ବିଜେଡି ବଜାଇଲା ବିଜେପୁର ନିର୍ବାଚନ ବିଗୁଲ୍
ଭୁବନେଶ୍ଵର, (ଓଟି): ବିଜୁ ଜନତାଦଳ ପକ୍ଷରୁ ବିଜେପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଘୋଷଣା କରାଯାଇଛି। ଏକ ସ୍ଵତନ୍ତ୍ର ଟିମ୍ ଘୋଷଣା କରି ସେଠାରେ ପରିସ୍ଥିତି ଯାଞ୍ଚ ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ବରିଷ୍ଠ ନେତାମାନଙ୍କୁ ନେଇ ଏକ କମିଟି ଘୋଷଣା କରାଯାଇଛି। ଏଥିରେ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂହ, କଳିକେଶ ନାରାୟଣ ସିଂହଦେଓ ଏବଂ ସଞ୍ଜୟ ଦାସବର୍ମାଙ୍କୁ ଦାୟିତ୍ଵ ଦିଆଯାଇଛି। ଏହି କମିଟି ସେଠାରେ ପରିସ୍ଥିତି ଅନୁଧ୍ୟାନ ସହ ପ୍ରାର୍ଥୀଙ୍କ ବାବଦରେ ଆବଶ୍ୟକ ସର୍ବେକ୍ଷଣ କରିବେ।
ବିଗତ ସାଧାରଣ ନିର୍ବାଚନରେ ବିଜେପୁରକୁ ନିଜର ଦ୍ଵିତୀୟ ନିର୍ବାଚନ ମଣ୍ଡଳୀ କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ। ସେ ଏଠାରୁ ବିପୁଳ ସମର୍ଥନ ହାସଲ କରି ବିଜୟୀ ହୋଇଥିଲେ ମଧ୍ୟ ପୁରୁଣା ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକୁ ରଖି ବିଜେପୁରରୁ ଇସ୍ତଫା ଦେଇଥିଲେ। ଏହାପରେ ଏଠାରେ ଉପ ନିର୍ବାଚନ ପାଇଁ ବାଟ ଫିଟିଛି। ଯଦିଓ ଏଯାଏ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ହୋଇ ନାହିଁ କିନ୍ତୁ ଅଳ୍ପ କିଛିଦିନ ଭିତରେ ଏହା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ଏଣୁ ସରକାରୀ ଦଳ ପକ୍ଷରୁ ପ୍ରସ୍ତୁତ ହେବା ଲାଗି ଏହି କମିଟି ଗଠନ କରାଯାଇଛି।
ଅନ୍ୟପକ୍ଷରେ ବିଜେପୁରରୁ ବିଜେପି ବିଜୟ ହାସଲ କରିବ ବୋଲି ଦୃଢ଼ ମତ ପ୍ରକାଶ କରିଛି। ଦଳ ପଶ୍ଚିମାଞ୍ଚୂରେ ଶକ୍ତ ରହିଛି ଏବଂ ଆଗକୁ ଏହା ନିର୍ବାଚନ ଜିତିବ ବୋଲି କୁହାଯାଇଛି। ଏହିକ୍ରମରେ ବିଜେଡିକୁ ଅଧିକ ସଜବାଜ ହେବାର ଆଶଙ୍କା ରହିଛଇ ନହେଲେ ହୁଏତ ଏହା ଏକ ଆହ୍ବାନ ସୃଷ୍ଟି କରିପାରେ।











