ଅଙ୍କ ଛିଣ୍ଡିଲା: ବିଜୟଙ୍କୁ ବିଜେପିକୁ ସ୍ଵାଗତ
ଭୁବନେଶ୍ଵର, (ଓଟି): ଅନେକ ଦିନ ଧରି ବିଜେପିରେ ଲାଗିଥିବା ‘ବିଜୟ’ ଅଙ୍କ ଛିଣ୍ଡିବାକୁ ଯାଉଛି। କିଛି ସମୟ ଭିତରେ ସେ ପାର୍ଟିରେ ପୁଣି ସକ୍ରିୟ ହେବେ ବୋଲି ଆଶା କରାଯାଉଛି। ଏଥିନେଇ ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏବଂ ଦଳର ଉପସଭାପତି ତଥା କିଛିଦିନ ତଳେ ବିଜେପି ବସ୍ତ୍ର ଧାରଣ କରିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ଘରକୁ ଯାଇ ସ୍ଵାଗତ କରିଛନ୍ତି।
ଏଠାରେ ଆମେ ବିଜୟ ମହାପାତ୍ରଙ୍କ କଥା କହୁଛୁ। ଦିନେ ବିଜେଡିରୁ ଅଲୋଡ଼ା ହୋଇପଡ଼ିଥିବା ବିଜୟ ମହାପାତ୍ର ବିଜେପିରେ ବି କୋଣଠେସା ହୋଇଥିଲେ। କିନ୍ତୁ କେନ୍ଦ୍ରାପଡ଼ା ରାଜନୀତିରେ ଟକ୍କର ଦେବା ପାଇଁ ବିଜୟ ହିଁ ଏକ ବଳିଷ୍ଠ ଅସ୍ତ୍ର ବୋଲି ବିବେଚନା କରିଛନ୍ତି ବିଜେପି ନେତୃତ୍ଵ। ଏହିକ୍ରମରେ ଧର୍ମେନ୍ଦ୍ରଙ୍କ ବିରୋଧରେ ତାଙ୍କ ମନରେ ସୃଷ୍ଟି ହୋଇଥିବା ଅଭିମାନକୁ ପ୍ରଶମିତ କରାଯାଇଛି। ଆବଶ୍ୟକୀୟ ରାଜନୀତିକ ଡିଲ୍ ଶେଷ ହୋଇଥିବା ମଧ୍ୟ ଚର୍ଚା ହେଉଛି।
ଅପରାହ୍ଣ ୧ଟା ବେଳେ ସେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯିବେ। ସେଠାରୁ ସେ ଜୟପୁର ଅଭିମୁଖେ ଯାତ୍ରା କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସଭାରେ ତାଙ୍କୁ ବିଜେପିରେ ବିଧିବଦ୍ଧ ଭାବେ ସାମିଲ କରାଯିବ।
ଆଜି ବିଜେପିର ନିର୍ବାଚନ ପ୍ରଚାର ସାମଗ୍ରୀକୁ ଲୋକର୍ପଣ କରାଯିବ। ଏହି ଅବସରରେ ବିଜୟଙ୍କ ପ୍ରତ୍ୟାବର୍ତ୍ତନ କଥା ଘୋଷଣା ହୋଇପାରେ।
ଅପରପକ୍ଷେ ବିଜୟଙ୍କ ଘନିଷ୍ଠ ବନ୍ଧୁ ଦିଲ୍ଲୀପ ରାୟଙ୍କ ପାଇଁ ମଧ୍ୟ ବିଜେପି ଦ୍ଵାର ଖୋଲା ରଖିଛି। କିନ୍ତୁ ଦିଲ୍ଲୀପ ଏବେ ବିଜେଡି ଯିବେ କି ବିଜେପି ସେ ଦ୍ଵନ୍ଦ୍ଵରେ ପଡ଼ିଛନ୍ତି।
ଓଡ଼ିଶାରେ ନୂଆ ପରିବର୍ତ୍ତନ ଆଣିବା ପାଇଁ ଆମକୁ ଏକାଠି ହୋଇ ଲଢ଼ିବାକୁ ପଡ଼ିବ : ବିଜୟ
ବିଜେପିକୁ ଫେରିବା ପରେ ବିଜୟ କହିଛନ୍ତି, ଅରୁଣ ସିଂହ ଓ ଦଳର ରାଷ୍ଟ୍ରୀୟ ଉପ-ସଭାପତି ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସହ ବହୁ ସମୟ ଧରି ଆଲୋଚନା ହେଲା। ଟେଲିଫୋନ୍ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ କଥାବାର୍ତ୍ତା ହୋଇଥିଲା। ଦଳର ଅନ୍ୟ ରାଷ୍ଟ୍ରୀୟ ନେତାଙ୍କ ସହ ବି ଆଲୋଚନା ହୋଇଥିଲା। ନିର୍ବାଚନ ପାଖେଇ ଆସୁଥିବାରୁ ଓଡ଼ିଶାରେ ନୂଆ ପରିବର୍ତ୍ତନ ଆଣିବା ପାଇଁ ଆମକୁ ଏକାଠି ହୋଇ ଲଢ଼ିବାକୁ ପଡ଼ିବ। ପୁରୁଣା କଥା ଭୁଲି ନୂଆ ସଂକଳ୍ପ ସହ ଆମେ ଆଗକୁ ବଢ଼ିବୁ। ବିଜୟ କେଉଁଠାରୁ ନିର୍ବାଚନ ଲଢ଼ିବେ, ତାହା ସ୍ପଷ୍ଟ ହୋଇନାହିଁ। ସେ କହିଛନ୍ତି, ଏନେଇ ଦଳ ନିଷ୍ପତ୍ତି ନେବ।
ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି,ବିଜୟ ମହାପାତ୍ର କେଉଁଠାରୁ ନିର୍ବାଚନ ଲଢ଼ିବେ, ସେ ନିଷ୍ପତ୍ତି ଦଳର କେନ୍ଦ୍ରୀୟ କମିଟି ନେବ। ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। କେନ୍ଦ୍ରାପଡ଼ାରେ ବିଜେପି ନିଶ୍ଚିତ ଜିତିବ। ପୂର୍ବଥର ଅପେକ୍ଷା ବୈଜୟନ୍ତ ପଣ୍ଡା ଏଥର ଅଧିକ ଭୋଟ୍ରେ ବିଜୟୀ ହେବେ।
ବୈଜୟନ୍ତ କହିଛନ୍ତି, ବିଜୟ ମହାପାତ୍ର ବିଜେପିର ଜଣେ ବରିଷ୍ଠ ନେତା। ସେ ପ୍ରଚାର ଆରମ୍ଭ କରିବେ। ମୋଦିଙ୍କୁ ଦ୍ୱିତୀୟ ଥର ପାଇଁ ଆମେ ପ୍ରଧାନମନ୍ତ୍ରୀ କରିବୁ। ଓଡ଼ିଶାରେ ପରିବର୍ତ୍ତନର ଯେଉଁ ନାରା ଚାଲିଛି, ତାହା ନିଶ୍ଚିତ ସଫଳ ହେବ।