ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପକ୍ଷପାତୀ କହିଲା ବିଜେଡି

ଭୁବନେଶ୍ୱର,(ଓଟି): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପକ୍ଷପାତୀ ବୋଲି ଆଙ୍ଗୁଳି ଦେଖାଇଛି ବିଜେଡି। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତାଙ୍କ ପାଇଁ ଗୋଟିଏ ଆଇନ ଓ ବିଜେଡି ନେତା ଓ କର୍ମୀଙ୍କ ଲାଗି ଆଉ ଗୋଟିଏ ଆଇନ ଲାଗୁ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଏପକ୍ଷପତେୀତାରୁ ଦୂରେଇ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନଙ୍କୁ ଗିରଫ କରନ୍ତୁ ବୋଲି ଦାବି କରିଛନ୍ତି ବିଜେଡି।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର, ଲେଲିନ୍ ମହାନ୍ତି ଏବଂ ଶ୍ରୀମତୀ ସୁଲତା ଦେଓ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି।

୧. ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ୍ର କାର୍ଯ୍ୟରେ ବାଧା ଦେବା ସହ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଲି ଆଖି ଦେଖାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ସମାନ ଘଟଣାରେ ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଗିରଫ ହୋଇ ଜେଲ୍ ଯାଇଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ଗିରଫ ହୋଇନାହାନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଆଇନ ଅଲଗା ବାଟରେ କାହିଁକି ? ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ ।

୨. ଭୁବନେଶ୍ୱର(ମଧ୍ୟ) ଆସନର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଖାଲି ଗାଡ଼ି ଉପରେ ବୋମାମାଡ଼ ଘଟଣାର ଷଡ଼ଯନ୍ତ୍ରକାରୀ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଓ ତାଙ୍କର ସହଯୋଗୀମାନଙ୍କର ଲାଏ ଡିଟେକ୍ଟର ଏବଂ ନାର୍କୋ-ଆନାଲିସସ୍ ପରୀକ୍ଷା କରାଯାଉ ।

୩. ଆଜି ଭୋଟ ଦେବାକୁ ଯାଇଥିବା ଧର୍ମେନ୍ଦ୍ର ପ୍ରଧାନ ବୁଥ୍ ବାହାରେ ଦଳୀୟ ପ୍ରଚାର କରିଥିଲେ । ନିର୍ବାଚନ ଆଚରଣ ବିଧିର ଏଭଳି ଖୋଲା ଉଲ୍ଲଂଘନକାରୀ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ।

୪. ଭୁବନେଶ୍ୱର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ନିଜର ୨୦-୨୫ ଜଣ ସମର୍ଥକଙ୍କୁ ଧରି ଆଇଆର୍ସି ଭିଲେଜ, ରେଣ୍ଟାଲ୍ କଲୋନୀ ଏବଂ ୪୪ ନମ୍ବର ୱାର୍ଡର ଯୋଗୀନାଥ ୟୁପି ସ୍କୁଲ ବୁଥ୍ ଭିତରକୁ ପଶିଥିଲେ । ଭୋଟ ଗ୍ରହଣ ବେଳେ ଶ୍ରୀମତୀ ଷଡ଼ଙ୍ଗୀଙ୍କର ଏଭଳି ପ୍ରବେଶକୁ ପୁଲିଂ କର୍ମଚାରୀମାନେ ବିରୋଧ କରିନଥିଲେ ।

୫. ପ୍ରଚାର ନିରବ ଅବଧି ନିୟମକୁ ଭାଙ୍ଗିବାରେ ବିଜେପି ଅଭ୍ୟସ୍ତ ହୋଇଯାଇଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ବ୍ୟାପକ ଭାବେ ଏହି ନିୟମ ଉଲ୍ଲଂଘନ କରିଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟରେ ଅନୁରୂପ ଦେଖିବାକୁ ମିଳିଛି। ସିଇଓଙ୍କୁ ଏହା ପୂର୍ବରୁ ବାରମ୍ବାର ଅବଗତ କରାଯାଇଛି ।

୬. ପ୍ରଚାର ବ୍ୟାନ୍ ଥିବା (ନିରବ ଅବଧି) ବେଳେ ୨୨ ତାରିଖରେ ବିଜେପି ଏକ ପ୍ରେସମିଟ୍ କରିଥିଲା । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲେ ମଧ୍ୟ ସିଇଓ ପଦକ୍ଷେପ ନେଇନାହାନ୍ତି ।

୭. ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଚାର ବ୍ୟାନ୍ ନିୟମକୁ ଓଟିଭି ଉଲ୍ଲଂଘନ କରିବା ବେଳେ ସିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମାତ୍ର କାର୍ଯ୍ୟାନୁଷ୍ଠାନ ନ ହେବାରୁ ତୃତୀୟ ପର୍ଯ୍ୟାୟରେ ଓଟିଭି ସେହି ନିୟମର ପୁଣି ଉଲ୍ଲଂଘନ କରିଛି । ସ୍କ୍ରଲିଂ ନ୍ୟୁଜ୍ ଏବଂ ନେତାଙ୍କ ବାଇଟ୍ ପ୍ରସାର କରିଛି ।

୮. ପ୍ରଚାର ବ୍ୟାନ୍ ସମୟରେ ଓଟିଭି ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ୍ ପାତ୍ରଙ୍କ ବାଇଟ୍ ଏବଂ ସ୍କ୍ରଲିଂ ନ୍ୟୁଜ୍ ପ୍ରସାର କରିଥିଲା । ଏ ସମ୍ପର୍କରେ ସିଇଓଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ମାତ୍ର କିଛି ହେଲାନି ।

୯. ଘଷିପୁରା ନିର୍ବାଚନମଣ୍ଡଳୀର ରାମଚନ୍ଦ୍ରପୁରଠାରେ ବିଜେଡ଼ି ପ୍ରାର୍ଥୀ ତଥା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ଜଣାଶୁଣା ଅପରାଧୀ ରମେଶ ଜେନା ଧମକଚମକ ଦେଇ ହିଂସାକାଣ୍ଡ କରିଥିଲେ । ଏ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ହେଉ ।

୧୦. ଭୁବନେଶ୍ୱର(ମଧ୍ୟ) ଆସନର ବିଜେଡ଼ି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ।

Leave a Reply

Your email address will not be published.