ବିଜୟଙ୍କ ପ୍ରତ୍ୟାବର୍ତ୍ତନ : ବିଜେପି ନୁହେଁ; ବୈଜୟନ୍ତଙ୍କ ଲାଭ

ପାଞ୍ଚ ମାସ ତଳୁ ବିଜେପିରୁ ଇସ୍ତଫା ଦେଇଥିବା ବିଦ୍ରୋହୀ ନେତା ବିଜୟ ମହାପାତ୍ରଙ୍କୁ ଦଳର କେନ୍ଦ୍ରୀୟ ନେତୃତ୍ୱ ଫେରାଇ ଆଣିବାରେ ସଫଳ ହୋଇଛନ୍ତି। ବିଜୟ ଫେରିବା ପରେ ବିଜେପିର ଲାଭ ହେବ ବୋଲି ଅନେକ ମତ ଦେଉଥିବାବେଳେ ଏହାକୁ କିନ୍ତୁ ରାଜନୀତିକ ବିଶ୍ଲେଷକମାନେ ନାପସନ୍ଦ କରିଛନ୍ତି। ସେମାନଙ୍କ ମତରେ ବିଜୟଙ୍କ ପ୍ରତ୍ୟାବର୍ତ୍ତନ ବିଜେପି ନୁହେଁ ବରଂ ଦଳରେ ନବ ନିଯୁକ୍ତ ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କର ଲାଭ ହେବ।

ଏହି ମତକୁ ସୁଦୃଢ଼ କରିବା ପାଇଁ ସେମାନେ ଯୁକ୍ତ ଦର୍ଶାଇଛନ୍ତି ଯେ ଦିନେ ବିଜୟଙ୍କୁ ବିଜେପି ନେତାମାନେ ଆଦୌ ଗୁରୁତ୍ୱ ଦେଉନଥିଲେ। ରାଜ୍ୟ ନେତାମାନଙ୍କ କଥାରେ କେନ୍ଦ୍ରୀୟ ନେତାମାନେ ମଧ୍ୟ ପରିଚାଳିତ ହୋଇ ବିଜୟଙ୍କୁ ଭୂଲି ଯାଇଥିଲେ। ଏପରିକି ସେ କେବେ ଦଳ ଛାଡି ଯିବେ ସେଥିପାଇଁ ଦଳର ମୁଖ୍ୟମନ୍ତ୍ରୀ ଆଶାୟୀ ଧର୍ମେନ୍ଦ୍ରଙ୍କ ସମର୍ଥକମାନେ ବାରମ୍ୱାର ପ୍ରଶ୍ନ କରିବାରେ ଲାଗିଥିଲେ।

ବିଜୟ-ଦିଲ୍ଲୀପ ଦଳ ଛାଡି ଯିବା ପରେ ରାଜ୍ୟ ବିଜେପି ନେତାମାନେ ଏହାକୁ କୌଣସି ଗୁରୁତ୍ୱ ଦେଇନଥିଲେ। ଗତମାସରେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ ସେ ବିଜୟଙ୍କୁ ଖୋଜିଥିଲେ। ଦଳ ତାଙ୍କୁ ରାତାରାତି ରାଷ୍ଟ୍ରୀୟ ଉପସଭାପତି କରିଥିବାରୁ କେନ୍ଦ୍ରରେ ତାଙ୍କର ଗୁରୁତ୍ୱ ବୃଦ୍ଧି ପାଇଥିଲା। ଦଳ ତାଙ୍କୁ କେନ୍ଦ୍ରାପଡ଼ା ପ୍ରାର୍ଥୀ କରିଥିବାରୁ ତାଙ୍କର ଓ ଦଳର ଅନ୍ୟ ପ୍ରାର୍ଥୀମାନଙ୍କର ବିଜୟ ପାଇଁ ବିଜୟଙ୍କ ସମର୍ଥନ ନିହାତି ଆବଶ୍ୟକ ବୋଲି ସେ କେନ୍ଦ୍ରୀୟ ନେତାଙ୍କୁ ବୁଝାଇବାରେ ସମର୍ଥ ହେଲେ। କାରଣ ପୂର୍ବରୁ ରାଜ୍ୟ ନେତୃବୃନ୍ଦ ବିଜୟଙ୍କ ବିରୋଧରେ କେନ୍ଦ୍ରୀୟ ନେତାଙ୍କୁ ବୁଝାଇ ତାଙ୍କୁ ଏକଘରକିଆ କରିବାରେ ସଫଳ ହୋଇଥିଲେ। ରାଜ୍ୟ ନେତୃବୃନ୍ଦ ଜାଣିଥିଲେ ଦଳରେ ବିଜୟ ରହିଲେ ସେମାନଙ୍କର ମନମାନୀ ଚାଲିବ ନାହିଁ। ଏପରିକି ଧର୍ମେନ୍ଦ୍ର ଯେପରି ରାଜ୍ୟ ନେତାମାନଙ୍କୁ ନିଜ ସପକ୍ଷରେ ନେଇପାରିଛନ୍ତି ବିଜୟ ସେଥିରେ ଏକମତ ହେବେ ନାହିଁ। ରାଜ୍ୟ ନେତୃବୃନ୍ଦଙ୍କ ଏହି ସଫଳତାରେ ବୈଜୟନ୍ତ ପାଣି ପକାଇ ନିଜ ଉଦ୍ୟମରେ ସଫଳ ହୋଇଛନ୍ତି।

କେବଳ ସେତିକି ନୁହେଁ ଅଭିମାନ କରିଥିବା ବିଜୟଙ୍କୁ ବୁଝାଇବା କାମ ନିଜେ ବୈଜୟନ୍ତ ନେଇ ସେଥିରେ ସଫଳ ହୋଉଛନ୍ତି। ଯାହା ଫଳରେ ବିଜୟ ଆଜି ପୁଣି ଦଳୀୟ କାର୍ଯ୍ୟାଳୟକୁ ଫେରି ଆସିଛନ୍ତି। ତେଣୁ ବିଜୟଙ୍କ ଏହି ପ୍ରତ୍ୟାବର୍ତ୍ତନରେ ବିଜେପି ଅପେକ୍ଷା ବୈଜୟନ୍ତଙ୍କର ଲାଭ ହେବ ବୋଲି କୁହାଯାଇପାରେ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ଅଙ୍କ ଛିଣ୍ଡିଲା: ବିଜୟଙ୍କୁ ବିଜେପିକୁ ସ୍ଵାଗତ

ବିଜେଡିରେ ଦିଲୀପ ରାୟଙ୍କର ଆବଶ୍ୟକତା ନାହିଁ

ପୁରୀ ଲୋକସଭା : ବ୍ରାହ୍ମଣ ଲଢ଼େଇ

Leave a Reply

Your email address will not be published. Required fields are marked *