ଓଟିଭି ବିରୁଦ୍ଧରେ ବିଜେଡିର ଫେରାଦ, ‘ଭୋଟରଙ୍କୁ ପ୍ରଭାବିତ କରୁଛି’
ଭୁବନେଶ୍ଵର, (ଓଟି): ଓଡ଼ିଶାରେ ସର୍ବାଧିକ ଟିଆର୍ପି ହାସଲ କରୁଛି ବୋଲି ଦାବି କରୁଥିବା ଓଟିଭି ନ୍ୟୁଜ୍ ଚ୍ୟାନେଲ୍ ଭୋଟରଙ୍କୁ ପ୍ରଭାବିତ କରୁଛି ବୋଲି ଅଭିଯୋଗ କରୁଛି ଶାସକ ଦଳ ବିଜେଡି। ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କ ପାଖରେ ଦଳ ଫେରାଦ ହୋଇଛି। ଦଳ ପକ୍ଷରୁ କୁହାଯାଇଛି, ‘ ଏହି ଚ୍ୟାନେଲ୍ ଆଦର୍ଶ ଆଚରଣବିଧିର ଉଲ୍ଲଙ୍ଘନ କରୁଛି। ଭୋଟରଙ୍କୁ ଯେଉଁ ନିର୍ଦିଷ୍ଟ ପ୍ରଶ୍ନସବୁ ଚ୍ୟାନେଲ୍ ପଚାରୁଛି ତାହା ବିଜେଡିକୁ ଭୋଟ୍ ନଦେବା ଲାଗି ଭୋଟ୍ ଦେବାକୁ ପ୍ରଭାବିତ କରିବା ସହ ସମାନ’।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଥିବା ଏକ ଅଭିଯୋଗପତ୍ରରେ ଦଳ ଦର୍ଶାଇଛି ଯେ, ଓଟିଭି ତାହାର ରିପୋର୍ଟରମାନଙ୍କୁ ବ୍ୟବହାର କରି ଏପରି କାର୍ଯ୍ୟ କରୁଛି। ଏହା ଏକ ନିର୍ଦିଷ୍ଟ ଦଳକୁ ଭୋଟ୍ ଦେବା ଲାଗି ଉସ୍କାଇବା ଭଳି କାର୍ଯ୍ୟ। ଏବାବଦରେ କିଛି ଭିଡିଓ କ୍ଲିପିଂକୁ ମଧ୍ୟ ଦଳ ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରାଯାଇଛି।
କିଛିଦିନ ପୂର୍ବରୁ ଓଟିଭିର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସେ କେନ୍ଦ୍ରାପଡ଼ା ଆସନରୁ ସାଂସଦ ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଏକ ସାକ୍ଷାତକାରରେ ବୈଜୟନ୍ତଙ୍କୁ ଜଣେ ଷଡ଼ଯନ୍ତ୍ରକାରୀ ବୋଲି ଆଖ୍ୟା ଦେଇଥିଲେ। ସେ ତାଙ୍କ ଆସନ ଛଡ଼ାଇବା ଲାଗି ତାଙ୍କ ସ୍ଵାସ୍ଥ୍ୟ ଭଲ ନାହିଁ ବୋଲି ଗୁଜବ କରିଥିଲେ ବୋଲି ସମ୍ପୃକ୍ତ ଟିଭି ଚ୍ୟାନେଲ୍ ଇଣ୍ଟଭ୍ୟୁରେ ନବୀନ କହିଥିଲେ। ଏଡାକୁ ନେଇ ରାଜ୍ୟରେ ରାଜନୀତିକ ଚର୍ଚା ହୋଇଥିଲା।