କରୋନା ଚିନ୍ତାରେ ବିଏମ୍‌ସି: ଭୁବନେଶ୍ଵର ଫେରନ୍ତାଙ୍କ ଲାଗି ଅଟକ ବ୍ୟବସ୍ଥା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଏପ୍ରିଲ୍‌  ୧୪ ପରେ ୨୯ତାରିଖ ଏବଂ ତା’ପରଠୁ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରିଥିତବା ଭୁବନେଶ୍ଵରକୁ ଏବେ ପ୍ରବାସୀଙ୍କ ଫେରନ୍ତା ଭୟ ଘାରିଛି। ଭୁବନେଶ୍ଵର ମୁ୍ୟନିସିପାଲ୍‌ କର୍ପୋରେସନ୍‌ ଏଥିଲାଗି ସଜାଗ ହେବାକୁ ଯାଇ ପ୍ରବେଶପଥକୁ ତାଲା ଲଗାଇବାକୁ ନିଷ୍ପତ୍ତି ନେଇଛି । ଯେହେତୁ ରାଜ୍ୟ ଫେରନ୍ତା ଲୋକେ ରାଜ୍ୟ ପାଇଁ କରୋନା ବାହକ ହେଉଛନ୍ତି ତାହାକୁ ଆଖିରେ ରଖି ବିଏମ୍‌ସି ଏହି ନିଷ୍ପତ୍ତି ନେଇଛି।

ବିଏମ୍‌ସିର ନିଷ୍ପତ୍ତି ଅନୁସାରେ ଏହାର ତିନୋଟିଯାକ ପ୍ରବେଶ ପଥରେ କଟକଣା ଲାଗୁ ହେବ। କିଏ  ସହରକୁ ଆସୁଛି ସେଥିନେଇ ୨୪ ଘଣ୍ଟା ଯାଞ୍ଚ ହେବ। ଏଠାରେ ପରୀକ୍ଷା ନିରୀକ୍ଷା ସହ ସେମାନଙ୍କ ପଞ୍ଜିକରଣ ହେବ। ଆଜିଠାରୁ ଏହି କେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ଷମ କରିଥିବା ବିଏମ୍‌ସି ପକ୍ଷରୁ ଏକ ବିଜ୍ୟପ୍ତିରେ ଦର୍ଶାଯାଇଛି।  ଏହି ତିନୋଟି କେନ୍ଦ୍ର ପୁରୀ, ଖୋର୍ଧା ଏବଂ କଟକ ପଟୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବ।

 ଏମ୍‌ସିର ସୂଚନା ଅନୁସାରେ ଖୋରଧା ପଟୁ ଆସୁଥିବା ବ୍ୟକ୍ତିଙ୍କ ଲାଗି ଖଣ୍ଡଗିରିର ତପୋବନ ହାଇସ୍କୁଲରେ ଖୋଲିଥିବା କେନ୍ଦ୍ରରେ ଯାଞ୍ଚ ଓ ପରୀକ୍ଷା କରାଯିବ। ସେହିପରି କଟକ ପଟୁ ଆସୁଥିବା ବ୍ୟକ୍ତିଙ୍କ ଲାଗି ରସୁଲଗଡଠାରେ ଥିବା ଆଶ୍ରମ ବିଦ୍ୟାଳୟ ଏବଂ ପୁରୀ ପଟୁ ଆସୁଥିବା ସନ୍ଦିଗ୍ଧମାନଙ୍କୁ କୃପାଜଳ ଇଞ୍ଜିନିୟରିଂ କଲେଜଠାରେ ଯାଞ୍ଚ ଓ ପଞ୍ଜିକରଣ କରାଯିବ।

ଏଠାରେ ନିଜର ପଞ୍ଜିକରଣ କରିବାପରେ ସେମାନଙ୍କର ଥର୍ମାଲ ସ୍କାନିଂ କରାଯିବ । ଏଥିପାଇଁ  ନିର୍ଦ୍ଧାରିତ କେନ୍ଦ୍ରରେ ୨୪ ଘଣ୍ଟିଆ ଡାକ୍ତର ଉପସ୍ଥିତ ରହିବେ । ଯେଉଁ ପ୍ରବାସୀ ଓଡ଼ିଆମାନେ ବିଏମ୍‌ସି ଅଞ୍ଚଳକୁ ଆସୁଛନ୍ତି ସେମାନଙ୍କୁ  ବିଏମ୍‍ସି  କର୍ତ୍ତୃପକ୍ଷ  କ୍ୱାରେଣ୍ଟୀନ୍‌ରେ ରଖିବେ।  କିନ୍ତୁ  ଅନ୍ୟ ଜିଲ୍ଲାକୁ ଯିବା ବ୍ୟକ୍ତିଙ୍କ ଲାଗି ସେମାନଙ୍କ ଜିଲ୍ଲା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ପରେ ପଠାଯିବ ।

ଅନ୍ୟ ସ୍ଥାନକୁ ଯିବାକୁ ଥିବା ବ୍ୟକ୍ତିଙ୍କୁ ଟ୍ରାନ୍‍ଜିଟି କେନ୍ଦ୍ରରେ ଖାଦ୍ୟ ପାନୀୟ ଯୋଗାଇ ଦିଆଯିବା ସହିତ କମିଶନରେଟ ପୁଲିସ୍‍ ଓ ବିଏମ୍‍ସି ପକ୍ଷରୁ ଏଠାରେ ସୁରକ୍ଷା ଉପରେ କଡା ନଜର ରଖାଯିବ ।

Leave a Reply

Your email address will not be published. Required fields are marked *