୁ ସନ୍ତୁଷ୍ଟ କରିବା ଆଉ ବିଜେଡ଼ କ୍ଷେତ୍ରରେ ସମ୍ଭବ ନୁହେଁ।

Leave a Reply

Your email address will not be published.