ଭଦ୍ରକ ବିଧାନସଭା : ଅସିତ ଓ ନରେନଙ୍କ ହାତରେ ବିଜୟ ଚାବିକାଠି

ଭଦ୍ରକ ବିଧାନସଭା କ୍ଷେତ୍ର ରାଜନୀତିରେ ଦୁଇଜଣ ଯୁବନେତା ଅସିତ ଓ ନରେନଙ୍କ ଉପରେ ରାଜନୈତିକ ମହଲର ନଜର। ଅସିତ ହେଲେ ବିଧାୟକ ଯୁଗଳ ପଟ୍ଟନାୟକଙ୍କ ପୁଅ। ବିଜେଡିରେ ବେଶ ପ୍ରଭାବଶାଳୀ ଥିଲେ। ବାପା ବିଧାୟକ ଥିଲେ, ପୁଅ ଅସିତ ପୁରା ସଂଗଠନ କଥା ବୁଝୁଥିଲେ।

କହିବାକୁ ଗଲେ ଅସିତଙ୍କ ବିନା ଇଙ୍ଗିତରେ ଭଦ୍ରକ ବିଜେଡିର ପତ୍ର ବି ହଲୁନଥିଲା। ଦଳ ଭିତରେ ଓ ବାହାରେ ସବୁକଥା ବୁଝୁଥିଲେ ଅସିତ। ସରକାରୀ ଅଫିସରମାନେ ମଧ୍ୟ ଅସିତଙ୍କୁ ବେଶଗୁରୁତ୍ୱ ଦେଉଥିଲେ। ଅସିତ ହିଁ ଯୁଗଳଙ୍କ ଉତ୍ତରାଧିକାରୀ ହେବେ ବୋଲି ଭଦ୍ରକ ବିଜେଡି ପକ୍ଷରୁ ଖୋଲାଖୋଲି କୁହାଯାଉଥିଲା।

ଏପରିକି ଗାନ୍ଧି ପଡିଆର ଏକ ସଭାରେ ତତ୍କାଳୀନ ବିଜେଡି ସଭାପତି ସାଂସଦ ଅର୍ଜୁନ ସେଠୀ ଅସିତଙ୍କର ଖୁବ‍୍‌ ପ୍ରଶଂସା କରିବା ସହ ସେ ଯୁଗଳଙ୍କ ଠାରୁ ଭଲ କାମ କରିବେ ବୋଲି କହି ପକାଇଥିଲେ। ଯୁଗଳବାବୁ ମଧ୍ୟ ବୟସାଧିକ୍ୟ କାରଣ ଦର୍ଶାଇ ଆଗୁଆ ନିର୍ବାଚନ ଲଢିବେ ନାହିଁ ଘୋଷଣା କରି ପରୋକ୍ଷରେ ଅସିତଙ୍କ ପାଇଁ ବାଟ ତିଆରି କରିଥିଲେ।

ସଂଗଠନକୁ ହାତରେ ରଖିଥିବା ଅସିତ ଟିକଟ ପାଇବା ପାଇଁ ଖୁବ ଦାବିଦାର ଥିଲେ, ଏପରିକି ତାଙ୍କ ଟିକଟ ପାଇବା ନେଇ ସାମାନ୍ୟ ଆଶଙ୍କା ନାହିଁ ବୋଲି ଶହଶହ ସମର୍ଥକ କହି ବୁଲୁଥିଲେ। ହେଲେ ବିଜେଡି ସୁପ୍ରିମୋ ନବୀନ ଅନେକ ଅପ୍ରତ୍ୟାଶିତ ନିଷ୍ପତ୍ତି ନିଅନ୍ତି, ତା’ଭିତରୁ ଅସିତଙ୍କୁ ଟିକଟରୁ ବାଦ ଦେଇ ସଂଜୀବ ମଲ୍ଲିକଙ୍କୁ ଟିକଟ ଦେଇଦେବା ଗୋଟିଏ ଥିଲା।

ଟିକଟ ପାଇବା ପରଠାରୁ ସଂଜୀବ ଆଗକୁ ଆଗକୁ ମାଡି ଚାଲିଛନ୍ତି ସତ। ତାଙ୍କୁ ଭଦ୍ରକ ବିଧାନସଭା କ୍ଷେତ୍ରରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସମର୍ଥକଙ୍କ ତତକ୍ଷଣାତ ସମର୍ଥନ ମିଳିଗଲା। ତା’ଛଡା ସଂଜୀବ ଜଣେ ନିର୍ବିବାଦୀୟ ଯୁବନେତା ହୋଇଥିବାରୁ ତାଙ୍କୁ ବିରୋଧ ମଧ୍ୟ ହେଲା ନାହିଁ।

ସବୁପରେ ନବୀନ ବାବୁ ଓ ଶଙ୍ଖ ଚିହ୍ନକୁ ପ୍ରଚାରର ଆୟୁଧ କରି ସଂଜୀବ ଏବେ ଭଦ୍ରକ ବିଧାନସଭା କ୍ଷେତ୍ରରେ ପ୍ରଚାର ଓ ସମର୍ଥନ ଲୋଡିବାରେ ଆଗକୁ ମାଡୁଛନ୍ତି। ହେଲେ ଏହି ଆସନର ପ୍ରମୁଖ ଦାବିଦାର ଥିବା ଅସିତଙ୍କ ସମର୍ଥନ ସଂଜୀବ ପାଇନାହାନ୍ତି ଅଥବା ଅସିତ ନିଜଆଡୁ ସଂଜୀବଙ୍କ ପ୍ରତି ସମର୍ଥନ ଘୋଷଣା କରିନାହାନ୍ତି।

ଭଦ୍ରକ ବିଧାନସଭା କ୍ଷେତ୍ରରେ ଯେ ଅସିତଙ୍କର କିଛି ସମର୍ଥକ ନାହାନ୍ତି ଅଥବା ତାଙ୍କର କିଛି ସଂଗଠନ ନଥିଲା ଏକଥା କହିବା ଭୁଲହେବ। ଅସିତଙ୍କ ସମର୍ଥକଙ୍କ ସଂଖ୍ୟା କେତେ ତାକୁ ଆକଳନ କରିବା ଯଦିଓ ସହଜ ନୁହେଁ ତେବେ ତାଙ୍କର ଅନେକ ଅନୁଗତ ଅଛନ୍ତି ଏକଥାକୁ ଅସ୍ୱୀକାର କରିହେବ ନାହିଁ।

ପୁଣି ଯୁଗଳଙ୍କର ଭଦ୍ରକରେ ନିଜସ୍ୱ ଭୋଟବ୍ୟାଙ୍କ ରହିଛି ଏକଥାକୁ ମଧ୍ୟ ଅସ୍ୱୀକାର କରିହେବ ନାହିଁ। ଏପରିସ୍ଥିତିରେ ଅସିତ ଓ ତାଙ୍କ ଅନୁଗତଙ୍କ ଭୂମିକା କ’ଣହେବ (?) ତାକୁ ନେଇ ସାରା ବିଧାନସଭା କ୍ଷେତ୍ରରେ ଜାରି ରହିଛି ସସପେନ୍ସ।

ଇତିମଧ୍ୟରେ ଅସିତଙ୍କ ସହଯୋଗୀ କୁହାଯାଉଥିବା ଜିଲା ପରିଷଦ ସଭ୍ୟ ହେମନ୍ତ ପାଢୀ(କାଳିଆ)ଙ୍କ ସମେତ ୨୮ ନଂ ଜୋନର କେତେକ ନିର୍ବାଚିତ ପ୍ରତିନିଧି ଦଳ ଛାଡି ବିଜେପିକୁ ଯାଇଛନ୍ତି। ଏମିତି ଆଉ କିଛି ନେତା ଅଛନ୍ତି ଯେଉଁମାନେ କି ଏଯାଏ ନିଷ୍ପତ୍ତି ନେଇନାହାନ୍ତି।

ସେହିଭଳି ନରେନ ପଲେଇ ଥିଲେ କଂଗ୍ରେସର ଜିଲା ସଭାପତି। ଭାଇ ବିଧାୟକ ବୀରେନ ପଲେଇଙ୍କ ଅକାଳ ବିୟୋଗ ପରେ ରାଜନୀତିକୁ ଆସିଥିଲେ ନରେନ। ୨୦୦୪ରେ ନରେନ ଭଦ୍ରକ ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୦୯ରେ ହାରିଥିଲେ। ୨୦୧୪ରେ ଜୟଦେବ ଜେନା ପିସିସି ସଭାପତି ହେବା ପରେ ନରେନ ବେଶ ପ୍ରଭାବଶାଳୀ ଥିଲେ।

ପୁଣିଥରେ ୨୦୧୪ରେ ନିର୍ବାଚନ ଲଢି ନରେନ ୨୫ ହଜାରରୁ ଅଧିକ ବ୍ୟବଧାନରେ ଯୁଗଳଙ୍କ ଠାରୁ ପରାସ୍ତ ହୋଇଥିଲେ। ଯଦିଓ ୨୦୧୭ ପଞ୍ଚାୟତ ନିର୍ବାଚନ ପରଠାରୁ ନରେନ ସେତେଟା ସକ୍ରିୟ ନଥିଲେ ତଥାପି ଚଳିତ ୨୦୧୯ ନିର୍ବାଚନ ପାଇଁ ମଧ୍ୟ ନରେନ କଂଗ୍ରେସ ଟିକଟର ଦାବିଦାର ଥିଲେ।

ଏଥରକ କଂଗ୍ରେସ ନରେନଙ୍କ ବଦଳରେ ଯୁବନେତା ନଳିନୀକାନ୍ତ ମହାନ୍ତିଙ୍କୁ ମଇଦାନକୁ ଆଣିଛନ୍ତି। କିନ୍ତୁ ନଳିନୀଙ୍କୁ ନିଜର ସମର୍ଥନ ଘୋଷଣା କରିନାହାନ୍ତି ନରେନ। ନଳିନୀ-ନରେନଙ୍କୁ ଆଉ ସାଙ୍ଗରେ ଦେଖିବାକୁ ମିଳିନି। ଯଦିଓ ଟିକଟ ଘୋଷଣାର କିଛିଦିନ ପୂର୍ବରୁ ଉଭୟ ସାଥି ହୋଇ ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ। ଦୀର୍ଘ ୧୮ବର୍ଷ କାଳ କଂଗ୍ରେସ ସଂଗଠନକୁ ନିୟନ୍ତ୍ରଣ କରୁଥିବା ନରେନଙ୍କର ଭଦ୍ରକ ସହର ଓ ଭଦ୍ରକ ପଞ୍ଚାୟତ ସମିତିରେ ବହୁ ସମର୍ଥକ ଅଛନ୍ତି। ନଳିନୀ ଟିକଟ ପାଇବା ପରଠାରୁ କଂଗ୍ରେସରୁ ଅନେକ ନେତା ବିଜେଡିକୁ ଯାଉଛନ୍ତି।

ସଂଜୀବ ମଧ୍ୟ କଂଗ୍ରେସ ନେତାଙ୍କୁ ପାଇ ଯୁଗଳଙ୍କ ପ୍ରସ୍ଥାନ ଜନିତ କ୍ଷତିକୁ ଭରଣା କରୁଛନ୍ତି। ତେବେବି ନରେନ ନିଜ ଅକ୍ତିଆରରେ ଏକ ଭୋଟବ୍ୟାଙ୍କ ସାଇତି ରଖିଛନ୍ତି। ଟିକଟ ନମିଳିବାର ଖବର ପାଇବା ପରଠାରୁ ନରେନ ଦଳ ଛାଡିବା କଥା ଆଲୋଚନା ହେଉଥିଲା। ମାତ୍ର ଅନ୍ୟ ଦଳରେ ନିଜପାଇଁ ଭଲ ଜାଗା ନମିଳିବାର ଆଶଙ୍କା ନରେନଙ୍କୁ ଏଥିରୁ ନିବୃତ୍ତ କରିଥିବା କୁହାଯାଉଛି। ଏପରିସ୍ଥିତିରେ ନିଜ ଭୋଟବ୍ୟାଙ୍କ ସହ ନରେନ କାହାକୁ ସମର୍ଥନ କରିବେ (?) ସେଥିନେଇ ଜାରି ରହିଛି ସସପେନସ‌୍‍।

Leave a Reply

Your email address will not be published.