ପୁଣି ବିଜେପିରୁ ଡ଼କରା ଆସୁଛି : ବିଜୟ
ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକ ରୋଚକ ହେବାରେ ଲାଗିଛି। କିଛିଦିନ ତଳେ ଯେଉଁ ନେତାମାନଙ୍କୁ ବିଜେପି ଅଣଦେଖା କରୁଥିଲା ଏବେ ସେମାନଙ୍କ ଦୁଆରେ ଅଧିଆ ପଡ଼ିଥିବା ଆଲୋଚନ ହେଉଛି। ବିଜେପିରେ କୋଣଠେସା ହେବା ପରେ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପୁଣି ଥରେ ଦଳକୁ ଫେରାଇ ନେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏ କଥାକୁ ନିଜେ ଶ୍ରୀ ମହାପାତ୍ର ସ୍ୱୀକାର କରିବା ସହିତ ବିଜେପି ନେତାମାନେ ତାଙ୍କୁ ଯୋଗାଯୋଗ କରୁଛନ୍ତି ବୋଲି କହିଛନ୍ତି। କିନ୍ତୁ ସେ ଏପର୍ଯ୍ୟନ୍ତ ମତ ସ୍ପଷ୍ଟ କରୁନାହାଁନ୍ତି।
ଗତ ନଭେମ୍ବର ୩୦ରେ ବିଜୟ ଓ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେଇଥିଲେ। ସେତେବେଳେ ସେ ୧୫ ଦିନ ଭିତରେ ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ କହିବେ ବୋଲି ମତ ରଖିଥିଲେ। ଡିସେମ୍ବର, ଜାନୁୟାରୀ ଓ ଫେବ୍ରୁଆରୀ ଯାଇ ମାର୍ଚ୍ଚ ଅଧା ହେବାକୁ ଗଲାଣି ଏବଂ ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇସାରିଲାଣି ହେଲେ ବିଜୟ ତାଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ପ୍ରକାଶ କରୁନାହାଁନ୍ତି। ବିଜେପି ଛାଡ଼ିଲା ପରେ ସେ ବିଜେଡିକୁ ଯିବେ ବୋଲି ଜୋରଦାର ଚର୍ଚ୍ଚା ହେଲା। କାରଣ ବିଜେଡିର କିଛି ଆଗଧାଡ଼ିର ନେତା ବିଜୟଙ୍କ ସହ ସମ୍ପର୍କ ରଖିଲେ ଓ ଯୋଗାଯୋଗ ମଧ୍ୟ କରିଥିଲେ। ହେଲେ ବିଜୟଙ୍କ ମିଶିବା ନେଇ ବିଳମ୍ବ ହେବାରୁ କଂଗ୍ରେସ ବି ସମ୍ପର୍କ ରଖିଲା। ଦଳକୁ ଆଣିବା ପାଇଁ କିମ୍ବା ଦଳ ସମର୍ଥନରେ ସ୍ୱାଧୀନ ଭାବେ ଲଢ଼ିବା ପାଇଁ ବିଜୟଙ୍କୁ ପ୍ରସ୍ତାବ ଦେଲା। କେନ୍ଦ୍ରାପଡ଼ାରେ ଅଧିକ ଆସନ ଜିତିବା ପାଇଁ ବିଜୟଙ୍କ ସହାୟତା ଲୋଡ଼ିଲା କଂଗ୍ରେସ। ଏଥିପାଇଁ ବିଜୟଙ୍କ ସହ ଆଲୋଚନା କରିବା ପାଇଁ କଂଗ୍ରେସ ଦଳର କିଛି ନେତାଙ୍କୁ ନିର୍ଦ୍ଦିଷ୍ଟଭାବେ ଦାୟିତ୍ୱ ମଧ୍ୟ ଦେଲା। ହେଲେ କିଛି ସୁଫଳ ହେଲାନାହିଁ। ତଥାପି କଂଗ୍ରେସ ବିଜୟଙ୍କ ଯୋଗାଯୋଗରେ ରହିଛି।
କିନ୍ତୁ ବୈଜୟନ୍ତ ପଣ୍ଡା ବିଜେପିରେ ମିଶି କେନ୍ଦ୍ରାପଡ଼ାରୁ ଛିଡ଼ା ହେବା ସ୍ପଷ୍ଟ ହେବା ପରେ ଚର୍ଚ୍ଚା ହେଲା ବିଜେଡି ପୁଣି ବିଜୟଙ୍କୁ ନେବା ପାଇଁ ଉଦ୍ୟମ କରୁଛି। ବୈଜୟନ୍ତଙ୍କ ବିରୋଧରେ ବିଜେଡି ବିଜୟଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି। କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କୁ ଟକ୍କର ଦେବାକୁ ହେଲେ ବିଜୟ ହିଁ ଉପଯୁକ୍ତ ପ୍ରାର୍ଥୀ ବୋଲି କୁହାଗଲା। ଏକଥା ଦେଖି ବିଜେପି ଆଉ ଚୁପ ହୋଇ ବସିଲାନାହିଁ। ବିଜୟ ଯଦି ବାସ୍ତାବରେ ବିଜେଡିକୁ ଯାଇ ପ୍ରାର୍ଥୀ ହୁଅନ୍ତି ତେବେ ବୈଜୟନ୍ତଙ୍କ ପାଇଁ ନିଶ୍ଚୟ ଅଡୁଆ ପରିସ୍ଥିତି ଆଣିବ। ଏଣୁ ବୈଜୟନ୍ତ ଚାହିଁଛନ୍ତି ବିଜୟଙ୍କୁ ପୁଣି ବିଜେପିକୁ ଫେରାଇ ଆଣିବାକୁ। ଏ ନେଇ ଦଳର ଶୀର୍ଷସ୍ତରରେ ନେତାମାନଙ୍କ ସହ ଆଲୋଚନା ଚାଲିଛି। ବିଜୟ ଯଦି ଫେରି ଆସିବେ ତେବେ ବୈଜୟନ୍ତଙ୍କ ଜିତିବା ଏକ ପ୍ରକାର ନିଶ୍ଚିନ୍ତ ହୋଇଯିବ ବୋଲି କୁହାଯାଉଛି।
ଏହି ଆଲୋଚନା ଚାଲିଥିଲା ବେଳେ ବିଜେପି ଓଡ଼ିଶା ପ୍ରଭାରୀ ଅରୁଣ ସିଂହଙ୍କ ମତ ଏହାକୁ ଅଧିକ ଖୋରାକ ଯୋଗାଇଲା। ବିଜୟ ବିଜେପିକୁ ପୁଣି ଫେରୁଥିବା କଥା ଚର୍ଚ୍ଚା ଜୋର ଧରିଲା। ଅରୁଣ ସିଂହ କହିଥିଲେ ବିଜୟ ଓ ଦିଲ୍ଲୀପ ଏବେ ବି ବିଜେପି ସହ ଅଛନ୍ତି। ସେମାନେ ବିଜେପିଠାରୁ ଦୂରେଇ ଯାଇନାହାଁନ୍ତି। ଏଭଳି ମତ ରଖି ଅରୁଣ ସିଂହ ସୂଚାଇ ଦେଲେ ଯେ, ବିଜେପି ସେମାନଙ୍କ ସହ ଯୋଗାଯୋଗରେ ଅଛି। କିଛି ବି ହୋଇପାରେ। ଘଟଣାକୁ ଅଧିକ ସ୍ପଷ୍ଟ କରିଛି ବିଜୟଙ୍କ ମତ। ଗଣମାଧ୍ୟମରେ ବିଜୟ ମତ ରଖିଛନ୍ତି ଯେ, ବିଜେପି-ବିଜେଡି ଓ କଂଗ୍ରେସ ତାଙ୍କ ସହ ସମ୍ପର୍କରେ ଅଛନ୍ତି। ଗତ ୨୦ ବର୍ଷ ଧରି ଯେଉଁମାନେ ତାଙ୍କୁ ଭଲ ପାଆନ୍ତି ଓ ତାଙ୍କ ସାଥୀରେ ଅଛନ୍ତି ସେମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବା ପରେ ସେ ତାଙ୍କ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଅରୁଣ ସିଂହଙ୍କ ମତ ପରେ ଗଣମାଧ୍ୟମକୁ ବିଜୟଙ୍କ ଏହି ବୟାନ ସ୍ପଷ୍ଟ ସୂଚାଇ ଦେଉଛି ଯେ, ବିଜୟଙ୍କ ସହ ବିଜେପି ଏବେ ଯୋଗାଯୋଗରେ ରହିଛି। କିଛି ଡିଲ ବିଜୟ ଓ ବିଜେପି ମଧ୍ୟରେ ହେବାକୁ ଯାଉଛି ବୋଲି କୁହାଯାଉଛି।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :