ଆୟ ପ୍ରମାଣପତ୍ର ପାଇଁ ରୋଗୀ ହଟହଟା
ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ ଗରିବ ଲୋକଙ୍କ ଚିକିତ୍ସା କ୍ଷେତ୍ରରେ ଏବେ ବାଧକ ସାଜିଲାଣି ଆୟ ପ୍ରମାଣପତ୍ର
ଗରିବ ଲୋକଙ୍କ ଚିକିତ୍ସା କ୍ଷେତ୍ରରେ ଏବେ ବାଧକ ସାଜିଲାଣି ଆୟ ପ୍ରମାଣପତ୍ର । ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ ଧରି ଘରୋଇ ଡାକ୍ତରଖାନାରେ ପହଞ୍ଚିଲାପରେ ସେମାନଙ୍କୁ ଆୟ ପ୍ରମାଣପତ୍ର ସହିତ ଅର୍ଥ ଜମା କରିବାକୁ କୁହାଯାଉଛି । ଏଥିଯୋଗୁଁ ଅନେକ ଗୁରୁତର ରୋଗୀ ଏବେ ଡାକ୍ତରଖାନା ବଦଳରେ ତହସିଲ ଅଫିସକୁ ଦଉଡିବାରେ ଲାଗିଛନ୍ତି ।
ରାଜ୍ୟର ଗରିବ ଲୋକଙ୍କୁ ସରକାର ମାଗଣା ଚିକିତ୍ସା ଯୋଗାଇବା ଲାଗି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିରେ ପୁରୁଷଙ୍କ ୫ଲକ୍ଷ ଓ ମହିଳାଙ୍କ ପାଇଁ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷାର ବ୍ୟବସ୍ଥା ଅଛି ।
ଏହି ଯୋଜନାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭକରି ସରକାରୀ ମେଡିକାଲ କଲେଜ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଅଧିକ ଚିକିତ୍ସା ପାଇଁ ଦୁଇଶହରୁ ଅଧିକ ଘରୋଇ ଡାକ୍ତରଖାନାକୁ ସରକାର ତାଲିକାଭୁକ୍ତ କରିଛନ୍ତି । ଯେଉଁ ହିତାଧିକାରୀମାନେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା କିମ୍ବା ବିପିଏଲ୍ କାର୍ଡଧାରୀ ହୋଇଥିବେ ସେମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି ।
ଏଥିରେ ରାଜ୍ୟର ପ୍ରାୟ ୭୦ଲକ୍ଷ ପରିବାର ଅର୍ନ୍ତଭୁକ୍ତ ହୋଇଛନ୍ତି । ଏହି ଯେଜାନାରେ ଚିକିତ୍ସାଲାଗି ରୋଗୀଙ୍କୁ ତଳୁ ମେଡିକାଲ କଲେଜ ପର୍ଯ୍ୟନ୍ତ ଆୟ ପ୍ରମାଣପତ୍ର ଆଦି ଦେଖାଇବାକୁ ପଡୁନାହିଁ । କିନ୍ତୁ ଆବଶ୍ୟକସ୍ଥଳେ ଅଧିକ ଚିକିତ୍ସା ଲାଗି ରୋଗୀଟି ଯେତେବେଳେ ଘରୋଇ ଡାକ୍ତରଖାନାକୁ ଆସୁଛି ସେତେବେଳେ ତାହାକୁ ଆୟପ୍ରମାଣପତ୍ର ଦାଲଖ ଲାଗି ବାଧ୍ୟ କରାଯାଉଛି ।
ଆୟ ପ୍ରମାଣପତ୍ର ଦାଖଲ ନକଲେ ରାଜ୍ୟ ସରକାର ଚିକତ୍ସା ବାବଦ ଅର୍ଥ ପ୍ରଦାନ କରୁନାହାନ୍ତି ଓ ଏ ବାବଦ ସମସ୍ତ ବ୍ୟୟ ରୋଗୀଙ୍କୁ ଦେବାକୁ ପଡିବ ବୋଲି ରୋକ୍ଠୋକ୍ ଶୁଣାଇ ଦିଆଯାଉଛି । ଫଳରେ ଗୁରୁତର ରୋଗୀମାନେ ଏବେ ଚିକିତ୍ସାକୁ ପଛରେ ପକାଇ ତହସିଲ ଦପ୍ତରକୁ ଆୟ ପ୍ରମାଣପତ୍ର ପାଇଁ ଦଉଡିବାରେ ଲାଗିଛନ୍ତି । ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ଚାଲିଥିବାବେଳେ ବହୁ ରୋଗୀ ଆୟପ୍ରମାଣପତ୍ର ପାଇବାରେ ବିଳମ୍ବ ଯୋଗୁଁ ଚିକିତ୍ସିତ ହୋଇପାରୁ ନାହାନ୍ତି ।
ଉଲ୍ଲେଖନୀୟ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯଦି କୌଣସି ରୋଗୀ ଘରୋଇଡାକ୍ତରଖାନରେ ଚିକିତ୍ସିତ ହେବେ ଓ ତାହାର ବିଜୁ କୃଷକ କଲ୍ୟାଣ ଯୋଜନା କିମ୍ବା ବିପିଏଲ୍ କାର୍ଡଧାରୀ ହୋଇଥାନ୍ତି ତେବେ ତାଙ୍କୁ ଆୟପ୍ରମାଣପତ୍ର ଦେବାକୁ ପଡିବନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।
ହେଲେ ଘରୋଇ ଡାକ୍ତରଖାନା ଗୁଡିକ ଏହାକୁ ମାନିବାକୁ ରାଜି ନୁହନ୍ତି । ରୋଗୀଟି ପହଞ୍ଚିଲା ମାତ୍ରେ ତାହାକୁ ଆୟ ପ୍ରମାଣପତ୍ର ଦାଖଲ ପାଇଁ କୁହାଯାଉଛି । ଏଥି ସହିତ ଦାଖିଲା ସମୟରେ ଅଗ୍ରୀମ ଅର୍ଥ ବି ଦାବି ହେଉଛି । ଏଠାରେ ସୂଚନାଯୋଗ୍ୟ ଯେ ବିଜୁ କୃଷକ କଲ୍ୟାଣ କାର୍ଡ ଧାରୀ କିମ୍ବା ବିପିଏଲ୍କାର୍ଡଧାରୀମାନଙ୍କ ସମସ୍ତ ଚିକିତ୍ସାଖର୍ଚ୍ଚ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ବହନ କରୁଛନ୍ତି ।
ଗୋଟିଏ ପଟେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ନ୍ତଭୁକ୍ତ ହିତାଧିକାରୀଙ୍କ ପାଇଁ ଆୟ ପ୍ରମାଣପତ୍ର ଆବଶ୍ୟକତା ନଥିବା କହୁଥିବାବେଳେ ଘରୋଇ ଡାକ୍ତରଖାନ ଏଭଳି ପ୍ରମାଣପତ୍ର ପାଇଁ ବାଧ୍ୟ କରିବା ଏବେ ଗାଁ ଗହଳର ଗରିବ ରୋଗୀଙ୍କୁ କାଳ ହେଲାଣି ।











