ଏସିଆନ୍ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ ହେଲା ମନୋଜଙ୍କ ଫିଲ୍ମ
ଗତ ବର୍ଷ ରିଲିଜ୍ ହୋଇଥିବା ମନୋଜ ବାଜପେୟୀଙ୍କ ଅଭିନୀତ ‘ଭୋଁସଲେ’କୁ ଏସିଆନ୍ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ କରାଯାଇଛି । ବାର୍ସିଲୋନାରେ ଅନୁଷ୍ଠିତ ଏହି ଉତ୍ସବରେ ‘ଭୋଁସଲେ’କୁ ‘ବେଷ୍ଟ୍ ସ୍କ୍ରିନ୍ ପ୍ଲେ’ ଓ ‘ବେଷ୍ଟ୍ ଡାରେକ୍ଟର୍’ ଆୱାର୍ଡ଼ ମିଳିଛି । ବିସ୍ଥାପିତମାନଙ୍କ ଜୀବନ ସଂଘର୍ଷର କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଦେବାଶୀଷ ମଖିଜା । ଏହା ସହିତ ମୁମ୍ବାଇରେ ରହୁଥିବା ଭିନ୍ନ ଜାତି ଓ ଧର୍ମର ଲୋକମାନେ କିଭଳି ସମସ୍ୟା ଭୋଗ କରୁଛନ୍ତି, ତାହାର ଏକ ଝଲକ ମଧ୍ୟ ଦେଖିବାକୁ ମିଳିଥିଲା ।
ଏହି ଫିଲ୍ମରେ ମନୋଜ୍ ପୁଲିସ୍ ଭୂମିକାରେ ଥିଲେ । ଆୱାର୍ଡ଼ ଜିତିବାର ଖୁସିକୁ ସେୟାର୍ କରିବା ସହିତ ଦେବାଶୀଷ୍ ଏହାକୁ ସମ୍ପୂର୍ଣ୍ଣ ଟିମର ସଫଳତା ବୋଲି କହିଛନ୍ତି । ମନୋଜ୍ ମଧ୍ୟ ଆୱାର୍ଡ଼ ଜିତିବାର ଖୁସିକୁ ପ୍ରଶଂସକ ସହିତ ବାଣ୍ଟିଛନ୍ତି । ଆମାଜନ୍ ପ୍ରାଇମ୍ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ୍’ରେ ନଜର ଆସିଥିବା ମନୋଜ୍ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ମୁମ୍ବାଇ ସାଗା’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।