୫୫ ବର୍ଷରେ ୬୫ଟି ବିପର୍ଯ୍ୟୟ
ଭୁବନେଶ୍ୱର,(ଓଟି): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୟୁଂଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି , ସ୍ୱାମୀନାଥନ୍ କମିଶନ ରିପୋର୍ଟର ସୁପାରିଶକୁ କାର୍ଯ୍ୟକାରୀ କରିବା ଦାବି କରି ବିଜେଡି ପକ୍ଷରୁ ମଙ୍ଗଳବାର ସଂଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନ ଯାଇ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ ।
ସେଠାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜେପି ସରକାର ୨୦୧୪ ନିର୍ବାଚନରେ ଧାନର ସର୍ବନିମ୍ନ ସହାୟକ ଦର ଦେଢଗୁଣା ବୃଦ୍ଧି କରିବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ । ଏମଏସପି ୧୭୫୦ ଟଙ୍କାକୁ ବୃଦ୍ଧି କରିଥିଲେ ହେଁ ଏହାକୁ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ବାରମ୍ବାର ଦାବି କରିଛୁ । ଏନେଇ ବାରମ୍ବାର ଚିଠି ମଧ୍ୟ ଲେଖିଛୁ । ତାହାର କୌଣସି ଫଳ ମିଳିନାହିଁ ।
ମହାମେଣ୍ଟ ସଂପର୍କରେ ନିଷ୍ପତ୍ତି ନେବାକୁ ଅଧିକ ସମୟ ଦରକାର: ନବୀନ
ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳମାନଙ୍କ ଦ୍ୱାରା ଗଠିତ ମହାମେଣ୍ଟରେ ଯୋଗଦେବା ପୂର୍ବରୁ ବିଜେଡ଼ି ଭଲ ଭାବରେ ଚିନ୍ତା କରିବ। ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏହି ସୂଚନା ଦେଇଛନ୍ତି। ମହାମେଣ୍ଟରେ ଯୋଗ ଦେବା ପୂର୍ବରୁ ଚିନ୍ତା କରିବାକୁ ଅଧିକ ସମୟ ଦରକାର ବୋଲି ନବୀନ କହିଛନ୍ତି।
ଓଡ଼ିଶା କ୍ରମାଗତ ଭାବେ ବାତ୍ୟା, ବନ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଗତ ୫୫ ବର୍ଷ ମଧ୍ୟରେ ୪୨ ବର୍ଷ ଓଡ଼ିଶା ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ୩୧ ବର୍ଷ ବାତ୍ୟା ଓ ବନ୍ୟା, ୨୬ ବର୍ଷ ମରୁଡି ଓ ସ୍ୱଳ୍ପ ବୃଷ୍ଟି, ୮ ବର୍ଷ ଉଭୟ ମରୁଡି ଓ ବନ୍ୟା ଭଳି ବିପର୍ଯ୍ୟୟରେ ପ୍ରଭାବିତ ହୋଇଛନ୍ତି ଓଡ଼ିଶାର ଚାଷୀକୂଳ । ରାଜ୍ୟରେ ଖରିଫ ଋତୁରେ ୩୭ ଲକ୍ଷ ଓ ରବିରେ ୩ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥାଏ । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି ଚାଷୀ । ଏଥିପାଇଁ ଏମଏସପି ବୃଦ୍ଧି କରିବାକୁ ବାରମ୍ବାର ଓଡିଶା ଦାବି କରିଆସୁଛି ।
ରାଜ୍ୟରେ ଚାଷ ଓ ଚାଷୀଙ୍କ ହାରାହାରି ଉତ୍ପାଦନ ଏବଂ ଖର୍ଚ୍ଚକୁ ଆକଳନ କଲେ ଜଣାପଡିଛି ଯେ, ଜଣେ ଚାଷୀ ପ୍ରତି କୁଇଣ୍ଟାଲ ଧାନ ଉତ୍ପାଦନରେ ୨୩୪୪ ଟଙ୍କା ଖର୍ଚ୍ଚ କରୁଛି । ସ୍ୱାମୀନାଥନ କମିଟି ଦେଇଥିବା ସୁପାରିଶ ଅନୁଯାୟୀ ଚାଷୀଙ୍କୁ ତାଙ୍କ ଉତ୍ପାଦନ ଖର୍ଚ୍ଚ ଉପରେ ଅନ୍ୟୁନ ୫୦% ଲାଭାଂଶ ଦେଇ ଏମଏସପି ଧାର୍ଯ୍ୟ କରାଯିବା ଉଚିତ୍ । ରାଜ୍ୟ ସରକାର କିନ୍ତୁ ବିଧାନସଭାରେ ଗ୍ରହଣ କରାଯାଇଥିବା ସର୍ବସମ୍ମତ ପ୍ରସ୍ତାବ ଅନୁଯାୟୀ ୨୫ ପ୍ରତିଶତ ଅର୍ଥାତ କୁଇଣ୍ଟାଲ୍ ପିଛା ୫୮୬ ଟଙ୍କା ଲାଭାଂଶ ଦେଇ ଏମଏସପି ୨୯୩୦ ଟଙ୍କା ଧାର୍ଯ୍ୟ କରିବାକୁ ଦାବି କରୁଛନ୍ତି । କେନ୍ଦ୍ରର ବିଜେପି ସରକାର ୨୦୧୪ ନିର୍ବାଚନ ଇସ୍ତାହାରରେ ସ୍ୱାମୀନାଥନ ରିପୋର୍ଟକୁ କାର୍ଯ୍ୟକାରୀ କରି ଏମଏସପି ଦେଢଗୁଣା କରିବାକୁ ଘୋଷଣା କରିଥିଲେ । ତେଣୁ ରାଜ୍ୟର ଚାଷୀଙ୍କ ସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି କେନ୍ଦ୍ର ସରକାରଙ୍କୁ ଏମଏସପି ବୃଦ୍ଧି କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରରେ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଦାବି କରାଯାଇଛି ।