ଯାଜପୁର, ବାଲେଶ୍ଵର, ଭଦ୍ରକ ରେଡ୍‌ ଜୋନ୍‌; ରାଜ୍ୟରେ ମୋଟ୍‌ କରୋନା ପଜିଟିଭ୍‌ ୧୪୩

 

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟର ଉତ୍ତରାଞ୍ଚଳ ଜିଲ୍ଲାଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ବିଶେଷକରି ବାଲେଶ୍ଵର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ରାଜ୍ୟରେ ସମୁଦାୟ ଚିହ୍ନିତ କରୋନା ରୋଗୀଙ୍କ ସଂଖ୍ୟାର ୫୨.୪ ପ୍ରତିଶତ ହୋଇଛି। ଅର୍ଥାତ୍‌ ସମୁଦାୟ ରାଜ୍ୟରେ ୧୪୩ଜଣ ପଜିଟିଭ୍‌ ଚିହ୍ନିତ ହୋଇଥିବା ବେଳେ ଏହି ତିନି ଜିଲ୍ଲାର କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୭୫। ପୁଣି ସମୁଦାୟ ସକ୍ରିୟ ରୋଗୀ ଯେଉଁମାନେ ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ରହିଛନ୍ତି ସେମାନଙ୍କ ସଂଖ୍ୟାକୁ ହିସାବକୁ ନେଲେ ରାଜ୍ୟର ୭୧.୨ ପ୍ରତିଶତ କରୋନା ରୋଗୀ ଏହି ତିନି ଜିଲ୍ଲାର ବୋଲି ଜଣାପଡ଼ିଛି। ଏବେ ରାଜ୍ୟରେ ସମୁଦାୟ ୧୦୧ ରୋଗୀ ସକ୍ରୀୟ ରହିଛନ୍ତି। ସେଥିରୁ ୭୨ଜଣ  ଏହି ତିନି ଜିଲ୍ଲାର ଅଟନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ସମୁଦାୟ ରୋଗୀ ସଂଖ୍ୟାରେ ୧୫ ଜଣ ନୂଆ ରୋଗୀ ସାମିଲ୍‌ ହୋଇଛନ୍ତି। ସେଥିରୁ ବାଲେଶ୍ଵର ଜିଲ୍ଲାର ଜଣେ ଥିବା ବେଳେ ଅନ୍ୟ ୧୪ ଜଣ ଯାଜପୁର ଜିଲ୍ଲାର ରହିଛନ୍ତି। ସେହିପରି ଯାଜପୁରରେ ଜଣେ, ଭଦ୍ରକରେ୨ ଜଣ ଏବଂ ସୁନ୍ଦରଗଡ଼ରେ ଦୁଇଜଣ ରୋଗୀ ସୁସ୍ଥ ହୋଇଛନ୍ତି। ସୁସ୍ଥ ତାଲିକା ୪୧ରେ ପହଞ୍ଚିଛି। ଏବେ ସମୁଦାୟ ୧୦୧ ଜଣ ହସ୍‌ପିଟାଲ୍‌ରେ ଚିକିତ୍ସିତ ରହିଛନ୍ତି। ଗତକାଲି ଏହି ସଂଖ୍ୟା ୮୮ ଥିଲା।

ରାଜ୍ୟରେ କରୋନା ସ୍ଥିତି ସକାଳ୭ ଟା୧ମେ’ ୨୦୨୦ ସୁଦ୍ଧା ଜାଣିବା ଲାଗି ଏହି ତାଲିକା ଦେଖନ୍ତୁ। 

ଜିଲ୍ଲା ସମୁଦାୟ ପଜିଟିଭ୍‌ ସୁସ୍ଥ ଆକ୍ରାନ୍ତ
୩୦ଏପ୍ରିଲ୍‌ ୧ ମେ ୩୦ଏପ୍ରିଲ୍‌ ୧ ମେ ୩୦ଏପ୍ରିଲ୍‌ ୧ ମେ
ଖୋର୍ଦ୍ଧା ୪୭ ୪୭ ୨୭ ୨୭ ୧୯ ୧୯
ଯାଜପୁର ୨୨ ୩୬ ୦୧ ୧୯ ୩୫
ବାଲେଶ୍ଵର ୧୯ ୨୦ ୨୦ ୨୦
ଭଦ୍ରକ ୧୯ ୧୯ ୨୧ ୧୭
ସୁନ୍ଦରଗଡ଼ ୧୦ ୧୦ ୦୫ ୦୫
କେନ୍ଦ୍ରାପଡ଼ା ୦୨ ୦୧
କଳାହାଣ୍ଡି ୦୨
ପୁରୀ
କଟକ
ଢେଙ୍କାନାଳ
କୋରାପୁଟ
ସମୁଦାୟ ୧୨୮ ୧୪୩ ୩୭ ୪୧ ୮୮ ୧୦୧

 

  • ଜଣଙ୍କ ମୃତ୍ୟୁ ହୋଇଛି। ସେ ଭୁବନେଶ୍ଵରର ଏମ୍‌ସରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଘର ଝାରପଡ଼ା ଅଞ୍ଚଳର

ପଶ୍ଚିମବଙ୍ଗ ଫେରନ୍ତାଙ୍କ ଦ୍ଵାରା ଏହିସବୁ ରୋଗୀଙ୍କ ସଂଖ୍ୟା ବଢ଼ିଥିବା କୁହାଯାଇଛି। ଯେଉଁ ୧୪ଜଣଙ୍କୁ ଗତକାଲି ଯାଜପୁରରୁ ଚିହ୍ନଟ କରାଯାଇଥିଲା ସେମାନଙ୍କ ଭିତରେ ୮ଜଣ ପୁରୁଷ ଥିବା ବେଳେ ୭ ଜଣ ମହିଳା ରହିଛନ୍ତି। ପୁଣି ଏମାନଙ୍କ ଭିତରେ ଦୁଇଜଣ ତିନିବର୍ଷର ଶିଶୁ ରହିଛନ୍ତି। ପୁରୁଷମାନଙ୍କ ବୟସ ୧୨ରୁ ୬୨ ବର୍ଷ ହୋଇଥିବା ବେଳେ ମହିଳାଙ୍କ ବୟସ ୩୬ରୁ ୪୦ ବର୍ଷ ବୟସ ରହିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ବାଲେଶ୍ଵରରେ ଆଉଜଣେ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି।

ରେଡ୍‌ ଜୋନ୍‌-ଗ୍ରୀନ ଜୋନ୍‌

ଭଦ୍ରକ, ବାଲେଶ୍ଵର ଏବଂ ଯାଜପୁର ଜିଲ୍ଲାରେ ଏପରି ଭୟଙ୍କର ସ୍ଥିତିକୁ ଦେଖି କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଏହି ତିନି ଜିଲ୍ଲାକୁ ଅତି ସମ୍ବେଦନଶୀଳ ଜିଲ୍ଲା ବା ରେଡ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି।

ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, କଳାହାଣ୍ଡି ଏବଂ ଢେଙ୍କାନାଳକୁ ଅରେଞ୍ଜ୍‌ ଜୋନ୍‌ ବା ସମ୍ବେଦନଶୀଳ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କିଛି ନିର୍ଦିଷ୍ଟ ପରିବାର ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଭିତରେ ସୀମିତ ରହିଛି।

ବିଗତ ୨୧ ଦିନ ଭିତରେ କଟକ ଏବଂ ପୁରୀରେ କୌଣସି ନୂଆ କରୋନା ରୋଗୀ ଚିହ୍ନଟ ହୋଇ ନଥିବାରୁ ଏହି ଜିଲ୍ଲାକୁ ଗ୍ରୀନ୍‌ ଜୋନ୍‌ ଘୋଷଣା କରାଯାଇଛି। ଅନ୍ୟ ସମସ୍ତ ଜିଲ୍ଲାକୁ ନିରାପଦ ବା ଗ୍ରୀନ୍‌ ଜୋନ୍‌ ଘୋଷଣା କରାଯାଇଛି। ୩ ମେ’ରୁ ଏହା ଲାଗୁ ହେବ। କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍‌ ସଚିବଙ୍କ ଭିଡିଓ କନ୍‌ଫରେନ୍ସ ପରେ ଜାତୀୟ ସ୍ଵାସ୍ଥ୍ୟ ବିଶନ ସଚିବ ରାଜ୍ୟ ସରକାରଙ୍କୁ ଦେଇଥିବା ସୂଚନା ଅନୁସାରେ ଦେଶରେ ୩ ମେ’ ପରେ ୧୩୦ଟି ଅତି ସମ୍ବେଦନଶୀଳ ସଂକ୍ରମିତ ଜିଲ୍ଲା ବା ରେଡ୍‌ ଜୋନ୍‌ ଚିହ୍ନିତ ଜିଲ୍ଲା ଥିବା ବେଳେ ୨୮୪ଟି ସମ୍ବେଦନଶୀଳ ବା ଅରେଞ୍ଜ ଜୋନ୍‌ ଏବଂ ୩୧୯ଟି ସବୁଜ ଚିହ୍ନିତ ଜିଲ୍ଲା ଭାବେ ଘୋଷଣା କରାଯାଇଛି।

 

 

Leave a Reply

Your email address will not be published. Required fields are marked *