ଉପହାର ଉପରେ ନୈତିକ କଟକଣା ଜାରି କଲା ଭୁବନେଶ୍ଵର ମହାନଗର ନିଗମ
ଭୁବନେଶ୍ଵର, (ଓଟି): ଆଗକୁ ବଡ଼ଦିନ ଏବଂ ନୂଆବର୍ଷ ପାଇଁ ସ୍ମାର୍ଟସିଟି ଭୁବନେଶ୍ଵର ପ୍ରସ୍ତୁତ ହେଉଥିବାବେଳେ ମହାନଗର ନିଗମ କର୍ତ୍ତୃପକ୍ଷ ନାଗରିକଙ୍କ ଉପରେ ନୈତିକ କଟକଣା ଜାରି କରିଛନ୍ତି। ପରିବେଶପାଇଁ ଚିନ୍ତା କରି ଉପହାର ଦେବାର ଣୈଳୀରେ ପରିବର୍ତ୍ତନ ପାଇଁ ଅପିଲ୍ କରିଛି ମହାନଗର ନିଗମ। ଏକ ଅନୂରୋଧ ନୋଟିସ୍ରେ ବିଏମ୍ସି କହିଛି ଯେ, ପରିବେଶରେ ବଢ଼ୁଥିବା ପ୍ରଦୂଷଣ ପ୍ରତି ସମ୍ଦେନଶୀଳ ହୋଇ ଉପହାର ଦେବାବେଳେ କିଛି ସାଧାରଣ ବିଷୟକୁ ଧ୍ୟାନ ଦିଅନ୍ତୁ ନାଗରିକ। କୌଣସି ପ୍ରକାରେ ପରିବେଶକୁ ଦୂଷିତ କରୁଥିବା ବା ମାଟିରେ ମିଶି ପାରୁ ନଥିବା ପଦାର୍ଥରେ ତିଆରି ଉପହାରକୁ କାହାକୁ ପ୍ରଦାନ ନକରିବା ପାଇଁ କୁହାଯାଇଛି।
ଏଣୁ ଏମିତି କିଛି ଅଭିନବ ଉପହାର ପ୍ରଦାନ ପ୍ରକ୍ରିୟାକୁ ଗ୍ରହଣ କରିବାକୁ ବିଏମ୍ସି କହିଛି। ଯେମିତି ଉପହାର ସ୍ଥାନରେ ଆପଣ ଛୋଟ ଚାରା ଉପହାର କରିପାରିବେ। ନହେଲେ କିଛି ବହି, ସ୍ଥାନୀୟ କଳା, ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଲାଗି କିଛି କଳାକୃତି ପ୍ରଭୃତି। ଏସବୁ ଦ୍ଵାରା ସ୍ଥାନୀୟ ରୋଜଗାର ବଢ଼ିବ ଏବଂ ପରିବେଶ ପ୍ରଦୂଷିତ ହେବ ନାହିଁ। ବିଶେଷକରି ପ୍ଲାଷ୍ଟିକ୍ ନିର୍ମିତ ଉପହାରକୁ ଗ୍ରହଣ ନକରିବା ବା କାହାକୁ ପ୍ରଦାନ ନକରିବାକୁ ବିଏମ୍ସି ନାଗରିକଙ୍କୁ ଅନୁରୋଧ କରିଛି।
ଏବାବଦରେ ଅଧିକରୁ ଅଧିକ ଲୋକ ସାମିଲ୍ ହୋଇ ଏପରି ପ୍ରକ୍ରିୟାକୁ ଏକ ଆନ୍ଦୋଳନରେ ପରିଣତ କରାଯାଇପାରିଲେ ତାହା ଭବିଷ୍ୟତରେ ଉଦାହରଣ ସୃଷ୍ଟି କରିବ ବୋଲି ଆଶା କରାଯାଇଛି।