ଜାଣନ୍ତୁ ବିଜେଡିର ୭ ମହିଳା ସାଂସଦ ପ୍ରାର୍ଥୀଙ୍କ ସମ୍ପର୍କରେ

ନିର୍ବାଚନରେ ମହିଳାଙ୍କ ପାଇଁ ପ୍ରତିଶ୍ରୁତି ରକ୍ଷା କରିବାର କଥା ଉଠିଲେ, ଦେଶର ସବୁ ରାଜନେତାଙ୍କ ଠାରୁ ଆଗରେ ରହିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯେଉଁଥିପାଇଁ ଜାତୀୟ ରାଜନୀତିରେ ତାଙ୍କୁ ସବୁଠାରୁ ବିଶ୍ବାସ ଯୋଗ୍ୟ ରାଜନେତା ଭାବେ ଗ୍ରହଣ କରାଯାଏ । ଗତ ଡିସେମ୍ବର ୨୦୧୮ରେ ସେ ଦେଶର ସବୁ ରାଜନୈତିକ ଦଳକୁ ମହିଳାଙ୍କ ପାଇଁ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ପ୍ରସ୍ତାବ ଦେଲେ ଏବଂ ଚଳିତ ସାଧାରଣ ନିର୍ବାଚନରେ ସେ ନିଜ ପ୍ରତିଶ୍ରୁତି ଅନୁଯାୟୀ ୨୧ଟି ଲୋକସଭା ଆସନରୁ ୭ଟିରେ ଅର୍ଥାତ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି ।

ଚଳିତ ନିର୍ବାଚନରେ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନ ବେଳେ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଇଛି । ବିଭିନ୍ନ ବର୍ଗରୁ ମହିଳାଙ୍କୁ ସଂସଦରେ ପ୍ରତିନିଧିତ୍ବ ପାଇଁ ବଛାଯାଇଥିବା ବେଳେ ସେମାନେ କେବଳ ନିଜସ୍ବ ଦକ୍ଷତାରେ ନିର୍ବାଚନ ଜିତିବାର ସମାର୍ଥ୍ୟ ରଖିନାହାଁନ୍ତି ବରଂ ମହିଳା ସଶକ୍ତିକରଣରେ ନବୀନଙ୍କ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବାରେ ସହାୟକ ହେବେ । ସଂସଦରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ସଭାପତିଙ୍କ ଘୋଷଣା ପରେ ବିରୋଧୀ ବିଶେଷ କରି ବିଜେପି ଓ କଂଗ୍ରେସ ନେତାଙ୍କ ମଧ୍ୟରେ ଭୃକୁଞ୍ଚନ ସୃଷ୍ଟି ହୋଇଥିଲା । ସେମାନେ ଯଦିଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବକୁ ସ୍ବାଗତ କରିଥିଲେ, ପ୍ରାର୍ଥୀ ଚୟନ ସମୟରେ ତାହାକୁ କାର୍ଯ୍ୟକାରୀ କରିବାକୁ ସାହସ କରିନାହାଁନ୍ତି ।

ବିଜେଡିର ସାତ ଜଣ ମହିଳା ସାଂସଦ ପ୍ରାର୍ଥୀ ହେଲେ ପ୍ରମିଳା ବିଶୋଇ, କୌଶଲ୍ୟା ହିକକା, ସୁନୀତା ବିଶ୍ବାଳ, ଡାକ୍ତର ରାଜଶ୍ରୀ ମଲ୍ଲିକ, ଚନ୍ଦ୍ରାଣୀ ମୁର୍ମୁ, ଶର୍ମିଷ୍ଠା ସେଠୀ ଓ ମଂଜୁଲତା ମଣ୍ଡଳ ।

ପ୍ରମିଳା ବିଶୋଇ ଗଂଜାମ ଜିଲ୍ଲାର ମର୍ଯ୍ୟାଦାଜନକ ଆସ୍କା ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ସେ ସଫଳତାର ସହ ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠିର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ନାଁ ଘୋଷଣା ସମୟରେ ତାଙ୍କ ପ୍ରାର୍ଥୀତ୍ବକୁ ରାଜ୍ୟର ୭୦ ଲକ୍ଷ ମହିଳା ମହିଳା ସ୍ବୟଂ ସହାୟିକା ସଦସ୍ୟଙ୍କ ପାଇଁ ଉତ୍ସର୍ଗ କରିଥିଲେ । ସେ ବିଜେପିର ଅନିତା ପ୍ରିୟଦର୍ଶିନୀ ଓ ସିପିଆଇର ରାମକୃଷ୍ଣ ପଣ୍ଡାଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

କୋରାପୁଟ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା କୌଶଲ୍ୟା ହିକକା ବର୍ତ୍ତମାନର ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ ଏବଂ ସେ ପୂର୍ବରୁ ଶିକ୍ଷକତା କରୁଥିଲେ । ସେ କୋରାପୁଟ ଭଳି ଏକ ସମ୍ବେଦନଶୀଳ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଯେଉଁଠି ମହିଳା ଭୋଟରମାନେ ଏକ ଗୁରୁତ୍ବପୂର୍ଣ୍ଣ ଭୂମୀକା ନେଇଥାନ୍ତି । ତାଙ୍କ ବିପକ୍ଷରେ ବିଜେପି ଓ କଂଗ୍ରେସ ପୁରୁଷ ପ୍ରାର୍ଥୀ ଛିଡା କରାଇଛନ୍ତି ।

ଏକ ରାଜନୈତି ପରିବାରରୁ ଆସିଥିବା ସୁନୀତା ବିଶ୍ବାଳ ରାଜନୀତିରେ ନୂଆ । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ । ରାଜନୀତିରେ ନୂଆ ହେଲେ ବି ଲୋକଙ୍କ ପାଇଁ କାମ କରିବାର ଅଦମ୍ୟ ଇଚ୍ଛା ରଖୁଛନ୍ତି । ସେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଓ କଂଗ୍ରେସର ହେଭିୱେଟ ନେତା ଜର୍ଜ ତିର୍କୀଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି ।

ରାଜନୀରେ ଆଉ ଜଣେ ନବାଗତା ମହିଳା ପ୍ରାର୍ଥୀ ହେଉଛନ୍ତି ଚନ୍ଦ୍ରାଣୀ ମୁର୍ମୁ । ସେ ପୂର୍ବତନ ସାଂସଦ ହରିହର ସୋରେନଙ୍କ ଝିଅ । ମେକାନିକାଲ ଇଂଜିନିୟର ଭଳି ବୃତ୍ତି ଛାଡି କେନ୍ଦୁଝରବାସୀଙ୍କ ସେବା ପାଇଁ ସେ ରାଜନୀତିରେ ପାଦ ଥାପିଛନ୍ତି । ତାଙ୍କ ବିରୋଧରେ ବିଜେପିରୁ ଅନନ୍ତ ନାୟକ ଓ କଂଗ୍ରେସରୁ ଫକିର ମୋହନ ନାୟକ ପ୍ରାର୍ଥୀ ହୋଇଛନ୍ତି ।

ସେହିଭଳି ଆଉ ଜଣେ ପ୍ରତିଷ୍ଠିତ ନେତ୍ରୀ ହେଉଛନ୍ତି ଡାକ୍ତର ରାଜଶ୍ରୀ ମଲ୍ଲିକ । ସେ ଏବେ ତିର୍ତ୍ତୋଲ ବିଧାନସଭା କ୍ଷେତ୍ରକୁ ବିଧାନସଭାରେ ପ୍ରତିନିଧିତ୍ବ କରୁଛନ୍ତି । ପେଶାରେ ଜଣେ ଡାକ୍ତର ରାଜଶ୍ରୀ ଏବେ ଲୋକଙ୍କ ପାଇଁ ନିଜ ସେବାକୁ ଉତ୍ସର୍ଗ କରିଛନ୍ତି । ତାଙ୍କ ବିପକ୍ଷରେ କଂଗ୍ରେସରୁ ପ୍ରତିମା ମଲ୍ଲିକ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ଜଗତସିହଂପରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ପାଉନି ।

ମର୍ଯ୍ୟାଦାଜନକ ଯାଜପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ପ୍ରଶାସିକା ଶର୍ମିଷ୍ଠା ସେଠୀ । ସେ ଓଡିଶା ପ୍ରଶାସନିକ ସେବାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ । ତାଙ୍କୁ ଯାଜପୁରରୁ ପ୍ରାର୍ଥୀ କରାଯାଇଛି । ତାଙ୍କ ବିପକ୍ଷରେ ବିଜେପିରୁ ଅମିୟ ମଲ୍ଲିକ ଓ କଂଗ୍ରେସରୁ ମାନସ ଜେନା ପ୍ରାର୍ଥୀ ହୋଇଛନ୍ତି ।

ସେହିପରି ଭଦ୍ରକ ଲୋକସଭା କ୍ଷେତ୍ରରୁ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରାଯାଇଛି । ଜଣେ ସାଧାରଣ ଗୃହିଣୀ ହୋଇଥିଲେ ମଧ୍ୟ ତାଙ୍କ ସ୍ବାମୀଙ୍କ ରାଜନୈତିକ ଜୀବନରେ ସେସବୁ ସମୟରେ ତାଙ୍କୁ ସହଯୋଗ କରିଛନ୍ତି । ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇନଥିଲେ ବି ରାଜନୀତିକୁ ଅତି ନିକଟରୁ ଦେଖିଛନ୍ତି । ତାଙ୍କ ବିପକ୍ଷରେ କଂଗ୍ରେସରୁ ମଧୁମିତା ସେଠୀ ଓ ବିଜେପିରୁ ଅଭିମନ୍ୟୁ ସେଠୀ ପ୍ରାର୍ଥୀ ହୋଇଛନ୍ତି ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜେଡି ଟିକଟ: ମିଡିଆ ମାଲିକ ଫାଇଦାରେ ଆଶାୟୀ ସାମ୍ବାଦିକ ଭକୁଆ

କିଏ ହେବେ ସାଂସଦ-୧: ବାଲେଶ୍ଵରରେ ରବୀନ୍ଦ୍ର ଜେନା ବନାମ ପ୍ରତାପ ଷଡ଼ଙ୍ଗୀ

୪୮ ବିଧାନସଭା ଓ ୧୭ ଲୋକସଭା ଆସନରେ ବିଜେଡିର ନୂଆ ମୁହଁ

Leave a Reply

Your email address will not be published.