ଭଦ୍ରକ ଲୋକସଭା : ନବାଗତଙ୍କ ମଧ୍ୟରେ କଡ଼ା ମୁକାବିଲା

ଏବେ ରାଜ୍ୟର ଉପକୂଳ ଓ ଉତ୍ତର ଓଡ଼ିଶାରେ ସରଗରମ ହେଲାଣି ନିର୍ବାଚନୀ ମାହୋଲ। ଗାଁ ଗଣ୍ଡାରୁ ସହର ଯାଏ ପ୍ରଚାର ହେଲାଣି ଜୋରଦାର। ୨୯ରେ ହେବ ନିର୍ବାଚନ। ଭଦ୍ରକ ଲୋକସଭା ଆସନର ଫଳାଫଳକୁ ନେଇ ପର୍ଯ୍ୟବେକ୍ଷକ ମହଲରେ ଆରମ୍ଭ ହୋଇଛି ପ୍ରାକ୍ ଆକଳନ। ହାରଜିତ‌୍‍ ମୁକାବିଲାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ହେଲାଣି।

ଏପଟେ ପ୍ରାର୍ଥୀ ଓ ଦଳ ନିଜ ନିଜର ରଣନୀତିକୁ ଶାଣିତ କରି ଆଗକୁ ମାଡି ଚାଲିଛନ୍ତି। ସମସ୍ତଙ୍କ ପାଖେ ଜିତିବାର ଜିଜ୍ଞାସା ଥିବାରୁ ଏକ ତ୍ରିମୁଖୀ ତଥା କଡା ଟକ୍କର ଆଡକୁ ମୁହାଁଇଛି ଭଦ୍ରକ ଲୋକସଭା କ୍ଷେତ୍ର। ଏହି ଲୋକସଭା କ୍ଷେତ୍ରରେ ତିନି ଦଳର ପ୍ରାର୍ଥୀ ଚୟନ ବି ଅପ୍ରତ୍ୟାଶିତ ଥିଲା। ବିଜେଡି ଏଥରକ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତାଙ୍କୁ ପ୍ରାର୍ଥୀ କରିଛି। ଏକ ବିଶେଷ ପରିସ୍ଥିତିରେ ମଞ୍ଜୁଲତାଙ୍କ ନାମ ଉପରେ ବିଜେଡି ମୋହର ଲାଗିଥିଲା। ମୁକ୍ତିକାନ୍ତଙ୍କୁ ଧାମନଗର ଆସନରୁ ବାଦ ଦେଇ ପତ୍ନୀ ମଞ୍ଜୁଲତାଙ୍କୁ ସଂସଦୀୟ କ୍ଷେତ୍ରରେ ଥଇଥାନ କଲା ଦଳ।

ତେବେ ମଞ୍ଜୁଲତାଙ୍କ ଥଇଥାନରୁ ବିଜେପି ପ୍ରାର୍ଥୀ ଭାବେ ଅଭିମନ୍ୟୁଙ୍କ ଅଭ୍ୟୁଦୟ ହେଲା। ମଞ୍ଜୁଲତା ବିଜେଡିର ସାଂସଦ ପ୍ରାର୍ଥୀନୀ ହେବା ପରେ ବିଜେଡିରୁ ୬ ଥର ସାଂସଦ ଜିତିଥିବା ଅର୍ଜୁନ ସେଠୀ ଦଳ ଛାଡିଲେ। ପୁଅ ଅଭିମନ୍ୟୁଙ୍କୁ ବିଜେପି ଟିକଟ ଦେବା ଲାଗି ଅର୍ଜୁନ ବିଜେପିରେ ମିଶିଲେ।

ସେହିଭଳି ମହିଳା କାର୍ଡ ଖେଳିବାକୁ ଯାଇ କଂଗ୍ରେସ ଏଠାରେ ପୂର୍ବତନ ସାଂସଦ ଅନନ୍ତ ସେଠୀଙ୍କ ଝିଅ ମଧୁମିତାଙ୍କୁ ପ୍ରାର୍ଥୀ କରିଛି।

ସମସ୍ତେ ନବାଗତ ହୋଇଥିଲେ ବି ସମସ୍ତଙ୍କର ଦୃଢ ରାଜନୈତିକ ‘ବ୍ୟାକ ଗ୍ରାଉଣ୍ଡ’ ରହିଛି। ସାଂଗଠନିକ ଦୃଷ୍ଟିରୁ ଦେଖିଲେ ବିଜଦର ସ୍ଥିତି ମଜବୁତ। ସମୁଦାୟ ସଂସଦୀୟ କ୍ଷେତ୍ରରେ ମଜବୁତ ସ୍ଥିତିରେ ଅଛି। ତଥାପି ପୂର୍ବ ନିର୍ବାଚନ ଅପେକ୍ଷା ଏଥରକ ନିର୍ବାଚନର ଆକଳନ ଅପେକ୍ଷାକୃତ କଷ୍ଟକର ହେଉଛି ଏକଥାକୁ ପ୍ରାୟ ସମସ୍ତେ ଊଣା ଅଧିକେ ସ୍ୱୀକାର କରୁଛନ୍ତି।

ଭଦ୍ରକ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ର ଓ ବାଲେଶ୍ୱର ଜିଲ୍ଲାର ସୋରୋ ଏବଂ ସିମୁଳିଆ ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ଭଦ୍ରକ ଲୋକସଭା ଆସନର ରାଜନୈତିକ ସମୀକରଣ ଏଥରକ ବଦଳିଛି।

୨୦୧୪ ନିର୍ବାଚନରେ ଏଠାରୁ ବିଜେଡିର ଅର୍ଜୁନ ସେଠୀ କଂଗ୍ରେସର ସଂଗ୍ରାମ ଜେନାଙ୍କୁ ୧ ଲକ୍ଷ ୯୦ ହଜାରେ ଭୋଟରେ ପରାସ୍ତ କରିଥିଲେ। ବିଜେପି ୨୦୧୪ରେ ତୃତୀୟ ସ୍ଥାନରେ ପୁଣି କଂଗ୍ରେସଠାରୁ ବଡ ବ୍ୟବଧାନରେ ପଛରେ ଥିଲା। ଏଥରକ କିନ୍ତୁ ସମୁଦାୟ ଲୋକସଭା ଆସନରେ ରାଜନୈତିକ ଚିତ୍ର ଓ ଚରିତ୍ରରେ ବି ପରିବର୍ତ୍ତନ ଆସିଛି।

ବିଜେପି ଏଥରକ ଯଥେଷ୍ଟ ଶକ୍ତି ବୃଦ୍ଧି କରିଛି। ପୂର୍ବରୁ ବାସୁଦେବପୁର ଆସନର କଂଗ୍ରେସ ନେତା ମାଧବାନନ୍ଦ ମଲ୍ଲିକ ଓ ସିମୁଳିଆର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା ଦଳ ଛାଡି ବିଜେପିରେ ଯୋଗଦେଇଛନ୍ତି। ଏହି କାରଣରୁ ବିଜେପି ଶକ୍ତି ବୃଦ୍ଧି ହୋଇଥିବା ବେଳେ ଶେଷ ମୁହୂର୍ତ୍ତରେ ବିଜେଡିକୁ ବାଏ ବାଏ କରି ସାଂସଦ ଅର୍ଜୁନ ସେଠୀ ବିଜେପିରେ ଯୋଗ ଦେଇଛନ୍ତି।

ଅର୍ଜୁନଙ୍କ ବିଜେପିରେ ଯୋଗଦାନ ପରେ ଚାନ୍ଦବାଲି, ଭଦ୍ରକ ଓ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବହୁ ନେତା ବିଜେଡି ଛାଡିଛନ୍ତି। ବିଜେପିର ଶକ୍ତି ବୃଦ୍ଧି ପରେ କଡା ତ୍ରିମୁଖୀ ମୁକାବିଲା ପାଇଁ ବାଟ ଫିଟିଛି। ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା କ୍ଷେତ୍ରରେ ତ୍ରିମୁଖୀ ମୁକାବିଲା। ତେବେ ୭ରୁ ୭ଟି ସ୍ଥାନରେ ବିଜେଡି ଗତ ନିର୍ବାଚନରେ ୧ନଂ ଥିଲା ଓ ଏଥରକ ବି ରହିବ ବୋଲି ଦଳର ନେତାଏ ଆଶାବାଦୀ ଥିବା ବେଳେ ବିଜେପି ଓ କଂଗ୍ରେସ କିନ୍ତୁ ସହଜରେ ବାଟ ଛାଡିବାକୁ ପ୍ରସ୍ତୁତ ନୁହନ୍ତି।

ପର୍ଯ୍ୟବେକ୍ଷକ ମହଲର ଆକଳନ ଅନୁଯାୟୀ ଏଥରକ ଭଣ୍ଡାରିପୋଖରୀ, ସୋରୋ ଏବଂ ବାସୁଦେବପୁର ଆସନରେ କଂଗ୍ରେସ ବିଜେଡିକୁ କଡା ଆହ୍ୱାନ ଦେଉଛି। ଭଣ୍ଡାରିପୋଖରୀରୁ ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଲଢୁଥିବା କାରଣରୁ ଦଳକୁ ଏଠାରେ ଫାଇଦା ମିଳିବ ବୋଲି କର୍ମୀମାନେ ଆଶା କରୁଛନ୍ତି। ଅନୁରୂପ ଭାବେ ସୋରୋରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ କଂଗ୍ରେସକୁ ଫେରିବା ଓ ବାସୁସେବପୁର ଆସନରେ କଂଗ୍ରେସ ପ୍ରଥମ କରି ଜଣେ ନିର୍ବିବାଦୀୟ ପ୍ରାର୍ଥୀ ଦେଇଥିବାରୁ ବିଜେଡିର ବିଜୟ ସହଜସାଧ୍ୟ ହେଉ ନାହିଁ।

ଅପରପକ୍ଷେ ଉଚ୍ଚ ଶିକ୍ଷିତା ତଥା ଟିସିଏସ କମ୍ପାନୀରେ ସଫ୍ଟେୱୟାର ଇଞ୍ଜିନିୟର ଭଳି ଉଚ୍ଚ ଦରମାର ଚାକିରି ଛାଡି ରାଜନୀତିକୁ ଆସିଥିବା ପ୍ରାର୍ଥୀନୀ ମଧୁମିତାଙ୍କୁ ନେଇ କଂଗ୍ରେସ କର୍ମୀ ମହଲ ବେଶ ଉତ୍ସାହିତ ଥିବା କୁହାଯାଉଛି। ମଧୁମିତାଙ୍କ ଭାଷଣ, ଭୋଟରଙ୍କୁ ନିବେଦନ ଶୈଳୀ ପ୍ରାର୍ଥୀନୀ ଭାବେ ତାଙ୍କୁ ଚର୍ଚାରେ ରଖିଛି। ପୁଣି ଖଇରା-ସିମୁଳିଆରେ ମଧୁମିତାଙ୍କ ଘର ହୋଇଥିବାରୁ ସେହି କ୍ଷେତ୍ରରୁ ଆଞ୍ଚଳିକ ଭାବନାରେ କଂଗ୍ରେସ ଖାତାରେ କିଛି ଭୋଟ ପଡିଲେ କଂଗ୍ରେସ ଜୋରଦାର ମୁକାବିଲା କରିବା ସ୍ଥିତିକୁ ଆସିଯିବ ବୋଲି କୁହାଯାଉଛି।

ସେହିଭଳି ଚାନ୍ଦବାଲି ଓ ଧାମନଗର ଆସନରେ ବିଜେପି ଆଡୁ ବିଜେଡିକୁ କଡା ଆହ୍ୱାନ ରହିଛି। ଭଦ୍ରକ, ବାସୁଦେବପୁର, ଭଣ୍ଡାରିପୋଖରୀ, ସମିୁଳିଆରେ ବିଜେପି ଶକ୍ତିବୃଦ୍ଧି କରିଥିବା ବେଳେ କଥିତ ମୋଦୀ ହାୱା ଦଳକୁ ବିଜେଡି ସହିତ କଡା ମୁକାବିଲା ସ୍ଥିତିକୁ ନେଇଛି ବୋଲି ପର୍ଯ୍ୟବେକ୍ଷକ ମହଲ ଅନୁମାନ କରୁଛନ୍ତି।

ଏସବୁକୁ ତର୍ଜମା କଲେ ଭଦ୍ରକ ସଂସଦୀୟ କ୍ଷେତ୍ରରେ ମୋଟାମୋଟି ଭାବେ ତ୍ରିମୁଖୀ ତଥା କଡା ଟକ୍କର ହେବ ବୋଲି ଆକଳନ କରାଯାଉଛି।

Leave a Reply

Your email address will not be published.