ଦେବା ପାଇଁ ନୁହେଁ; ମାଗିବାକୁ ଆସିଥିଲେ ମୋଦି : ବିଜେଡି
ଶାସନ କ୍ଷମତାରେ ୫ବର୍ଷ ରହିବା ଭିତରେ କେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଳାହାଣ୍ଡି କଥା ଚିନ୍ତା କରିନାହାଁନ୍ତି କିମ୍ବା କିଛି ସ୍ବତନ୍ତ୍ର ଅନୁଦାନ ଦେଇନାହାଁନ୍ତି । ପାଞ୍ଚ ବର୍ଷ ମଧ୍ୟରେ ସେ କଳାହାଣ୍ଡିକୁ କିଛି ଦେବା ପାଇଁ ନୁହେଁ, ମାଗିବାକୁ ଆସିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଭବନୀପାଟଣା ଗସ୍ତ ପରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରାଯାଇଛି।
ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରବୋଧ ରଥଙ୍କ ଦ୍ବାରା ଆହୁତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ନର୍ଲା ବିଧାୟକ ପ୍ରାର୍ଥୀ ଭୁପିନ୍ଦର ସିଂହ, ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ, ଜୁନାଗଡ ପ୍ରାର୍ଥୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ଭବାନୀପାଟଣା ପ୍ରାର୍ଥୀ ଦୁଷ୍ମନ୍ତ ନାୟକ, ଜିଲ୍ଲା ବିଜେଡି ସମ୍ପାଦକ ଭବାନୀ ଶଙ୍କର ନିଆଲ ପ୍ରମୁଖ ମୋଦିଙ୍କ ଭବାନୀପାଟଣା ଗସ୍ତକୁ ସମାଲୋଚନା କରିଛନ୍ତି।
୨୦୧୪ ରେ ବିଜେପି ନିଜ ନିର୍ବାଚନ ଇସ୍ତାହାରରେ ବର୍ଷକୁ ଦୁଇ କୋଟି ନିଯୁକ୍ତି, ଜନଲୋକପାଳ ବିଲ, ଜନଧନ ଯୋଜନାରେ ପ୍ରତ୍ୟେକ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଜମା କରିବାର ପ୍ରତିଶ୍ରୁତି ଦେଇଥିଲେ। ଅଥଚ ଏହି ପ୍ରତିଶ୍ରୁତି ପାଳନ ହେଲାନି। ଉଜ୍ଜ୍ବଳା ଯୋଜନାରେ ୮୦ ପ୍ରତିଶତ ହିତାଧିକାରୀ ଦ୍ବିତୀୟ ଥର ଗ୍ୟାସ ରିଫଲ କରିନାହାଁନ୍ତି। ଓଡିଶାକୁ ଏଯାଏଁ କାହିଁକି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିନାହିଁ ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କାହିଁକି ବୃଦ୍ଧି କରାଗଲାନାହିଁ ବୋଲି ବିଜେଡି ନେତାମାନେ ପ୍ରଶ୍ନ କରିଛନ୍ତି।
ଦେଶରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଚାଲୁଥିବା ବେଳେ କାଳିଆ ଯୋଜନା ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରି ରାଜନୈତିକ ଉଦ୍ଦେଶ୍ୟ ରଖି ଅଟକାଇ ଦେଇଛି ବୋଲି ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି। ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଦେଶର ସବୁଠାରୁ ପଛୁଆ ଅଞ୍ଚଳର ବିକାଶ ପାଇଁ ଚାଲିଥିବାକୁ କେବିକେ ଯୋଜନାକୁ ବନ୍ଦ କରିଦେଇଛନ୍ତି। କେବଳ ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ଏବଂ କଳାହାଣ୍ଡିର ଲୋକଙ୍କୁ ବିଜେପି ପ୍ରତାରିତ କରିଛି ବୋଲି ବିଜେଡି ସାଂସଦ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ଅଭିଯୋଗ କରିଛନ୍ତି।