ରପ୍ତାନକାରୀଙ୍କୁ ଖୁସି ଖବର: ଭୁବନେଶ୍ଵରରେ ଆରମ୍ଭ ହେବ ବିଦେଶ ଡାକସେବା
ଭୁବନେଶ୍ଵର, (ଓଟି): ଭାରତ ଡାକ ସେବା ପକ୍ଷରୁ ଭୁବନେଶ୍ଵରଠାରେ ସ୍ଵତନ୍ତ୍ର ବିଦେଶ ଡାକସେବା କେନ୍ଦ୍ର ଖୋଲିବାକୁ ଯାଉଛି। ଶନିବାରଦିନ ଏହି ଡାକଘରକୁ ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରାଯିବ। ବିଶେଷକରି ଯେଉଁମାନେ ରପ୍ତାନକାରୀ ସେମାନଙ୍କ ପାଇଁ ଏହି ଡାକଘର ଅତ୍ୟନ୍ତ ସହଯୋଗୀ ହୋଇପାରିବ। ସେମାନେ ବିଦେଶର ବିଭିନ୍ନ ସ୍ଥାନକୁ ଏଠାରୁ ପାର୍ସଲ ତଥା ନିଜର ଡାକ ପଠାଇପାରିବେ। ଓଡ଼ିଶା ପାଇଁ ଏହା ପ୍ରଥମ ବିଦେଶ ଡାକଘର ହେବ।
ପିଏମ୍ଜିଙ୍କ କାର୍ଯ୍ୟାଳୟରେ ଅବସ୍ଥପେିତ ସହକାରୀ ନିର୍ଦେଶକ ଦେବୀପ୍ରସାଦ ଦାଶ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଶନିବାର ଅପରାହ୍ଣ ସମୟରେ ଏହି ଡାକଘରକୁ ଭାରତୀୟ ଡାକ ବିଭାଗର ସଚିବଙ୍କ ଦ୍ଵାରା ଉଦ୍ଘାଟନ ହେବ। ମଞ୍ଚେଶ୍ଵର ସ୍ଥିତ ପୋଷ୍ଟାଲ୍ ପ୍ରିଣ୍ଟିଂ ପ୍ରେସ୍ ପରିସରରେ ଏହି ଡାକଘର କାର୍ଯ୍ୟ କରିବ। ଏହା ଓଡ଼ିଶାରୁ ବିଦେଶକୁ ହେଉଥିବା ରପ୍ତନୀକୁ ପ୍ରୋତ୍ସାହନ ଯୋଗାଇବ।