#କୋଭିଡ୍-୧୯: ଭୁବନେଶ୍ଵର, ଭଦ୍ରକ ପରେ କଟକ ସଟ୍‌ଡାଉନ୍‌

ଭୁବନେଶ୍ୱର, କଟକ,(ଓଟି): ଭୁବନେଶ୍ୱର ଓ ଭଦ୍ରକ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ବା କର୍ଫ୍ୟୁ ଘୋଷଣା କରାଯିବାର କିଛି ସମୟ ପରେ ପରେ କଟକ ସହରକୁ ମଧ୍ୟ ସଟ୍‌ଡାଉନ୍‌ ଭିତରକୁ ଅଣାଯିବାକୁ ନିଷ୍ପତ୍ତି ନିଆଯାଇଛି। କାରଣ କଟକରେ ରାଜ୍ୟର ୬ ନଂ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଆହୁରି ଚିନ୍ତା ବଢ଼ିଯାଇଛି ଏବଂ ଜନତାଙ୍କ ହିତ ସାଧନ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଫଳରେ ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ ସହର ସଟ୍‌ଡାଉନ୍‌ ଭିତରେ ରହିବ।

ସୂଚନା ଅନୁସାରେ ୬ଷ୍ଠ କରୋନା ପଜିଟିଭ୍‌ କଟକରେ ଚିହ୍ନଟ ପରେ ତୁରନ୍ତ ମୁଖ୍ୟ ଶାସନ ସଚିବ ଏହି ନିଷ୍ପତ୍ତି ନେଇଛନ୍ତି । ଟ୍ୱିଟ୍‌ କରି ସେ ଏହି ନିଷ୍ପତ୍ତି ଜଣାଇଛନ୍ତି। ନୂତନ କରୋନା ସଂକ୍ରମିତ କଟକରେ ଚିହ୍ନଟ ହେବା ପରେ ଏବେ ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ। ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ବା ସଟ୍‌ଡାଉନ୍‌ ସମୟରେ ପୂର୍ବରୁ ଥିବା କିଛି ଜରୁରୀ ସେବାରେ ବି ଲାଗିବ ରୋକ୍‌। ଡାଲି ଚାଉଳ ବା ତେଜରାତି ଦୋକାନ ସହ , ମାଛ, ମାଂସ ଆଦି ଆମିଷ ଦୋକାନ,ପରିବା ଦୋକାନ , କ୍ଷୀର ବୁଥ୍‌ ବି ବନ୍ଦ ରହିବ। କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନ ଖୋଲାରହିବ। ନିୟମ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇପାରେ। କଟକ ସଟ୍‌ଡାଉନ୍‌ ନିଷ୍ପତ୍ତି ପରେ ଯମଜ ନଗରୀ ସମ୍ପର୍ଣ୍ଣ ସଟ୍‌ଡାଉନ୍‌ ରହିଥିବାବେଳେ ଲକ୍‌ଡାଉନ୍‌ ବେଳର କିଛି ନିୟମରେ ପରିବର୍ତ୍ତନ ଅଣାଯାଇଛି।

ରଦ୍ଦ ହେଲା #ଲକଡାଉନ୍‌ ବେଳର ପାସ୍‌

ସୁରକ୍ଷା ଓ ସତର୍କତା ଦୃଷ୍ଟିରୁ କଟକ-ଭୁବନେଶ୍ଵର ସମେତ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଲକ୍‌ଡାଉନ୍‌ ବେଳରେ ଜାରି କରାଯାଇଥିବା ପାସ୍‌ ସବୁକୁ ରଦ୍ଦ କରାଯାଇଛି। ସଟ୍‌ଡାଉନ୍‌ ପାଇଁ କେବଳ ନିର୍ଦ୍ଦିଷ୍ଟ କିଛି ସ୍ଵତନ୍ତ୍ର ପାସ୍‌ ଜାରି ହେବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *