ବିଜୁ ଯୁବ ବାହିନୀ ଏବେ ସ୍ଥାଣୁ
ରାଜ୍ୟରେ ଗତ କିଛି ବର୍ଷ ହେଲା ବେକାରଙ୍କ ସଂଖ୍ୟା ଉତ୍କଟ ରୂପ ଧାରଣ କରିବାରେ ଲାଗିଛି। ୨୦୧୪ ବେଳକୁ ପଞ୍ଜିକୃତ ବେକାରଙ୍କ ସଂଖ୍ୟା ୧୫ଲକ୍ଷରେ ପହଞ୍ଚିଥିବା ବେଳେ ଏହାକୁ ନେଇ ବେକାରମାନଙ୍କ ପକ୍ଷରୁ ଶାସନତନ୍ତ୍ର ବିରୋଧରେ ସ୍ୱର ଉଠିଥିଲା। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୨୦୧୪ରେ ରାଜ୍ୟ କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ବେକାରମାନଙ୍କ ପାଇଁ ପ୍ରସ୍ତୁତ ଯୋଜନାକୁ କାର୍ଯ୍ୟକାରୀ ପାଇଁ ଘୋଷଣା କରିଥିଲେ।
କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ବିଜୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ ଅନ୍ତଭୁର୍କ୍ତ ଯୁବବାହିନୀ ଗଠନ ଘୋଷଣା କରାଯାଇଥିଲା। ଓଡ଼ିଶାର ୬୦୮ ଗ୍ରାମପଞ୍ଚାୟତ ୧୨୦ ନଗର ପରିଷଦରେ ୨ଲକ୍ଷ ୯୨ ହଜାର ବେକାରଙ୍କୁ ଏଥିରେ ଅନ୍ତର୍ଭୁକ୍ତ ପାଇଁ ଘୋଷଣା କରାଯାଇଥିଲା। ପ୍ରତି ପଞ୍ଚାୟତ ଓ ନଗର ପରିଷଦରେ ୨୦ ଜଣ ଲେଖାଏଁ ବେକାର ଯୁବକ-ଯୁବତୀଙ୍କୁ ନେଇ ଯୁବବାହିନୀ ଗଠନର ଲକ୍ଷ୍ୟ ରଖାଯାଇଥିଲା।
ଘୋଷଣାର ୪ ବର୍ଷ ପରେ ୨୦୧୮ କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ବିଜୁ ଯୁବବାହିନୀ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କୁ ବିଜୁ ବାହିନୀରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ସାମାଜିକ ସୁରକ୍ଷା ସଚେତନତା ପରିବେଶ ସୁରକ୍ଷା, କଳାସଂସ୍କୃତିର ବିକାଶ, କ୍ରୀଡ଼ାର ବିକାଶ ପାଇଁ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।
ଏଥିପାଇଁ ୨୦୧୮ରେ ୩ବର୍ଷିୟା ଯୋଜନା ଗ୍ରହଣ କରାଯାଇ ୪୫୦.୪୯କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ପ୍ରତିବର୍ଷ ୧୮୩ କୋଟିରୁ ଅଧିକ ଟଙ୍କା ଯୁବବାହିନୀ ମାଧ୍ୟମରେ ବିନିଯୋଗ କରିବାକୁ ଘୋଷଣା ହୋଇଥିଲା। ପ୍ରତିବର୍ଷ ପ୍ରତ୍ୟେକ ଯୁବବାହୀନକୁ ୧.୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।
ଏହି ଯୋଜନା ଅନ୍ତର୍ଗତ ଯୁବବାହିନୀ ଗଠନ କରାଯାଇଥିଲେ ମଧ୍ୟ ଏହାର କାର୍ଯ୍ୟକାରିତାକୁ ନେଇ ଅନେକ ସନ୍ଦେହ ପ୍ରକାଶ ପାଇଥିଲା। ନିର୍ବାଚନ ପୂର୍ବରୁ ସରକାରଙ୍କ ଏହା ବେକାରଙ୍କ ପାଇଁ ଏକ ଲଲିପପ ଥିଲା ବୋଲି ଏହା ଆଲୋଚନା ହୋଇଥିଲା। ବିଜୁ ଯୁବବାହିନୀ ଯେଉଁ ଉଦେଶ୍ୟ ନେଇ ଗଠନ ହୋଇଥିଲା ତାହା କାର୍ଯ୍ୟକାରୀ ହୋଇପାରିନଥିବା ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିଥିଲା। ଯେଉଁ ଉଦ୍ଦେଶ୍ୟ ନେଇ ଏହି ଯୋଜନା କରାଯାଇଥିଲା ତାହା ବାସ୍ତବ କ୍ଷେତ୍ରରେ ଦେଖିବାକୁ ମିଳିନଥିଲା। ଯାହାକୁ ନେଇ ଚାରିଆଡେ ସରକାରଙ୍କ ଏହି ଯୋଜନାକୁ ସମାଲୋଚନା କରାଯାଇଥିଲା।
ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ଏହାକୁ ପରିଚାଳନା କରିବା ନିମନ୍ତେ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ଅଧ୍ୟକ୍ଷ ଓ ପ୍ରେମଚାନ୍ଦ ଚୌଧୁରୀଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୯ନିର୍ବାଚନ ପୂର୍ବରୁ ବିଜୁ ଯୁବବାହିନୀ ଭାଗ୍ୟାକାଶରେ ଝଡ଼ ଦେଖାଦେଇଥିଲା। ଲୋକସଭା ନିର୍ବାନରେ ଟିକଟ ପାଇଁ ଅଧ୍ୟକ୍ଷ ପଦରୁ ଅରୂପ ଇସ୍ତଫା ଦେଇଥିଲେ। ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଦାୟିତ୍ୱରେ ଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରେମଚାନ୍ଦ ଚୌଧୁରୀଙ୍କୁ ନିର୍ବାଚନ ସମୟରେ ବଦଳି କରିଦିଆଗଲା।
ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ଦିଆନଯାଇ କ୍ରୀଡ଼ା ବିଭାଗରେ ଜଣେ ଅଧିକାରୀଙ୍କୁ ଏହାର ଦାୟିତ୍ୱ ଦିଆଯିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ହୋଇଥିଲା। ଯୁଗ୍ମ ସଚିବ ପାହ୍ୟାର ଓଏଏସ ଅଧିକାରୀ ମନୋରଞ୍ଜନ ପାଢୀଙ୍କୁ ଏହି ଦାୟିତ୍ୱରେ ଅବସ୍ଥାପିତ କରାଗଲା। ଯୁବବାହିନୀର ଭୂମିକା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଅନ୍ୟ ଜଣେ ଅଧିକାରୀଙ୍କୁ ନିଯୁକ୍ତି ମିଳିଥିଲା।ନିଯୁକ୍ତି ଆଦେଶ ପ୍ରକାଶିତ ହେବାର ଦିନକ ପରେ ସରକାର ଏହାକୁ ବାତିଲ କରିଥିଲେ। ଏହି ଦାୟିତ୍ୱରେ ଯୁଗ୍ମ ସଚିବ ଶ୍ରୀ ପାଢୀଙ୍କୁ ଦାୟିତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ମିଳିଥିଲା।
ବିଜୁ ଯୁବବାହିନୀ ଗଠନ ସମୟରେ ଏହାର କାର୍ଯ୍ୟନିର୍ବାହୀ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦେବାକୁ କୁହାଯାଇଥିଲା। ପ୍ରେମଚାନ୍ଦ ଚୌଧୁରୀଙ୍କ ବଦଳି ପରେ ନୂଆନିଯୁକ୍ତି ଦିଆନଯାଇ ପାଢୀଙ୍କୁ ସେଠାରେ ଅବସ୍ଥାପିତ କରାଯିବା ପ୍ରସଙ୍ଗରେ ଏବେ ସନ୍ଦେହ ସୃଷ୍ଟି ହୋଇଛି। ପୂର୍ବରୁ ଶ୍ରୀ ପାଢୀ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥାଇ ଅଧ୍ୟାପକ ବଦଳି ଦୁର୍ନୀତିରେ ଛନ୍ଦି ହୋଇଥିଲେ।
ପାଢୀଙ୍କ ଭୂମିକା ଉପରେ ତଦନ୍ତ ନିଦ୍ଦେର୍ଶ ହୋଇଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଇନଥିଲା। ଅଭିଜ୍ଞତା ନଥିବାବେଳେ ପ୍ରତିବର୍ଷ ଜଣେ କନିଷ୍ଠ ପାହ୍ୟାର ଦକ୍ଷତା ନଥିବା ଏହି ଅଧିକାରୀଙ୍କୁ କାର୍ଯ୍ୟନିର୍ବାହୀ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି। ଯାହାଫଳରେ ବିଜୁ ଯୁବବାହିନୀ କାର୍ଯ୍ୟକ୍ରମ ଏକରକମ ସ୍ଥାଣୁ ଅବସ୍ଥାରେ ରହିଛି।
ବର୍ଷକୁ ୧୮୩ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଜଣେ କନିଷ୍ଠ ଓଏଏସ ଅଧିକାରୀ କିଭଳି ସକ୍ଷମ ହେବେ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜୁ ଯୁବବାହିନୀ କାର୍ଯ୍ୟକ୍ରମକୁ ନିର୍ବାଚନ ପରେ ଆଇସିୟୁକୁ ଠେଲି ଦିଆଯାଇଛି ବୋଲି ସମାଲୋଚନା ହୋଇଛି। ନିର୍ବାଚନ ଶେଷ ହୋଇଥିବାରୁ ଯୁବବାହିନୀର ଆଉ ଆବଶ୍ୟକତା ପରିଣତ ନାହିଁ ବୋଲି ଏହାର ସଦସ୍ୟମାନେ ଆଶଙ୍କା କରିଛନ୍ତି। ବେକାର ଯୁବକମାନଙ୍କ ପାଇଁ ସରକାରଙ୍କ ଏହି ଭେଳିକି ଆଗାମୀ ଦିନରେ ଭୟଙ୍କର ରୂପ ନେବ ବୋଲି ବେକାର ଯୁବମହଲ ଆଲୋଚନା କରୁଛନ୍ତି।