ବିଜେଡିକୁ ‘ଉପ ବାଚସ୍ପତି’ ପଦ: ତୁଚ୍ଛାକୁ ଚର୍ଚା କହିଲେ ଭର୍ତ୍ତୃହରି
କିଏ ହେବେ ଲୋକସଭାର ଉପ ବାଚସ୍ପତି। ଅବଶ୍ୟ ବାଚସ୍ପତି ନିର୍ବାଚନ ଶେଷ ହେବା ପରେ ଯାଇ ଉପ ବାଚସ୍ପତି ନନିର୍ବାଚିତ ହୋଇଥାଆନ୍ତି। କିନ୍ତୁ ପ୍ରଥା ଅନୁସାରେ ଯେହେତୁ ଏହି ପଦବୀ ବିରୋଧୀ ଦଳ ଆସନରେ ବସିଥିବା ନେତାଙ୍କୁ ଯାଇଥାଏ, ଏଣୁ ଏ ନେଇ ଚର୍ଚା ଯେ କେଉଁ ବିରୋଧୀ ଦଳର ନେତା ପାଇବେ ଉପ ବାଚସ୍ପତି ପଦବୀ। ଏହି ପଦବୀ ପାଇଁ ଶିବସେନା କଥା ଯେତିକି ଚର୍ଚାରେ ରହିଛଇ ତା’ଠୁ ଅଧିକ ଚର୍ଚାରେ ଅଛି ବିଜେଡି। ଖାଲି ସେତିକି ନୁହେଁ ଜାତୀୟ ଗଣମାଧ୍ୟମରେ ଭର୍ତ୍ତୃହରି ମହତାବଙ୍କ ନାଁ ବିଶେଷ ଭାବେ ଚର୍ଚା ହେଉଛି। କିନ୍ତୁ ଏହାକୁ ସିଧା ସିଧା ଖଣ୍ଡନ କରିଛନ୍ତି ଭର୍ତ୍ତୃହରି ମହାତାବ।
‘ଓଡ଼ିଶାଟାଇମ୍’କୁ ଭର୍ତ୍ତୃହରି କହିଛନ୍ତି, ‘ସେ ଏ ବିଷୟରେ ଅବଗତ ନାହାନ୍ତି। ତାଙ୍କ ଦଳ ବି ଏ ନେଇ କୌଣସି ଆଲୋଚନା ସଂସଦୀୟ ଦଳ ବୈଠକରେ କରି ନାହାନ୍ତି। ଏଣୁ ଏ ଚର୍ଚା ଖାଲି ଗୋଟେ ଖବରକାଗଜର ଚର୍ଚା ହିଁ ହୋଇପାରେ’।
ଆସନ୍ତୁ ନଜର ପକାଇବା କାହିଁକି ବିଜେଡି ଓ ଭର୍ତ୍ତୃହରିଙ୍କୁ ବିଜେପି ଭାବୁଛି ଉପ ବାଚସ୍ପତି ପଦବୀ ଦେବ?
ପୃଷ୍ଠଭୂମି
ଉପ ବାଚସ୍ପତି ଏକ ସାମ୍ବିଧାନିକ ପଦବୀ। ଲୋକସଭାର ସଦସ୍ୟଙ୍କ ଦ୍ଵାରା ସେ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇଥାଆନ୍ତି। ଅର୍ଥାତ୍ ଯାହାର ସଂଖ୍ୟା ଅଧିକ ସେ ଅଧିକ ସମର୍ଥନ ପାଆନ୍ତି ଆଉ ଉପ ବାଚସ୍ପତି ହୋଇଥାଆନ୍ତି। ଏହି କ୍ରମରେ ଶାସକ ଦଳର ପଲା ଭାରି ହେବା ସ୍ଵଭାବିକ। କିନ୍ତୁ ପ୍ରଥା କହୁଛି, ଲୋକସଭାର ଉପ ବାଚସ୍ପତି ପଦ ସବୁବେଳେ ବିରୋଧୀ ଦଳ ପାଖକୁ ଯାଇଛି। ଆଉ ଯେହେତୁ ସଂସରେ କେହିଁ ମୁଖ୍ୟ ବିରୋଧୀ ଦଳ ନୁହଁନ୍ତି ଏଣୁ ଏ ପ୍ରଥାକୁ ବିଜେପି ନିଜ ଅନୁସାରେ ବଦଳାଇପାରେ।
ପୂର୍ବଥର ଅର୍ଥାତ୍ ୨୦୧୪-୨୦୧୯ ଲୋକସଭାରେ ଏଆଇଡିଏମ୍କେର ଏମ୍ ଥମ୍ବିଦୁରାଇ ବାଚସ୍ପତି ହୋଇଥିଲେ। କିନ୍ତୁ କାହିଁକି ବିଜେପି ବା ଏନ୍ଡିଏ କଂଗ୍ରେସକୁ ଏ ପଦବୀ ଦେବାକୁ ରାଜି ନୁହନ୍ତି? ସେମାନେ କ’ଣ ପ୍ରଥା ଭାଙ୍ଗୁଛନ୍ତି କି?
ଉତ୍ତର ହେଉଛି କଂଗ୍ରେସର ସ୍ଥିତି ପୂର୍ବଥର ପରି ସାଂଘାତିକ ରହିଛି। ଅଥାତ୍ ସଂସଦର ମୁଖ୍ୟ ବିରୋଧୀ ଦଳ ହେବା ଲାଗି ତାଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ଏହି ପଦବୀ ପାଇଁ ୧୦ ପ୍ରତିଶତ ସଦସ୍ୟ ଅର୍ଥାତ୍ ୫୪ ଜଣଙ୍କ ଉପସ୍ଥିତି ଜରୁରୀ। କିନ୍ତୁ ୨୦୧୯ ନିର୍ବାଚନରେ କଂଗ୍ରେସ ମାତ୍ର ୫୨ ସଦସ୍ୟ ପାଇଛି। ଆଉ ୨୦୧୪ରେ କଂଗ୍ରେସକୁ ୪୪ ଆସନ ମିଳିଥିଲା। ଅର୍ଥାତ୍ ଏଥର ବି କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ବିଧି ଅନୁସାରେ ପାଇବ ନାହିଁ। ଶଶସକ ଦଳ କଂଗ୍ରେସକୁ ଏହି ଆସନ ଦେବାକୁ ଚାହିଁବେ ନାହିଁ। ଏହି କ୍ରମରେ ବିଜେପି ଆଉ ଏକ ବିକଳ୍ପ ଖୋଜିବ।
ଶିବସେନା କାହିଁକି ନୁହେଁ
ଯଦିଓ ଶିବସେନା ୧୮ଟି ଆସନ ପାଇଛି ଏବଂ ଏକ ପ୍ରମୁଖ ଦଳ କିନ୍ତୁ ଶିବସେନା ହେଉଛି ଶଶସକ ଏନ୍ଡିଏର ଅଂଶୀଦାର। ଅର୍ଥାତ୍ ଶାସକ ଦଳ। ଏଣୁ ଶାସକ ଦଳ ଭାବେ ସେ ଏଥିପାଇଁ ବଛା ନହେବା ସ୍ପଷ୍ଟ ହୋଇଛି। uଦିଓ ଏହି ପଦବୀ ପାଇଁ ଶିବସେନାକୁ ଚର୍ଚା ଭିତରକୁ ଅଣାଯାଉଛି। ହେଲେ ଶିବସେନା ଶାସକ ଏନ୍ଡିଏ ମେଣ୍ଟର ଏକ ସହଯୋଗୀ। ପୁଣି ଆଗକୁ ମହାରାଷ୍ଟ୍ର ନିର୍ବାଚନ ହେବାକୁ ଥିବାରୁ ସେ ଏହି ପଦବୀକୁ ଗୁରୁତ୍ଵ ଦେବ ନାହିଁ। ଅପରପକ୍ଷେ ଶିବସେନା ସ୍ପଷ୍ଟ କରିଛି ଯେ, ଯଦି ଏ ପଦବୀ ନ ମିଳେ ତାହା ହେଲେ ଏନ୍ଡିଏ ସହ ସମ୍ପକର୍ର୍ କ୍ଷୁଣ୍ଣ ହେବ ନାହିଁ।
ରାଜ୍ୟ ସଭାରେ ହେଉଛି, ଲୋକସଭାରେ କାହିଁକି ନୁହେଁ?
ଏହି ପ୍ରଶ୍ନ ଶିବସେନା ପକ୍ଷରୁ ଉଠାଯାଇଥିଲା। ଶିବସେନା ଯୁକ୍ତି ଅନୁସାରେ ଯଦି ରାଜ୍ୟସଭାରେ ଉପବାଚସ୍ପତି ପଦବୀ ସହଯୋଗୀ ଦଳ ଜନତା ଦଳ ୟୁନାଇଟେଡ୍କୁ ମିଳିଲା ତେବେ ଏଠାରେ କାହିଁକି ନୁହେଁ? ରାଜନୀତିକ ବିଶେଷଜ୍ଞଙ୍କ ଅନୁସାରେ କିନ୍ତୁ ରାଜ୍ୟସଭାରେ ଉପ ବାଚସ୍ପତି ପଦବୀ ଲୋକସଭାର ଉପ ବାଚସ୍ପତିଙ୍କଠାରୁ ଅଧିକ ଗୁରୁତ୍ଵପୂଣ୍ଣ। ସେଠାରେ ଅଧ୍ୟକ୍ଷ ପଦରେ ସ୍ଵୟଂ ଉପରାଷ୍ଟ୍ରପତି ରହିଥାଆନ୍ତି। ଏଣୁ ଗୃହ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ତଥା ନିଜର ନିୟନ୍ତ୍ରଣ ବଜାୟ ରଖିବା ଲାଗି ଶାସକ ଦଳ କେବେ ହେଲେ ଏହି ପଦବୀକୁ ହାତଛଡ଼ା କରିବ ନାହିଁ। ଅପରପକ୍ଷେ ଲୋକସଭାର ବାଚସ୍ପତି ପଦବୀ ଖୋଦ୍ ଶାସକ ଦଳ ପାଖରେ ରହିବାର ପରମ୍ପରା ରହିଛି। ଏଣୁ ଏଠଶରେ ଉପ ବାଚସ୍ପତି ବିରୋଧୀ ଦଳକୁ ଦେବାକୁ ଦଳ ଚାହିଁବା ସ୍ଵଭାବିକ।
ଭର୍ତ୍ତୃହରି ଚର୍ଚାରେ
ଏହିକ୍ରମରେ ଭର୍ତ୍ତୃହରି ଓ ବିଜେଡି ନାଁ ଚର୍ଚାକୁ ଆସିଛି। ଶ୍ରୀ ମହତାବ ହେଉଛନ୍ତି ସଂସଦକୁ ନିର୍ବାଚିତ ହୋଇଥିବା ଜଣେ ସଦସ୍ୟ। ସେ ବିଜେଡି ଦଳର। ମୁଖ୍ୟ ବିରୋଧୀ ଦଳରେ ନଥାଇ ମଧ୍ୟ ଜଣେ ବିଧି ବିଶ୍ଳେଷକ ତଥା ତର୍କକାରୀ ଭାବେ ବିଶେଷ ଜଣାଶୁଣା। ସେଥିଲାଗି ତାଙ୍କୁ ଲଗାତାର ୩ ଥର ଗତ ଲୋକସଭାରେ ସଂସଦ ରତ୍ନ ପୁରସ୍କାର ମିଳିଛି। ଅପରପକ୍ଷେ ବିଜେପି ବିଜେଡିକୁ ଏହି ପଦବୀ ଦେଇ ସମ ଦୂରତ୍ଵ ରାଜନୀତିର ଅନ୍ତ କରିଥିବା ବିଜେଡିକୁ ଖୁସ୍ କରିବାକୁ ଚାହୁଁଛି। ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦାୟିତ୍ଵ ରହିଥିବାରୁ ବିଜେଡିକୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହିଁ ବିଜେପି। ଏଣୁ କଂଗ୍ରେସକୁ ତଳିତଳାନ୍ତ କରିବାକୁ ଯାଇ ବିଜେଡିକୁ ପଦୋନ୍ନତି ଦେଇପାରେ ବିଜେପି।
ସେହିପରି ବିଜେପି ସହ ଭର୍ତ୍ତୃହରିଙ୍କ ରାଜନୀତିକ ସମ୍ପର୍କ ବି ଖରାପ ନୁହେଁ। ପୂର୍ବରୁ ଏ ବାବଦରେ ଅନେକ ଚର୍ଚା ବି ହୋଇଛି ।
ଶେଷକଥା
ଭର୍ତ୍ତୃହରିଙ୍କ କହିବା ଅନୁସାରେ ଦଳରେ ଏନେଇ କୌଣସି ଆଲୋଚନା ହୋଇ ନାହିଁ। ଏହା ଏକ ମିଡିଆ ଚର୍ଚା। ଅପରପକ୍ଷେ ନବୀନ ଏହି ମତରେ ରାଜି ହୋଇପାରନ୍ତି ବୋଲି ବି ଶୁଣାଯାଉଛି। ଯେହେତୁ ସଂସଦୀୟ ଦଳ ନେତା ପଦବୀରୁ ଭର୍ତ୍ତୃହରି ବାଦ୍ ପଡ଼ିଛନ୍ତି ଏପରି ଏକ ସୁଯୋଗକୁ ବିଜେଡି ଅପେକ୍ଷା କରିବା ନେଇ ଚର୍ଚା ହେବା କିଛି ଅବାନ୍ତର ନୁହେଁ। ହେଲେ ପ୍ରଶ୍ନ ଉଠୁଛି ବିଜେଡିର ଅନ୍ୟ ନେତାମାନେ ଭର୍ତ୍ତୃହରିଙ୍କ ଏହି ପଦୋନ୍ନତିକୁ ସହ୍ୟ କରିପାରିବେ ତ?











