ନଭେମ୍ବର୧ରୁ ରାତିରେ ଉଡ଼ାଣ ବନ୍ଦ
ଭୁବନେଶ୍ଵର, (ଓଟି): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆସନ୍ତା ନଭେମ୍ବର ୧ ତାରିଖରୁ ଉଡ଼ାଣ ବନ୍ଦ ରହିବ। ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ଏବଂ ବେସାମରିକ ବିମାନଚଳାଚଳ ମହାନିର୍ଦେଶକଙ୍କଠାରୁ ଏନେଇ ଅନୁମତି ମଗାଯାଇଛି। ଖାଲି ସେତିକି ନୁହେଁ ଏପ୍ରିଲ୍ ୧ ତାରିଖରୁ ରାତିରେ ବିମାନ ଚଳାଚଳ କରିବ ଏବଂ ଦିନବେଳେ ସମସ୍ତ ବିମାନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଜୁନ୍ ୩୦ ତାରିଖ ଯାଏ ଅର୍ଥାତ୍ ୮ ମାସଯାଏ ଏପରି କଟକଣା ଜାରି ରହିବ।
ବିମାନବନ୍ଦରରର ରନ୍ଓ୍ବେ ମରାମତି ପାଇଁ ସ୍ଥିର ହୋଇଥିବାରୁ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଗଣମାଧ୍ୟମକୁ କହିଛନ୍ତି ଯେ ବିମାନବନ୍ଦରର ରନ୍-ୱେ ମରାମତି ଅତ୍ୟନ୍ତ ଆବଶ୍ୟକ ହୋଇଛି। ଗଲା ୧୨ ବର୍ଷ ହେଲା ଏହାର ମରାମତି ହୋଇ ନାହିଁ। ଯାହା ୧୦ ବର୍ଷରେ ସାଧାରଣତଃ କରାଯାଇଥାଏ। ଏଣୁ ସୁରକ୍ଷାକୁ ଆଖିରେ ରଖି ନଭେମ୍ବର ୧ ତାରିଖରୁ ମରାମତି କାମ ଆରମ୍ଭ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ କିଛି ବିମାନର ଉଡ଼ାଣ ପରିବର୍ତ୍ତନ ହେବ। ଏ ସମ୍ପର୍କିତ ବିବରଣୀ ତଥା ବିମାନ ସମୟସାରଣୀ ଖୁବ୍ଶୀଘ୍ର ପ୍ରକାଶ ପାଇବ ବୋଲି ସେ କହିଛନ୍ତି।
୨୦୦୭ରେ ଶେଷ ଥର ପାଇଁ ଏହି ବିମାନବନ୍ଦରର ରନ୍-ୱେ ମରାମତି ହୋଇଥିଲା। ଏ ଭିତରେ ରନ୍-ୱେ ଖରାପ ହୋଇଗଲାଣି। ତେଣୁ ବିମାନ ଓ ଯାତ୍ରୀଙ୍କ ସୁରକ୍ଷା ତଥା ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ମରାମତି ଆବଶ୍ୟକ ହୋଇପଡ଼ିଛି ବୋଲି ସେ କହିଛନ୍ତି।
ଏହି ମରାମତିରେ ମୁଖ୍ୟ ଅଙ୍ଗ ରହିଛି ରନ୍ଓ୍ବେ ରିକାର୍ପେଟିଂ। ପାଖାପାଖି ୨୭୪୨ ମିଟର ଲମ୍ବା ଏହି ରନ୍ଓ୍ବେର ମରାମତି ପାଇଁ ୩୦ କୋଟି ଟଙ୍କା ଖର୍ଚ ଅଟକଳ କରାଯାଇଛି। ୨୦୦୭ରେ ଏହି ଖର୍ଚ ୨୮ କୋଟି ଟଙ୍କା ଥିଲା।
ଏହି ୮ମାସରେ କେବଳ ରନ୍-ୱେ ମରାମତି ହେବନି, ଏବେ ନିର୍ମାଣ ହେବାକୁ ଥିବା ସମାନ୍ତରାଳ ଟାକ୍ସି ରନ୍-ୱେରୁ ୩ଟି ଟ୍ରାକ୍କୁ ମୁଖ୍ୟ ରନ୍-ୱେକୁ ସଂଯୋଗ କରିବା କାମ ମଧ୍ୟ ହେବ। ଏହାଦ୍ବାରା ଏହି ସମୟରେ ମୁଖ୍ୟ ରନ୍-ୱେ କାମ ଏବଂ ସମାନ୍ତରାଳ ଟାକ୍ସି ରନ୍-ୱେ କାମ ବି ଶେଷ ହୋଇଯିବ।











