ସୁନ୍ଦରଗଡ଼ରେ ଦାନା ଧରୁନି ନବୀନଙ୍କ ମହିଳା କାର୍ଡ଼

ଆଦିବାସୀ ବହୁଳ ମତଦାତା ଥିବା ସୁନ୍ଦରଗଡ଼ ଲୋକସଭା ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ହେବ ବୋଲି ପ୍ରଥମରୁ ଆକଳନ କରାଯାଉଥିଲା। । ବିଜେପିର ଜୁଏଲ ଓରାମ, କଂଗ୍ରେସର ଜର୍ଜ ତିର୍କୀ ଏବଂ ବିଜେଡିର ସୁନୀତା ବିଶ୍ୱାଳ। ଜଣେ ସାଂସଦ, ଜଣେ ବିଧାୟକ ଆଉ ଜଣେ ନୂଆ ମୁହଁ। ତେବେ ରାଜନୈତିକ କ୍ୟାରିୟର ଦେଖିଲେ କେହି କାହାଠୁ କମ ମନେ ହେବିନି। କିନ୍ତୁ ନିର୍ବାଚନ ସମୟ ବଢ଼ିବା ସହିତ ସୁନ୍ଦରଗଡ଼ର ସ୍ଥିତି ପରିଷ୍କାର ହେବାରେ ଲାଗିଛି।

ସୁନ୍ଦରଗଡ ଲୋକସଭା ଆସନରେ ଅଛନ୍ତି ତିନି ଦମଦାର ନେତାସୁନ୍ଦରଗଡ଼ ଲୋକସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟରେ ହେବ ମତଦାନ। ତିନି ହେବିୱେଟଙ୍କୁ ଦେଖି ଭୋଟରଙ୍କ ଅଙ୍କ କଷା ବି ସରୁନି। କାହାକୁ ଦେବେ ଭୋଟ ? ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଜଣେ ପୁରୁଖା ନେତା। ସୁନ୍ଦରଗଡ ବାସୀଙ୍କ ପାଇଁ ଜଣେ ଚିହ୍ନା ମୁହଁ। ଥରେ ନୁହଁ, ଏହି ଆସନରୁ ସେ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୯୮, ୯୯, ୨୦୦୪ ଏବଂ ୨୦୧୪ ନିର୍ବାଚନରେ ଜୁଏଲ ଏହି ଆସନରୁ ନିର୍ବାଚିତ ହୋଇ ଆସିଛନ୍ତି। ୨୦୧୪ ନିର୍ବାଚନରେ ସେ ଥିଲେ ବିଜେପିର ଏକମାତ୍ର ସାଂସଦ। ସ୍ଥାନୀୟ ଅଞ୍ଚଳରେ ତାଙ୍କର ଦବ୍ଦବା ରହିଛି। ତଥାପି ୨୦୧୪ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କଠାରୁ ସେ ୨୦ ହଜାର ଭୋଟରେ ଜିତିଥିଲେ। ସେ ସମୟରେ ବିଜେପିର ଦିଲ୍ଲୀପ ରାୟଙ୍କ ସମର୍ଥନ ତାଙ୍କୁ ଜିତିବାରେ ସାହାଯ୍ୟ କରିଥିଲା।

ରାଉରକେଲାର ଆଇଜିଏଚକୁ ସୁପର ସ୍ପେଶାଲିଷ୍ଟ ଡ଼ାକ୍ତରଖାନାରେ ପରିଣତ କରିବା ଓ ବ୍ରାହ୍ମଣୀରେ ଦ୍ୱିତୀୟ ପୋଲ ନିର୍ମାଣ ନେଇ ମୋଦି ସରକାରଙ୍କ ପଦକ୍ଷେପ ପରେ ଦିଲ୍ଲୀପ ରାୟ ନିଜର ମତ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦନ୍ୟବାଦ ଦେବା ପରେ ତାଙ୍କ ସମର୍ଥକମାନେ ବିଜେପିକଚ ଭୋଟ ଦେବେ ବୋଲି ଜଣାପଡ଼ିଲାଣି।

ଅନ୍ୟପକ୍ଷେ ବିଜେଡି ଏଠାରେ ମହିଳା କାର୍ଡ ଖେଳିଛି। ନୂଆ ମୁହଁ ହେଲେ ମଧ୍ୟ ଅଭିଜ୍ଞ। ତା ଛଡା ସୁନ୍ଦରଗଡ ରାଜନୀତିରେ ତାଙ୍କ ପରିବାରର ଦବଦବା ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ। ହେମାନନ୍ଦ କଂଗ୍ରେସର ଲଢୁଆ ନେତା ଏବଂ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ସେ ୨୦୦୯ରେ ଜିତିଥିଲେ। ଏହି ନର୍ବାଚନୀ ମହାଯୁଦ୍ଧରେ ବାପା ଝିଅର ହାତ ଧରନ୍ତୁ ବା ନ ଧରନ୍ତୁ, ବାପାଙ୍କ ଲୋକପ୍ରିୟତାର ପ୍ରଭାବ କିନ୍ତୁ ସୁନୀତାଙ୍କ ଉପରେ ପଡ଼ିବ। ଏହି ସଂସଦୀୟ କ୍ଷେତ୍ରରେ ବିଜେଡି ତାର ଖାତା ଆଦୌ ଖୋଲି ନାହିଁ। ଦୁଇ ଦୁଇ ଜଣ ମହାରଥୀଙ୍କୁ ଟକ୍କର ଦେଇ ସୁନୀତା କ’ଣ ସତରେ ବିଜେଡିର ଭାଗ୍ୟ ଖୋଲି ପାରିବେ ?

କାରଣ ସୁନୀତା କଂଗ୍ରେସରୁ ଆସି ରାତାରାତି ବିଜେଡି ଟିକଟ ହାସଲ କରିବାରେ ସଫଳ ହୋଇଥିବାରୁ ଦଳର ପୁରୁଣା ନେତାମାନେ ପ୍ରକାଶ୍ୟରେ ବିରୋଧ କରୁନଥିଲେ ହେଁ ଭିତିରିଆ ଚେର କାଟିବାରେ ବ୍ୟସ୍ତ। ସେ ବିଜେଡିର କୌଣସି ସ୍ଥାନୀୟ ନେତାମାନଙ୍କୁ ବିଶ୍ୱାସକୁ ନେଇପାରୁନାହାଁନ୍ତି। ଯଦି ଏଭଳି ସ୍ଥିତି ଲାଗି ରହେ ତେବେ ସେ ପ୍ରତିଦ୍ୱନ୍ଦ୍ୱୀତାରୁ ବାହାର ହୋଇଯିବା ଆଶଙ୍କା ରହିଛି।

ଅନ୍ୟପକ୍ଷେ କଂଗ୍ରେସ ପ୍ରାର୍ଥୀ କରିଛି ଜର୍ଜ ତିର୍କୀଙ୍କୁ। ବୀରମିତ୍ରପୁର ବିଧାୟକ ଭାବେ ୪ ଥର ଜିତି ଆସିଛନ୍ତି। ସୁନ୍ଦରଗଡ଼ ଲୋକସଭା ଆସନ ଅଧୀନରେ ଥିବା ବୀରମିତ୍ରପୁରରେ ତାଙ୍କ ବେଶ ପ୍ରଭାବ ରହିଛି। ସୁନ୍ଦରଗଡ ଲୋକସଭା ଆସନରେ କଂଗ୍ରେସର ପ୍ରଭାବ ମଧ୍ୟ ଭଲ ରହିଛି। ୧୯୮୦ରୁ ୯୬ ମଧ୍ୟରେ ଏହି ଆସନ କଂଗ୍ରେସ ହାତରେ ଥିଲା। କେବଳ ୧୯୮୯ରେ ବିଜେପି ହାତକୁ ଚାଲି ଯାଇଥିଲା। ତେଣୁ କଂଗ୍ରେସର ପକେଟ ଭୋଟ ସହ ନିଜ ଲୋକପ୍ରିୟତା ତାଙ୍କୁ ଜିତେଇବ ବୋଲି ସେ ଆଶା ରଖିଛନ୍ତି। ପ୍ରଚାର ମଧ୍ୟ ଜୋରଦାର ଚଲାଇଛନ୍ତି। ତଥାପି ପୁରୁଖା ସାଂସଦ ଏବଂ ମହିଳା ପ୍ରାର୍ଥୀଙ୍କୁ ଟକ୍କର ଦେବା ତାଙ୍କ ପକ୍ଷରେ ଏତେ ସହଜ ହେବନି।

Leave a Reply

Your email address will not be published.