ବିଜେଡିର ୪ ବିଧାୟକଙ୍କ ଟିକେଟ୍ କଟିଲା
ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୯ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିମଧ୍ୟରୁ ୪ ବିଧାୟକଙ୍କ ଟିକେଟ କାଟିଛନ୍ତି । ଏପରିକି ମନ୍ତ୍ରୀ ଥିବା ଲୋକସିଂହାରୁ ଯୋଗେନ୍ଦ୍ର ବେହେରାଙ୍କୁ ମଧ୍ୟ ଟିକେଟ ତାଲିକାରୁ ବାଦ୍ ଦିଆଯାଇଛି। ଏଥିସହିତ ମାଲକାନଗିରିରୁ ମାନସ ମାଡକାମୀଙ୍କର, ପଟାଙ୍ଗୀରୁ ପ୍ରଫୁଲ୍ଲ ପାଙ୍ଗୀଙ୍କର ଓ ଲାଞ୍ଜିଗଡ଼ରୁ ବଳଭଦ୍ର ମାଝୀଙ୍କର ଟିକେଟକୁ କଟି ଦିଆଯାଇଛି।

ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟର ବାକି ଥିବା ୪ଟି ବିଧାନସଭା ଆସନ: ଲାଞ୍ଜିଗଡ଼- ପ୍ରଦୀପ କୁମାର ଦିଶାରୀ, ଝରିଗାଁ ପାଇଁ ପ୍ରକାଶ ଚନ୍ଦ୍ର ମାଝୀ , ପଟାଙ୍ଗୀ ପାଇଁ ପ୍ରୀତମ ପାଢ଼ୀ ,ମାଲକାନଗିରି ପାଇଁ ମୁକୁନ୍ଦ ସୋଡ଼ିଙ୍କୁ ଦଳୀୟ ପ୍ରାର୍ଥୀ କରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟର ବାକି ଥିବା ୫ଟି ଆସନ ମଧ୍ୟରୁ ମାତ୍ର ୩ଟି ଆସନ ଯଥା ବ୍ରଜରାଜନଗର ପାଇଁ କିଶୋର ମହାନ୍ତି, ଲୋଇସିଂହା ପାଇଁ ପ୍ରଦୀପ ବେହେରା, ବଲାଙ୍ଗିର ପାଇଁ ଅର୍କେଶ ନାରାୟଣ ସିଂହଦେଓଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।
ତେବେ ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ ମଙ୍ଗଳବାର ଅପରାହ୍ନ ୩ଟା ସୁଦ୍ଧା ହେବାର ଥିଲେ ମଧ୍ୟ ଫୁଲବାଣୀ ଓ ବୀରମିତ୍ରପୁର ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରିନାହିଁ। ଅବଶ୍ୟ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ଭୋଟ୍ ପାଇଁ ସମ୍ବଲପୁର ବିଧାନସଭା ଆସନ ନିମନ୍ତେ ଡଃ ରାସେଶ୍ୱରୀ ପାଣିଗ୍ରାହୀ ଓ ରେଢାଖୋଲ ଆସନ ନିମନ୍ତେ ରୋହିତ ପୂଜାରୀଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି।