ବିଜେପିରେ ବିଭୁ ତରାଇ

ନେତାମାନଙ୍କୁ କ୍ଷମତା ନିଶା ଏପରି ଲାଗିଛି ଯେ ସେମାନେ ନିଜ ବିଚାରଧାରାକୁ ଗୋଟିଏ ମୂହୁର୍ତ୍ତରେ ଜଳାଞ୍ଜଳୀ ଦେବାରେ ଲାଗିଛିନ୍ତି। ଏପରି ଜଣେ ନେତା ହେଉଛନ୍ତି କ୍ୟାଡ଼ର ଭିତ୍ତିକ ଦଳ ସିପିଏମର ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ। ସେ ୨୦୦୯ରେ ଜଗତସିଂହପୁର ଲୋକସଭା ଆସନରୁ ସିପିଆଇ ଟିକଟରେ ସାଂସଦ ନିର୍ବାଚିତ ହୋଇଥିଲେ। ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଗତକାଲି କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ନେତା ବିଭୁ ପ୍ରସାଦ ତରାଇ ଆଜି ବିଜେପିରେ ଯୋଗଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ ଓ ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଗତକାଲି ବିଭୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଦଳ ତାଙ୍କୁ ତିର୍ତ୍ତୋଲ ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ଶ୍ରୀ ତରାଇ ଜଗତସିଂହପୁର ଲୋକସଭା ଆସନରୁ ଲଢ଼ିବାକୁ ଆଗ୍ରହୀ ଥିଲେ। ସେ ଏନେଇ ଦଳର ନେତୃବୃନ୍ଦଙ୍କୁ ଅବଗତ କରିଥିଲେ। କିନ୍ତୁ ତାଙ୍କୁ ଦଳ ତିର୍ତ୍ତୋଲ ବିଧାନସଭା ଆସନରେ ଲଢ଼ିବା ପାଇଁ ଚାପ ପକାଇବାରୁ ସେ ବାଧ୍ୟ ହୋଇ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ନିଜର ଇସ୍ତଫା ପତ୍ରରେ ଦର୍ଶାଇଥିଲେ।

ପଦ୍ମ ଧରିବାପରେ ଜିଲ୍ଲାର ଏହି ବରିଷ୍ଠ ନେତା ତିନି ତିନିଟି ଦଳର ନେତାଭାବେ ଜିଲ୍ଲାବାସୀଙ୍କ ନିକଟରେ ଭୋଟ ଭିକ୍ଷା କରିବେ। କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ବିଭୁ ପ୍ରସାଦ ସିପିଆଇରେ ଯୋଗଦେଇ ୨୦୦୯ ମସିହାରେ ଜଗତ୍‍ସିଂହପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ସେତେବେଳେ ବିଜେଡି ସହିତ ବାମପନ୍ଥୀ ଦଳର ଆସନ ବୁଝାମଣା ହୋଇଥିଲା।

୨୦୧୪ ନିର୍ବାଚନ ବେଳକୁ କିନ୍ତୁ ବିଭୂ ଆଉ ସିପିଆଇରେ ନଥିଲେ। ବିଜେଡି-ବାମପନ୍ଥୀ ଆସନ ବୁଝାମଣା ନହେବାରୁ ସିଏ ବାମଦଳ ଛାଡି କଂଗ୍ରେସରେ ଯୋଗଦେଇ ଲୋକସଭା ଟିକଟ ହାତେଇ ନେଇଥିଲେ । ହେଲେ ନିର୍ବାଚନରେ ବିଜେଡିର କୁଳମଣି ବେହେରାଙ୍କ ଠାରୁ ପରାଜୟ ବରଣ କରିଥିଲେ। ତେବେ ଗତ କିଛିଦିନ ହେଲା ବିଭୁ କଂଗ୍ରେସରେ ଅତ୍ୟନ୍ତ ସକ୍ରିୟ ଥିଲେ। ଦଳ ତାଙ୍କୁ ମୁଖପାତ୍ର କରିଥିବାବେଳେ ବିଭିନ୍ନ ଗଣମାଧ୍ୟମରେ ଉଭୟ ବିଜେଡି ଓ ବିଜେପିକୁ ଶ୍ରୀ ତରାଇ କଟୁ ସମାଲୋଚନା କରୁଥିଲେ।

ଜଗତ୍‍ସିଂହପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବା ଆଶାରେ ଥିବା ବିଭୁ ତରାଇଙ୍କୁ କିନ୍ତୁ କଂଗ୍ରେସ ଶେଷରେ ତିର୍ତ୍ତୋଲ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ଏହି ଆସନରୁ ବିଜେଡିର ଜିଲ୍ଲା ସଭାପତି ବିଷ୍ଣୁ ଦାସ ପ୍ରାର୍ଥୀ ହୋଇଥିବାବେଳେ ବିଜେପିର ଅଧ୍ୟାପକ ରମାକାନ୍ତ ଭୋଇ ଲଢୁଛନ୍ତି।

ତେବେ ଟିକଟ ପାଇବାର ପ୍ରାୟ ସପ୍ତାହକ ପରେ ହଠାତ୍‍ ଗତକାଲି ବିଭୁ କଂଗ୍ରେସରୁ ଇସ୍ତଫା ଦେବା ସହିତ ପ୍ରଦେଶ କଂଗ୍ରେସ ସଭାପତି ଓ ପାରାଦୀପ୍‍ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍ଖେଲ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ଠିକଣା ଭାବେ ନିର୍ବାଚନ ପରିଚାଳନା କରୁନଥିବା କହିଥିବାବେଳେ ପାରାଦୀପ୍‍ରେ ଜଣେ ହତ୍ୟା ଅଭିଯୁକ୍ତଙ୍କୁ କିଭଳି ଟିକଟ ଦିଆଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ଉଲ୍ଲେଖନୀୟ ଯେ ୨୦୧୪ ମସିହାରେ ବିଭୁ ପ୍ରସାଦ ତରାଇ କଂଗ୍ରେସ ଦଳରୁ ଜଗତ୍‍ସିଂପୁର ଲୋକସଭା ଆସନପ।।ଇଁ ପ୍ରାର୍ଥୀ ହୋଇଥିବାବେଳେ ଶ୍ରୀ ସର୍ଖେଲ ପାରାଦୀପ୍‍ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ଲଢୁଥିଲେ। ତେବେ ଉଭୟ ପ୍ରାର୍ଥୀ ନିର୍ବାଚନରେ ପରାଜୟ ବରଣ କରୁଥିଲେ।

ଆଜି ବିଜେପିରେ ଯୋଗଦେବାପରେ ବିଭୁ ତରାଇ ଜଗତ୍‍ସିଂହପୁର ଜିଲ୍ଲାରେ ତିନିଟି ଦଳର ନେତା ହୋଇଥିବାବେଳେ ଯଦି ବିଜେପି ତାଙ୍କୁ ଏଠାରୁ ଲୋକସଭା ଟିକଟ ଦିଏ ତେବେ ଗତ ତିନିଟି ନିର୍ବାଚନରେ ଶ୍ରୀ ତରାଇ ଏହି ଲୋକସଭା ଆସନରୁ ତିନି ଦଳର ପ୍ରାର୍ଥୀ ଭାବେ ତିନିଟି ଚିହ୍ନରେ ନିର୍ବାଚନ ଲଢି ରେକର୍ଡ କରିବେ ।

ବାଇଧର ମଲିକ ହତାଶ ହେବେ!

ଶ୍ରୀ ତରାଇ ଏଠାରୁ ଲୋକସଭା ଟିକଟ ହାତେଇଲେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଥିବା ବିଜେପିର ବାଇଧର ମଲିକଙ୍କୁ ହତାଶ ହେବାକୁ ପଡିବ । ଶ୍ରୀ ମଲିକ ଗତ ଲୋକସଭା ନିର୍ବାଚନରେ ଏଠାରୁ ବିଜେପି ପ୍ରାର୍ଥୀ ହୋଇ ଥିବାବେଳେ ନିକଟରେ ନିମାପଡା ଅଞ୍ଚଳରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ମିଶି ଦଳ ପାଇଁ ପ୍ରଚାର ଚଳାଇଥିବା ଦେଖିବାକୁ ମିଳିଥିଲା ।  

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜୟ ମହାପାତ୍ରଙ୍କ ପାଇଁ ଦିଲୀପ ରାୟ ପ୍ରଚାର କରିବେ

ସନାଙ୍କ କଥାରେ ବିଜେଡି ପରିଚାଳିତ

କଲେକ୍ଟର-ଏସପି ରିପୋର୍ଟରେ ବଳିପଡ଼ିଲେ ବିଧାୟକ!

Leave a Reply

Your email address will not be published.