ଭଦ୍ରକର ୫ଟି ପଞ୍ଚାୟତ କଣ୍ଟେନମେଣ୍ଟ୍ ଜୋନ୍
ଭଦ୍ରକ (ଓଟି): କିଛିଦିନର ଆଶ୍ଵସ୍ତି ପରେ ରାଜ୍ୟରେ ପୁଣି କରୋନା ଆତଙ୍କ ବଢ଼ି ଯାଇଛି। ଗୋଟିଏ ଦିନରେ ନୂଆ ୭ ନୂଆ ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ପରେ ସରକାରଙ୍କ ଚିନ୍ତା ମଧ୍ୟ ବଢ଼ିଯାଇଛି। ଏହିକ୍ରମରେ କେବେଳ ଭଦ୍ରକରେ ୫ଟି ନୂଆ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ୫ଟି ପଞ୍ଚାୟତକୁ ସିଲ୍ କରିଦେବା ସହିତ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷିତ କରିଛନ୍ତି।
ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକରେ ୩ ଜଣ ଏବଂ ଭଣ୍ଡାରିପୋଖରୀ ବ୍ଲକରେ ୨ଜଣ ନୂଆ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଏହି ଦୁଇଟି ବ୍ଲକର ୫ଟି ପଞ୍ଚାୟତରେ କଟକଣା ଜାରି ହେବା ସହିତ ସମ୍ପୂର୍ଣ୍ଣ ସିଲ୍ କରାଯାଇଥିବା ଜିଲ୍ଲା ପ୍ରଶାସନ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ ଜିଲ୍ଲାରେ ପୂର୍ବରୁ ୨ଟି ସ୍ଥାନକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଥିଲା ଏବଂ ରବିବାର ସେଠାରୁ କଟକଣା ହଟିଥିଲା। ପୂର୍ବରୁ ସମ୍ପୃକ୍ତ ଦୁଇଟି ସ୍ଥାନରେ ୨ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ରବିବାର ସୁସ୍ଥ ହୋଇ ଘରକୁ ଫେରିଥିଲେ। ପୂର୍ବରୁ ଭଦ୍ରକ ସହରର ପୂରୁଣା ବଜାର, ଚରମ୍ପା ଏବଂ ଏରେଇଁ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇ କଟକଣା ଜାରି କରାଯାଇଥିଲା । ପୂରୁଣା ବଜାରରୁ ଏପ୍ରିଲ୍ ୧୫ରେ ଏବଂ ଏହି ଦୁଇଟି ସ୍ଥାନରେ ଏପ୍ରିଲ୍ ୧୯ ତାରିଖରେ କଟକଣା ଉଠାଇ ଦିଆଯାଇଛି। ଭଦ୍ରକରେ ମାର୍ଚ୍ଚ ୩୧ରେ ଜଣେ ଦୁବାଇ ଫେରନ୍ତା ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପରେ ଅନ୍ୟ ୨ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।