ଶ୍ରୀଦେବୀଙ୍କ ପାଇଁ ‘ପିଙ୍କ୍’ର ତାମିଲ୍ ରିମେକରେ କାମ କରିବାକୁ ଚାହୁଁଛି: ବିଦ୍ୟା ବାଲାନ୍
ବିଗ୍ ବି ଓ ତାପସୀ ଷ୍ଟାରର୍ ସୁପରହିଟ୍ ଫିଲ୍ମ ‘ପିଙ୍କ୍’ର ତାମିଲ୍ ରିମେକ୍ ପ୍ରସ୍ତୁତି ପର୍ବ ଖୁବ୍ ଜୋରସୋରରେ ଆଗେଇ ଚାଲିଛି । ବୋନି କପୁର୍ ଏହାର ପ୍ରଯୋଜନା କରୁଥିବାବେଳେ ମୁଖ୍ୟ ଭୂମିକା ପାଇଁ ବିଦ୍ୟା ବାଲାନଙ୍କୁ ସାଇନ୍ କରାଯାଇଛି । ଏହି ଫିଲ୍ମ ମାଧ୍ୟମରେ ତାମିଲ୍ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରୁଥିବା ବିଦ୍ୟା ଏହାକୁ ନେଇ ଖୁବ୍ ଉତ୍ସାହିତ । ଫିଲ୍ମ ସମ୍ପର୍କରେ ବିଦ୍ୟା କହିଛନ୍ତି ଯେ -’ବୋନି କପୁର୍ ଏହାକୁ ପ୍ରୋଡ୍ୟୁସ୍ କରୁଛନ୍ତି ଏବଂ ତାଙ୍କର ଦିବଂଗତ ପତ୍ନୀ ଶ୍ରୀଦେବୀଙ୍କ ପାଇଁ ମୋ ମନରେ ବହୁତ ସମ୍ମାନ ରହିଛି । କେବଳ ଏହି ଦୁଇଟି କାରଣ ପାଇଁ ‘ପିଙ୍କ୍’ର ତାମିଲ୍ ରିମେକ୍ରେ ମୁଁ କାମ କରିବା ପାଇଁ ବେଶ୍ ଆଗ୍ରହୀ । ଶ୍ରୀଦେବୀଙ୍କ ସହିତ ବହୁତ କମ୍ ଥର ମୋର ସାକ୍ଷାତ ହୋଇଛି । ତାଙ୍କୁ ଭଲ ଭାବେ ଜାଣିବା ପୂର୍ବରୁ ହିଁ ଅଚାନକ ମୃତ୍ୟୁ ଖବର ଶୁଣିବାକୁ ପଡ଼ିଥିଲା । ତେଣୁ ଶ୍ରୀଦେବୀଙ୍କ ସମ୍ମାନାର୍ଥେ ମୁଁ ଏହି ଫିଲ୍ମ କରିବାକୁ ଚାହୁଁଛି । ବୋନି କପୁର୍ ମଧ୍ୟ ମୋତେ ବହୁତ ସମ୍ମାନ ଦେଇ ଆସିଛନ୍ତି । ତେଣୁ ସେ ଏହି ଫିଲ୍ମ ସମ୍ପର୍କରେ ମୋତେ ଜଣାଇବା ପରେ ମୁଁ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲି’ । ଏହି ଫିଲ୍ମରେ ବିଦ୍ୟାଙ୍କ ସହିତ ସାଉଥର ସୁପରଷ୍ଟାର୍ ଅଜିଥଙ୍କ ଯୋଡ଼ି ଦର୍ଶକଙ୍କ ମନ କିଣିନେବ ବୋଲି ଫିଲ୍ମଟିମ୍ ଆଶା ବାନ୍ଧିଛନ୍ତି ।