ଖାଲି କାଗଜ ଓ ଆତ୍ମ ପ୍ରଚାରରେ ସ୍ଵଚ୍ଛ ହୋଇଛି ଭୁବନେଶ୍ଵର ସ୍ମାର୍ଟସିଟି
ଭୁବନେଶ୍ୱର: ରାଜଧାନୀକୁ ସଜେଇବା ପାଇଁ କୋଟିକୋଟି ଟଙ୍କା ପର୍ଯ୍ୟାୟ କ୍ରମେ ଖର୍ଚ୍ଚ କରାଯାଉଛି । ଗତ ହକି ବିଶ୍ୱକପ୍ ପାଇଁ ମଧ୍ୟ ଖୁବ୍ ସଜେଇ ହୋଇଥିଲା ରାଜଧାନୀ । ସେଥିଲାଗି ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଇଥିଲା । ତେବେ କିଛିଦିନ ପରେ ସବୁ ସୌନ୍ଦର୍ଯ୍ୟ ଫିକା ପଡ଼ିଯାଇଥିଲା । ବିଶେଷକରି ‘ଫୋନି’ ଉଡ଼ାଇନେଇଥିଲା ସାଜସଜା-ସୌନ୍ଦର୍ଯ୍ୟ । ସେହିପରି ପ୍ରଶାସନିକ ଉଦାସୀନତାରୁ ଆଉକିଛି ମଉଳି ଯାଇଥିଲା । ସେ ଯାହାହେଉ ସ୍ମାର୍ଟସିଟି ଦୌଡ଼ରେ ସାମିଲ ହେବା ପରଠାରୁ ରାଜଧାନୀ ଭୁବନେଶ୍ୱର ମହାନଗର ପାଇଁ ଏଭଳି ବିଭିନ୍ନ ପର୍ଯ୍ୟାୟରେ ଉନ୍ନତିକରଣ କାର୍ଯ୍ୟ କରାଯାଉଛି । କିନ୍ତୁ ସେଥିରୁ କିଛି ତିଷ୍ଠୁଛି ତ ଅନେକ ମରିହଜି ଯାଉଛି । ଇତିମଧ୍ୟରେ ରାଜଧାନୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଭୁବନେଶ୍ୱର ସହରକୁ ଖୋଲା ମଳତ୍ୟାଗ ମୁକ୍ତ ସହର ଭାବେ ଘୋଷଣା କରାଯାଇଛି । ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ଘୋଷଣା ପୂର୍ବକ କହିଥିଲେ ଯେ ସମ୍ପ୍ରତି ଭୁବନେଶ୍ୱରରେ ୧୯୫ଟି ଟଏଲେଟ୍ ରହିଛି । ସେସବୁ ହେଉଛି ସୁଲଭ ଶୌଚାଳୟ, ଇ-ଟଏଲେଟ୍, ଟ୍ରାନ୍ସଜେଣ୍ଡର୍ ଟଏଲେଟ୍ ଓ କମ୍ୟୁନିଟି ଟଏଲେଟ୍ । ତେବେ ତଥ୍ୟରେ ସତ୍ୟ ଯାହା ଥାଉନା କାହିଁକି; କିନ୍ତୁ ହୋଇଥିବା ଘୋଷଣାର ବାସ୍ତବ ସ୍ଥିତିକୁ ନେଇ ଉଠିଛି ଦ୍ୱନ୍ଦ୍ୱ । କାରଣ ଭୁବନେଶ୍ୱର ସହର କହିଲେ ତା ପରିସର ଭିତରେ ଅନେକ ଛୋଟବଡ଼ ବସ୍ତି ଅଞ୍ଚଳ ଆଖି ସାମ୍ନାକୁ ଚାଲିଆସେ । ସେଭଳି କିଛି ଅଞ୍ଚଳ ଲାଗି ଖୋଲା ମଳତ୍ୟାଗ ମୁକ୍ତ ଅଞ୍ଚଳ ଘୋଷଣା କେବଳ ଧର୍ମକୁ ଆଖିଠାର ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି । ବରମୁଣ୍ଡାକୁ କେନ୍ଦ୍ରସ୍ଥଳ ଭାବେ ନେଇ ଖଣ୍ଡଗିରି-ଜାଗମରା-ପୋଖରୀପୁଟ-ଏରୋଡ୍ରୋମ୍ ଏରିଆ- ନବୀନ ନିବାସ ଦେଇ ଜଣେ ସକାଳୁଆ ଘୂରି ଆସିଲେ ବାସ୍ତବ ସ୍ଥିତି ସହଜେ ହୃଦଙ୍ଗମ କରିପାରିବ । ଏହା ଭାତହାଣ୍ଡିରୁ ଗୋଟିଏ… ମହାନଗର ନିଗମ ଅଧୀନ ଆହୁରି ଅନେକ ଅଞ୍ଚଳରେ ମଧ୍ୟ ସମାନ ସମସ୍ୟା ରହିଛି ।

ଅନ୍ୟପକ୍ଷରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ ଲିଗ୍ରେ ଭୁବନେଶ୍ୱରକୁ ୧୬୬ ର୍ୟାଙ୍କ ମିଳିଥିଲା । ଖାଲି ସେତିକି ନୁହେଁ ଆମ ରାଜ୍ୟର ଅନେକ ସହର ପଛରେ ପଡ଼ିଯାଇଛନ୍ତି । କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ସ୍ୱଚ୍ଛ ସର୍ବେକ୍ଷଣ । ଦେଶର ୩୯୭୦ ସହରାଞ୍ଚଳ ଏଥିରେ ସାମିଲ୍ ହୋଇଥିବେଳେ ଓଡ଼ିଶାର ଅଧିକାଂଶ ସହର ଭାଗ ନେଇଛନ୍ତି । ତେବେ ସର୍ବେକ୍ଷଣର ଦ୍ୱିତୀୟ କ୍ୱାର୍ଟର ଲିଗ୍ ର୍ୟାଙ୍କରେ ୧ ଲକ୍ଷରୁ ୧୦ ଲକ୍ଷ ଜନବସତି ସହର ଶ୍ରେଣୀରେ ଆମ ରାଜ୍ୟର ସହରଗୁଡ଼ିକୁ ଭଲ ର୍ୟାଙ୍କ ମିଳିନଥିଲା । ଭୁବନେଶ୍ୱରକୁ ୧୬୬ ଓ କଟକକୁ ୨୪୦ ର୍ୟାଙ୍କ ମିଳିଥିଲା । ଏ ହେଉଛି ଟ୍ୱିନ୍ସିଟିର ସ୍ୱଚ୍ଛତା ସ୍ଥିତିର ଏକ ନିଦର୍ଶନ । ଏହି ର୍ୟାଙ୍କକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରପ୍ରକାଶ ପାଇଥିବାବେଳେ ବିଏମ୍ସି ଡେପୁଟି କମିଶନର ଶଶୁଭେନ୍ଦୁ କୁମାର ସାହୁ କହିଛନ୍ତି ଯେ ସମ୍ପୃକ୍ତ କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ପୌରସଂସ୍ଥାଗୁଡ଼ିକୁ ଡିସେମ୍ବର ୨୫ ସୁଦ୍ଧା ସ୍ୱଚ୍ଛ ସର୍ବେକ୍ଷଣ ୱେବ୍ସାଇଟ୍ରେ ବିଭିିନ୍ନ ପର୍ଯ୍ୟାୟରେ ଡକ୍ୟୁମେଣ୍ଟ୍ ଲୋଡ୍ କରିବାକୁ କୁହାଯାଇଥିଲା । ସେସବୁକୁ ଭିତ୍ତିକରି ର୍ୟାଙ୍କ ଦିଆଯାଇଥିବା ବେଳେ ପ୍ରକୃତ ସର୍ବେକ୍ଷଣ ର୍ୟାଙ୍କ ପ୍ରକାଶ ପାଇନି । ତେଣୁ ଅସଲ ସ୍ଥିତି ପରେ ଜଣାଫଡ଼ିବ ବୋଲି ସେ ସୂଚନା ଦେଇଥିଲେ ।

ସେ ଯାହାହେଉ, କେନ୍ଦ୍ରୀୟ ସର୍ବେକ୍ଷଣ ତଥ୍ୟରେ ଆମ ସହର ତଥା ଆମ ରାଜଧାନୀ ଭୁବନେଶ୍ୱର ଭଲ ର୍ୟାଙ୍କ ପାଉ- ଏହି ଆଶା ସହିତ ‘ଖୋଲା ମଳତ୍ୟାଗ ମୁକ୍ତ ଅଞ୍ଚଳ’ ଘୋଷଣା ମଧ୍ୟ ଶତ ପ୍ରତିଶତ ବାସ୍ତବ ରୂପ ନେଉ ବୋଲି ବିଭିନ୍ନ ମହଲରୁ ଅନୁରୋଧ ଜ୍ଞାପନ କରାଯାଇଛି ।
ଏସ୍ପି