ତଥାପି ସରକାର ବୁଝୁନି ଦାଦନ ଦୁଃଖ!

ବିମଳ ପ୍ରସାଦ

ରୋନା ବିପତ୍ତି କାଳରେ ଆତ୍ମପ୍ରଶଂସାରେ ବିଭୋର ଓଡ଼ିଶା ସରକାର ତଥାପି ବୁଝିପାରୁନି ଯେ ରୋଜଗାର ପନ୍ଥା ନଥାଇ ଏବଂ ପାଖରେ ଟଙ୍କା ନଥାଇ ପ୍ରବାସରେ ସପ୍ତାହଟେ ବି ରହିବା ଜଣେ ଓଡ଼ିଆ ପାଇଁ କେତେ କଷ୍ଟକର? ଏବେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପରେ ପଶ୍ଚିମବଂଗ ସୀମା ସିଲ୍ କରିବାକୁ ଅଣ୍ଟା ଭିଡ଼ିଛି। କିନ୍ତୁ ଆଦୌ ଜାଣିପାରିନଥିଲା ଅବା ଆକଳନ କରି ନଥିଲା ଯେ ପଶ୍ଚିମବଂଗ ବା କୋଲକାତା ସହିତ ଓଡ଼ିଶାବାସୀଙ୍କର ଶହଶହ ବର୍ଷର ସଂପର୍କର ସ୍ଥିତି କ’ଣ ଓ ଏବେର ପରିସ୍ଥିତି କ’ଣ?

ନେଡିଗୁଡ଼ କହୁଣିକୁ ବୋହିଯିବା ପରେ ଏବେ ତତ୍ପରତା ଦେଖାଉଛି। କିଛି ଦିନ ତଳେ ସରକାର ଘୋଷଣା କଲେ ଯେ ରାଜ୍ୟ ବାହାରର ଲକ୍ଷେ ଦାଦନ ଶ୍ରମିକଙ୍କୁ ଓଡ଼ିଶାରେ ଖାଇବା ରହିବାକୁ ଦେଇ ଯତ୍ନ ନିଆଯାଉଛି। କିନ୍ତୁ ପ୍ରକୃତରେ ସେଇ ସଂଖ୍ୟା କେତେ ଏବଂ ସେମାନେ କେଉଁ କେଉଁ ସ୍ଥାନରେ ଅଛନ୍ତି, ତାହାର କୌଣସି ସୂଚନା ନାହିଁ। ସେଇଭଳି ସରକାରଙ୍କ ମୁଖପାତ୍ର ବି କହିଥିଲେ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆମାନଙ୍କୁ ରହିବାଖାଇବା ସୁବିଧା କରିବାକୁ କହାଯାଇଛି। କିନ୍ତୁ କେତେ ଜଣ କେଉଁଠି ଅଛନ୍ତି, ତାହାର କୌଣସି ହିସାବ ରାଜ୍ୟ ପ୍ରଶାସନ ରଖିନାହିଁ। ସମ୍ଭବତଃ ଓଡ଼ିଆ ଲୋକମାନେ ଯେ ଓଡ଼ିଶାରେ କାମଧନ୍ଦା ନପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି, ତାହାକୁ ଅସ୍ୱୀକାର କରିବାକୁ ଏଭଳି କୂଟନୀତି ଖେଳିଛି। ଏଣେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିବା ଭାଷଣ ମାରି ରାଜ୍ୟର ସଚେତନ ନାଗରିକଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛନ୍ତି।

ଯେଉଁମାନେ ରାଜ୍ୟ ବାହାରେ ୧୪ ଦିନ କ’ଣ, ୨୮ ଦିନ ସଙ୍ଗରୋଧରେ ରହିସାରିଲେଣି। ସେମାନେ ନିଜ ଗାଆଁକୁ ଆସିଲେ ପୁଣି ନିଜ ପଞ୍ଚାୟତରେ ସଙ୍ଗରୋଧରେ ଖାଇବା ରହିବା ସୁବିଧାରେ ନିଜ ଘରଲୋକଙ୍କ ଠାରୁ ଅଲଗା ରହିବେ। ଏଥିପାଇଁ ପଞ୍ଜୀକରଣ କଲେ ଜଣ ପିଛା ପାଇବେ ୨ ହଜାର ଟଙ୍କା। ଗରିବ ଓଡ଼ିଆଙ୍କୁ ଏଇ ୨ହଜାର ଟଙ୍କାର ଲୋଭ ବି ଯଥେଷ୍ଟ। ଏହା ହୁଏତ ସେମାନେ ଦେଇଥିବା ଏକାଉଣ୍ଟ ନମ୍ବରକୁ ଟ୍ରାନ୍‌ସଫର ନହୋଇ ଅନ୍ୟ କାହା ଏକାଉଣ୍ଟକୁ ଚାଲିଯିବ କିମ୍ବା ଦେଉ ଦେଉ ଦୁଇ ମାସ ଗଡ଼ିଯିବ। କାରଣ ଏଭଳି ଆଚରଣ ଓଡ଼ିଶା ପ୍ରଶାସନରେ ନୂଆ ନୁହେଁ କି ଆମେ ଅତିରଂଜନ କରି କହୁ ନାହୁଁ। ସେହିଭଳି ବିଦେଶାଗତ ପ୍ରବାସୀ ଓଡ଼ିଆମାନେ ନିଜ ନାମ ପଞ୍ଜୀକରଣ କଲେ ପାଇବେ ୧୫ ହଜାର ଟଙ୍କା। ଏହା ମଧ୍ୟ ସଂଖ୍ୟାଧିକ ବିଦେଶରୁ ଆସିଥିବା ଓଡ଼ିଆମାନଙ୍କ ପାଇଁ ମେ-ଜୁନ୍ ମାସ ବେଳକୁ ଲୋଭନୀୟ ସ୍କିମ୍ ଭଳି ଲାଗିବ।

ଓଡ଼ିଶା ପ୍ରଶାସନ ପଟିମାରିଦେଇପାରେ କିମ୍ବା ଜମାରୁ ନଦେଇପାରେ। କିନ୍ତୁ ଗରିବ ଓଡ଼ିଆଙ୍କ ମାନସିକତାକୁ ମାପି ଦେଇଥିବା ହୃଦ୍‌ବୋଧ ହେଉଛି। ଏଥିରୁ ଜଣାପଡୁଛି କେବଳ ଅନ୍ୟ ରାଜ୍ୟ ନୁହେଁ, ନିଜ ରାଜ୍ୟର ବା ପଡୋଶୀ ରାଜ୍ୟର ବିମାନବନ୍ଦର ସହ ଯୋଗସୂତ୍ର ରଖିବାରେ ମଧ୍ୟ କୌଣସି ଉଦ୍ୟମ କରି ନାହିଁ କରୋନା ମୁକାବିଲାକାରୀ ଓଡ଼ିଶା ପ୍ରଶାସନ। ଭୁବନେଶ୍ୱର, ଝାରସୁଗୁଡ଼ା ସମେତ ବିଶାଖାପଟନମ୍‌, ରାୟପୁର, ରାଞ୍ଚି, କୋଲକାତା ବିମାନବନ୍ଦର ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ। ଅନ୍ୟ ଅର୍ଥରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ତଥ୍ୟଭିତ୍ତିରୁ ମଧ୍ୟ ଓଡ଼ିଆ ଲୋକଙ୍କୁ ଠାବ କରାଯାଇପାରିବ। କିନ୍ତୁ ଓଡ଼ିଶା ସରକାର ନଈରେ ହଜେଇକି ପୋଖରୀରେ ଖୋଜିବା ସୂତ୍ର ଧରିଛନ୍ତି।

ଅନ୍ୟ ରାଜ୍ୟରୁ ଫସିରହିଥିବା ନିରୀହ ଓ ଅସହାୟ ଓଡ଼ିଆମାନଙ୍କୁ କିପରି ରାଜ୍ୟକୁ ଫେରାଇ ଅଣାଯିବ, ସେଥିପାଇଁ ଜମାରୁ ମୁଣ୍ଡ ଖଟାଉନାହିଁ। କିନ୍ତୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ରେଳ ମନ୍ତ୍ରାଳୟ ଓ ପ୍ରଧାନମନ୍ତ୍ରୀଙ୍କୁ ସହାୟତା ମାଗିସାରିଲେଣି ଯେ ଅନ୍ୟ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ ତୁରନ୍ତ ସ୍ୱତନ୍ତ୍ର ରେଳଗାଡ଼ିରେ ନିଜ ରାଜ୍ୟରେ ପହଞ୍ଚାଯାଉ। ଏପରିକି ଉତ୍ତରପ୍ରଦେଶ ସରକାର ଏଭଳି ଉଦ୍ୟମ ହଜାରେ ବସ୍ ପଠାଇ ଦିଲ୍ଲୀରୁ ପରିବହନର ବ୍ୟବସ୍ଥା ସଫଳତାର ସହ କରିସାରିଛନ୍ତି। ଏହା ସହ ଦେଶର ବିଦ୍ୟାର୍ଥୀ କୋଚିଂ ରାଜଧାନୀ କୋଟା (ରାଜସ୍ଥାନ) ସହରରୁ ମଧ୍ୟ ନିଜ ନିଜ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଆଣିବାର ବ୍ୟବସ୍ଥା ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସରକାର କରିସାରିଛନ୍ତି। କିନ୍ତୁ ଓଡ଼ିଶା ସରକାର ଅନ୍ତତଃ କୋଲକାତା ମହାନଗରୀକୁ ଅବହେଳା କରି ଏବେ ପସ୍ତାଉଛି।

ତେଣେ ସବୁ ମହାନଗରୀରେ ଶହଶହ ଆକ୍ରାନ୍ତ ଠାବ ହେଉଥିବା ବେଳେ ବଂଗ ସରକାରଙ୍କ ଉଦାସୀନତା ଯୋଗୁ କୋଲକାତା ଆଶ୍ଚର‌୍ୟ୍ୟଜନକ ଭାବେ ଆପାତତଃ ତାଲିକାରେ ବି ନଥିଲା। କିନ୍ତୁ ବିଳମ୍ବରେ ଚିହ୍ଟ ହେଉ ହେଉ ଏବେ ସ୍ଥିତି ଭୟଙ୍କର ହେଲାଣି। ଉତ୍ତର ଓଡ଼ିଶାର ବଙ୍ଗ ସହ ରହିଥିବା ସାମାଜିକ ସଂପର୍କ ଏବେ କରୋନା ସଂକ୍ରମଣର ଏକ ବିପଜ୍ଜନକ ଦିଗ ରୂପେ ଦେଖାଦେଲାଣି। ମେ ତିନ ତାରିଖ ପରେ ଯେ ଲକ୍‌ଡାଉନ୍ ଅବଧି ପୁଣି ବଢ଼ିବ, ଏହା ସ୍ପଷ୍ଟ ହୋଇଗଲାଣି। ଉହାନ୍‌ରେ ୭୬ ଦିନିଆ ଲକ୍‌ଡାଉନ୍ ଲାଗିଥିବାରୁ ସେଇ କଥା ଏଠାକାର ପ୍ରଶାସକଙ୍କ ମୁଣ୍ଡରେ ଢୁକିଯାଇଥିବାରୁ ଜୁନ୍ ୮ ତାରିଖ ପୂର୍ବରୁ କୌଣସି ପ୍ରକାର ବାହ୍ୟ କାର୍ଯ୍ୟକ୍ରମ ନକରିବା ପାଇଁ ରାଜ୍ୟବାସୀ ଏବେଠୁ ପ୍ରସ୍ତୁତ ହୋଇଯିବା ଦରକାର। ଜୁନ୍ ୮ ତାରିଖ ପୂର୍ବରୁ କୌଣସି ବିବାହ, ବ୍ରତ, ଗୃହପ୍ରବେଶ, ଉତ୍ସବାନୁଷ୍ଠାନ, ଭୋଜିଭାତ ଇତ୍ୟାଦି ହେବା ନେଇ ସନ୍ଦେହ ରହିଛି। ଏଇଥିପାଇଁ ବିଭିନ୍ନ ପ୍ରବେଶିକା ପରୀକ୍ଷା ଆୟୋଜନକାରୀ ସଂସ୍ଥା ମଧ୍ୟ ନିଜର ପରୀକ୍ଷା ସବୁକୁ ମେ ଶେଷ ସପ୍ତାହରୁ ପୁଣି ଜୁନ୍ ଶେଷ ସପ୍ତାହକୁ ଘୁଞ୍ଚାଇଦେଲେଣି।

ବଡ କଥା ହେଉଛି ରାଜ୍ୟ ବାହାରେ ଅଟକିଥିବା ଲୋକଙ୍କୁ ଜୀବନ୍ତ ଆଣିବାକୁ ରାଜ୍ୟ ସରକାର ଆଣିବାକୁ ଚାହିଁବ କି ସେମାନଙ୍କ ଶବ ଉଦ୍ଧାର କରିବାକୁ ପସନ୍ଦ କରିବ? ଯଦି ପ୍ରକୃତରେ ରାଜ୍ୟ ସରକାରଙ୍କ ହେଲ୍‌ପ୍‌ଲାଇନ୍ ନମ୍ବରଗୁଡ଼ିକ କାମ କରୁଥାଆନ୍ତା, ତେବେ କିଏ କେଉଁ ଷ୍ଟେସନରୁ ଉଠିବେ, ତାହାର ଆକଳନ ହୋଇ ସ୍ୱତନ୍ତ୍ର ରେଳଗାଡ଼ିର ବନ୍ଦୋବସ୍ତ ବି ହୋଇପାରନ୍ତା। ବିଶୋଧନ ବ୍ୟବସ୍ଥା ରହିଥିବାରୁ କୋଭିଡ୍‌-୧୯ ରୋଗ ଓଡ଼ିଶାକୁ ମାଡ଼ିଆସିବ ବୋଲି ଆଶଙ୍କା କରିବା ଏକ ମୂର୍ଖାମି ହେବ।

ଗୋଟିଏ ବିପର୍ଯ୍ୟୟରୁ ବର୍ତ୍ତିବା ପାଇଁ ସଂଘର୍ଷ କରୁଥିବା ଲୋକଙ୍କୁ ଅନ୍ୟ ଏକ ବିପର‌୍ୟ୍ୟୟକୁ ଠେଲି ଦେଇ ଓଡ଼ିଶା ସରକାର କି ସୁଖ ପାଇବ, ସେଇ ପ୍ରଶ୍ନ ପ୍ରତିଟି ଓଡ଼ିଆ(ଓଡ଼ିଶାବାସୀ)ଙ୍କୁ ବିଚଳିତ କରୁଥିବ ନିଶ୍ଚୟ। ତେବେ ସମସ୍ତ ପ୍ରକାର କୃଷି କାର୍ଯ୍ୟକୁ ଅନୁମତି ଦେଇ ସରକାର ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି, ଯାହା ଫଳରେ ଆମେ ଏକ ନିଶ୍ଚିତ ଦୁର୍ଭିକ୍ଷକୁ ଏଡ଼ାଇଯାଇପାରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ବିହନ, ସାର, ପୋକମରା, କୃଷି ଯନ୍ତ୍ରପାତି ଆଦି ସରକାର ଯଥା ସମୟରେ ଯୋଗାଇ ନପାରିବାର ଗତାନୁଗତିକ ପ୍ରାଶାସନିକ ଆଚରଣ, କୃଷକ ସମାଜକୁ ଏକ ନିଶ୍ଚିତ ଦୁର୍ଭିକ୍ଷ ମୁକାବିଲାରେ ପଛକୁ ଟାଣିନେବ। ଯେଉଁମାନେ ଦାଦନଶ୍ରମିକ, ସେମାନେ ଋତୁକାଳୀନ ସାମୟିକ ଶ୍ରମିକ ରୂପେ ଖରିଫ୍ ଋତୁରେ ଘରକୁ ବାହୁଡ଼ି ଆସନ୍ତି ବୋଲି ସରକାରୀ ବିଭାଗର ମୁଣ୍ଡିଆଳମାନେ ବୁଝିଥିବେ, ତାହା ଉପରେ ସନ୍ଦେହ ରହିଛି। ଏଇ ପରିପ୍ରେକ୍ଷୀରେ ଲୋକଙ୍କ ପକ୍ଷ ସମର୍ଥନ କରି ଆନ୍ଦୋଳନ ଠିଆ କରିବାରେ ମଧ୍ୟ ବିରୋଧୀ ଦଳମାନେ କୁଆଡ଼େ ଗଲେ, ତାହା ଆଉ ଏକ ବିସ୍ମୟକର ଘଟଣା ହୋଇ ଦେଖାଦେଇଛି।

ବିମଳ ପ୍ରସାଦ ଜଣେ ସ୍ଵାଧୀନ ଚେତା ସ୍ତମ୍ଭକାର ଭାବେ ପରିଚିତ। ଏହି ସନ୍ଦର୍ଭରେ ଯେଉଁ ଯୁକ୍ତି ଦର୍ଶାଯାଇଛି ତାହା ତାଙ୍କର ବ୍ୟକ୍ତିଗତ ଅନୁଶୀଳନ ଉପରେ ଆଧାରିତ। ତାଙ୍କୁ ଯୋଗାଯୋଗ କରାଯିବାର ମୋବାଇଲ୍‌ ନମ୍ବର: ୯୯୩୭୩୫୩୨୯୩। 

ବିମଳଙ୍କ ଅନ୍ୟ ଅନୁଶୀଳନ ପଢ଼ିବା ଲାଗି କ୍ଲିକ୍‌ କରନ୍ତୁ

ଭୁଲ୍‌ କଲା ପାସ୍‌ପୋର୍ଟ, ମାଡ଼ ଖାଉଛି ରାସନକାର୍ଡ!

ଓଡ଼ିଶା ରାଜନୀତିରେ ବହିଲା କି ଅଣଚାଶ ପବନ

ରାଜ୍ୟସଭାରେ ଓଡ଼ିଶା – କିଛି ଅଙ୍କ କିଛି ଅନୁମାନ

 

Leave a Reply

Your email address will not be published. Required fields are marked *