କଂଗ୍ରେସ ବୁଦ୍ଧିଜୀବୀଙ୍କୁ ପୁରସ୍କାର ଦେଇ ମୋଦି କି ସଂକେତ ଦେଲେ

ବିଜେପି ସରକାର ‘ଉତ୍କୃଷ୍ଟ କୋଟି ବିଶିଷ୍ଟ ସେବା’ ପାଇଁ ସାମ୍ୱାଦିକ କୁଳଦୀପ ନାୟାରଙ୍କୁ ପଦ୍ମବିଭୂଷଣ ଉପାଧିରେ ସମ୍ମାନୀତ କରିଛନ୍ତି। ଏହା କୌଣସି ଆକସ୍ମିକ କିମ୍ୱା ଗତାନୁଗତିକ ନୁହେଁ। ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଗତ ଜୁନ ମାସରେ କୁଳଦୀପ ନାୟାରଙ୍କୁ ଭେଟିବାକୁ ଯାଇଥିଲେ। ଏହି ଭେଟ ପରେ ତୁରନ୍ତ ଶ୍ରୀ ନାୟାର ଏକ ପ୍ରବନ୍ଧରେ ବିଜେପି ଶାସନକୁ ଅଶୁଭ ବୋଲି କହିବା ସହିତ ଭର୍ତ୍ସନା ମଧ୍ୟ କରିଥିଲେ।

ସତୁରୀ ଦଶକରେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତି ସମୟରେ କୁଳଦୀପ ନାୟାର ଚର୍ଚ୍ଚାକୁ ଆସିବା ସହିତ ପ୍ରସିଦ୍ଧି ଲାଭ କରିଥିଲେ। ଶ୍ରୀ ନାୟାର ତାଙ୍କ ଲେଖା ମୁଖତଃ ହିନ୍ଦୁ ବିରୋଧି, ମୁସଲିମ ସମର୍ଥନ ଓ ପାକିସ୍ଥାନ ସମର୍ଥନରେ ଥିଲା। କେବଳ ଲେଖକ ଭାବେ ନୁହେଁ ଜଣେ ଆକ୍ଟିଭିଷ୍ଟ ଭାବେ ନିଜ ଚିନ୍ତାଧାରାକୁ କାମରେ ପରିଣତ କରୁଥିଲେ। ଏପରିକି ଶ୍ରୀ ନାୟାର କାଶ୍ମୀର ଉପରେ ପାକିସ୍ଥାନୀ ଆଇଏସଆଇ ଦ୍ୱାରା ବିଦେଶରେ ଆୟୋଜିତ ଆଲୋଚନାଚକ୍ରରେ ମଧ୍ୟ ସାମିଲ ହେଉଥିଲେ। ଆମେରିକାରେ ଗୁଲାମନବୀ ଫଇଙ୍କ ଗିରଫଦାରୀ ପରେ ଶ୍ରୀ ନାୟାର ନିଜ ପକ୍ଷ ରଖି କହିଥିଲେ, ଆଲୋଚନାଚକ୍ର ଆୟୋଜିତ କରିଥିବା ଫଇ ପାକିସ୍ଥାନୀ ଏଜେଣ୍ଟ ବୋଲି ଜାଣିନାହାନ୍ତି। ଫଇ ସମ୍ପର୍କରେ ସମସ୍ତେ ଜାଣିଥିଲେ ହେଁ ଶ୍ରୀ ନାୟାରଙ୍କ ସ୍ପଷ୍ଟୀକରଣର କୌଣସି ଦମ ନଥିଲା।

ତେବେ ଏଭଳି ଜଣେ ଲେଖକ ଓ ଆକ୍ଟିଭିଷ୍ଟକୁ ‘ବିଶିଷ୍ଟ ସେବା’ ପାଇଁ ରାଷ୍ଟ୍ରୀୟ ସମ୍ମାନ ଦେଇ ଶାସକ ବିଜେପି ବୌଦ୍ଧିକ ଜଗତ କି ସନ୍ଦେଶ ଦେଇଛି? ବିଶେଷକରି ଯେଉଁ ଲେଖକ, ସାମ୍ୱାଦିକ, ବୁଦ୍ଧିଜୀବୀ ଓ ଆକ୍ଟିଭିଷ୍ଟ ଯେଉଁମାନେ ନିଜ ବିଚାରଧାରା ପାଇଁ ହିନ୍ଦୁବାଦୀ ବା ସାମ୍ପ୍ରଦାୟିକବାଦୀ ଆଖ୍ୟା ପାଉଛନ୍ତି ସେମାନେ କଣ ଚିନ୍ତା କରିବେ?

ଏଠାରେ ପ୍ରଶ୍ନ ଉଠୁଛି, ରାମ ସ୍ୱରୁପ, ସୀତାରାମ ଗୋଏଲ ଓ କୋନରାଡ଼ ଏଲଷ୍ଟଙ୍କ ଲେଖା କଣ ଶ୍ରୀ ନାୟାରଙ୍କ ଲେଖା ତୁଳନାରେ ନିକୃଷ୍ଟ। ଏହି ତିନି ଲେଖକଙ୍କୁ ହିନ୍ଦୁ ଓ ହିନ୍ଦୁବାଦୀ ମୌଳିକ ଲେଖକଭାବେ ଗଣାଯାଏ। ରାଜନୈତିକ ଦୃଷ୍ଟିକୋଣରୁ ସଂଘ ଓ ବିଜେପିର କାମକୁ ସୁରକ୍ଷା ଦେଉଥିବା କୋନରାଡ଼ଙ୍କ ବୌଦ୍ଧିକ କାମ ଅତୁଳନୀୟ। ଏଭଳି ନିଜ ଚିନ୍ତାଧାରାର ବିଶିଷ୍ଟ, ଅସାଧାରଣ ବିଦ୍ୱାନଙ୍କୁ ବିଜେପି ଯଦି ସମ୍ମାନ ଦେବା ବେଳକୁ ମନେ ନ ପକାଏ ତେବେ ଏହାକୁ ସ୍ୱାର୍ଥପର ଓ କ୍ଷମତା ଲୋଭି କୁହାଯାଇପାରେ।

ଗତ ୫ବର୍ଷ ହେଲା ବିଜେପିର ‘କଂଗ୍ରେସମୁକ୍ତ ଭାରତ’ ସ୍ଲୋଗାନ କେବଳ ଲୋକଦେଖାଣିଆ ବୋଲି ପ୍ରମାଣିତ ହେବାରେ ଲାଗିଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଜୀବନ ସାରା କଂଗ୍ରେସର ସେବା କରିଆସିଛନ୍ତି। କଂଗ୍ରେସର ସେବା କରିଥିବା ନେତା ଯଦି ଭାରତ ରତ୍ନ ତେବେ ବିଜେପି କଂଗ୍ରେସକୁ ନିନ୍ଦା କରିବା ଓ ‘କଂଗ୍ରେସମୁକ୍ତ ଭାରତ’ ସ୍ଲୋଗାନ ଦେବା କ’ଣ ତାହା ସହଜରେ ଅନୁମାନ କରାଯାଇପାରେ। ବିଜେପି ତାର ସମଗ୍ର ଶାସନ କାଳ ମଧ୍ୟରେ ନିଜସ୍ୱ ଛାପ ଛାଡ଼ିଥିବା ଭଳି ମନ ହେଉନାହିଁ। କେବଳ କଂଗ୍ରେସର ନକଲ କରିଚାଲିଛି। ଏଭଳି ସ୍ଥିତିରେ ବିଜପିଠାରୁ ନୂତନ ଆଶା କରିବା ବୃଥା।

Leave a Reply

Your email address will not be published. Required fields are marked *